ଗ୍ଲେମରସ ଜୀବନଶୈଳୀ ପାଇଁ ମଡେଲଙ୍କୁ ଗୁଳିମାରି ହତ୍ୟା

Published By : Prameya-News7 Bureau | September 29, 2018 IST

ବାଗଦାଦ ୨୯|୯: ଦେହରେ ବିଭିନ୍ନ ପ୍ରକାର ଟାଟୁ କରୁଥିଲେ ସେ । ଚୁଟିର ରଙ୍ଗ ମଧ୍ୟ ବଦଳାଇଥିଲେ । ସୁନ୍ଦର ସୁନ୍ଦର ରଙ୍ଗ ପୋଷାକ ପିନ୍ଧି ଫଟୋ ଉଠାଇ ଇନଷ୍ଟାଗ୍ରାମରେ ଅପଲୋଡ୍ କରୁଥିଲେ । ଇନଷ୍ଟାଗ୍ରାମରେ ତାଙ୍କର ୨୭ଲକ୍ଷ ଫଲୋଅର ଥିଲେ । ତାଙ୍କ ଫଟୋ ଆଉ ଷ୍ଟାଇଲକୁ ନେଇ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହୋଇଥିଲା । କିନ୍ତୁ ଗତକାଲି ଇରାକର ରାଜଧାନୀ ବାଗଦାଦ ସହରର ରାସ୍ତାରେ ତାଙ୍କ କାର୍ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୁଳିମାଡ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି । ତାଙ୍କ ଜୀବନଶୈଳୀକୁ ବାଗଦାଦର କିଛି ମୌଳବାଦୀ ନାପସନ୍ଦ କରିବା ସହ ମାରିବାକୁ ପୂର୍ବରୁ ଧମକ ଦେଇଥିଲେ ।କିନ୍ତୁ ତାରା ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିନଥିଲେ । ଫଳରେ ଗତକାଲି ସେ ମୌଳବାଦୀଙ୍କ ଗୁଳିମାଡର ଶିକାର ହୋଇଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଇନଷ୍ଟାଗ୍ରାମରେ ମୌଳବାଦୀଙ୍କୁ ପ୍ରଚଣ୍ଡ ନିନ୍ଦା କରାଯାଇଛି । ଜଣେ ଯୁବତୀ ତା ନିଜ ଶୈଳୀରେ ବଞ୍ଚିବାରେ କଣ ଅସୁବିଧା ଥିଲା ବୋଲି ପ୍ରଶ୍ନ କରାଯାଇଛି । ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା କହିଛି । କିନ୍ତୁ ଏହି ମାମଲାରେ ପୋଲିସକୁ ବିଶେଷ ସଫଳତା ମିଳିବ ନାହିଁ ବୋଲି ମଧ୍ୟ ସମସ୍ତେ ଜାଣିଥିବା ସୋସିଆଲ ମିଡିଆରେ ତାରାଙ୍କ ଫଲୋଅରମାନେ ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.