MDMରେ ଦିଆଗଲା ପୋକ ସାଲୁ ବାଲୁ ତରକାରୀ, ଭୋଜନ ନଖାଇ ଘରକୁ ଫେରିଲେ ଛାତ୍ରଛାତ୍ରୀ
18/11/2023 at 3:26 PM

ଚାନ୍ଦବାଲି ୧୮/୧୧: ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟ ମୁହାଁ କରିବା ପାଇଁ ସରକାର କରିଛନ୍ତି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ଆହୁରି ବି ବିଭିନ୍ନ ସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଯାଉଛି । କିନ୍ତୁ କେଉଁଠି ମଧ୍ୟାହ୍ନ ଭୋଜନ ଖାଦ୍ୟରେ ପୋକ ସାଲୁ ବାଲୁ ତ କେଉଁଠି ଚାଉଳରେ ପୋକ । ଏମିତି ଅନୁରୂପ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପରମାନନ୍ଦ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ମିଳିଛି ପୋକ ସାଲୁ ସାଲୁ ତରକାରୀ । ଫଳରେ ଛାତ୍ରଛାତ୍ରୀମାନେ ଖାଇବା ବେଳେ ସୋୟାବିନ୍ ତରକାରୀରେ ପୋକ ସାଲୁ ଦେଖି ଘରକୁ ଫେରି ଯାଇଥିଲେ । ସେପଟେ ଅଭିଭାବକମାନେ ଏହି ଘଟଣାରେ ଉତ୍ୟକ୍ତ ହୋଇ ଆଜି ଵିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଧାରଣା ଓ ଆନ୍ଦୋଳନ କରିଥିଲେ ।
ଘଟଣାରେ ଖବର ପାଇ ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ଉତ୍ୟକ୍ତ ଲୋକମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଜେନାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୂର୍ବରୁ ଅନେକ ଥର ଚାଉଳ ଏଵଂ ତରକାରୀରେ ପୋକ ସାଲୁ ସାଲୁ ଦେଖାଦେଇଥିଲା। ଅନେକ ବାର ଅଭିଯୋଗ ପୂର୍ବରୁ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ଶିକ୍ଷା ଅଧିକାରୀଙ୍କ ସହିତ ଅଭିଭାବକଙ୍କ ମଧ୍ୟରେ ଉଜେନା ଦେଖାଦେଇଥିଲା ।
ରୋଷେଇ ହେଉନଥିଵା ଯୋଗୁଁ ଷ୍ଟକ ଚାଉଳରେ ପୋକ ଥିବା ବେଳେ ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଘଟଣାରେ ପ୍ରଧାନଶିକ୍ଷକ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକ ନିଜେ ମଧ୍ୟାହ୍ନ ଭୋଜନରେ ପୋକ ଅଛି ବୋଲି କହିଛନ୍ତି । ଘଟଣା ସଂପର୍କରେ ତଦନ୍ତ ପରେ କାର୍ଯ୍ୟ ଅନୁଷ୍ଠାନ ନେଵା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ କରିବା ପରେ ଅଭିଭାବକମାନେ ଧାରଣାରୁ ଓହରି ଥିଲେ।