ସବୁଠୁ ଉନ୍ନତ ଯୁଦ୍ଧ ଜାହାଜ…ଏକ ଦଶନ୍ଧୀରେ ଯୁଦ୍ଧପୋତ ନିର୍ମାଣ ପ୍ରଗତିକୁ ସୂଚାଉଛି ଆଇଏନଏସ ମୋରମୁଗାଓ
18/12/2022 at 4:32 PM

ନୂଆଦିଲ୍ଲୀ: ସ୍ୱଦେଶୀ ନିର୍ମିତ ମିସାଇଲ ବିଧ୍ୱଂସକ ଆଇଏନଏସ ମୋରମୁଗାଓ ରବିବାର ଭାରତୀୟ ସେନାରେ ସାମିଲ ହୋଇଛି । ଆଇଏନଏସ ମୋରମୁଗାଓକୁ ନୌସେନା ସାମିଲ କରାଯିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନୌସେନା ଆଡମିରଲ ଆର.ହରି କୁମାରଙ୍କ ସହ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଉପସ୍ଥିତ ରହିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଯୁଦ୍ଧପୋତକୁ ସାମିଲ କରାଯିବା ପରେ ଭାରତର ସମୁଦ୍ର ଶକ୍ତି ମଜଭୁତ ହେବ । ଟେକ୍ନୋଲଜି ଦୃଷ୍ଟିରୁ ଏହା ସବୁଠୁ ଉନ୍ନତ ଯୁଦ୍ଧପୋତ ଥିବା ପ୍ରତିରକ୍ଷାମନ୍ତ୍ରୀ କହିଥିଲେ । ନୌସେନା ମୁଖ୍ୟ କହିଥିଲେ ଯେ ଯୁଦ୍ଧପୋତକୁ ଗୋଆ ମୁକ୍ତି ଦିବସର ପୂର୍ବ ସଂଧ୍ୟାରେ ନୌସେନାରେ ସାମିଲ କରାଯିବା ଗତ ଏକ ଦଶନ୍ଧୀରେ ଯୁଦ୍ଧପୋତ ଡିଜାଇନ ଏବଂ ନିର୍ମାଣ କ୍ଷମତାରେ ହୋଇଥିବା ପ୍ରଗତିକୁ ସୂଚାଉଛି ।
ଭରାତୀୟ ନୌସେନା ଅନୁସାରେ, ଏହି ଯୁଦ୍ଧପୋତ ଦୂରସଂଚାର ଉପକରଣ, ଆଧୁନିକ ରଡାର ଏବଂ ଭୂପୃଷ୍ଠରୁ ଭୂପୃଷ୍ଠକୁ ମିଶାଇଲ ମାରିବା ଏବଂ ଭୂପୃଷ୍ଠରୁ ଆକାଶକୁ ମାରିବାରେ ସକ୍ଷମ ଥିବା ମିଶାଇଲ ପ୍ରଣାଳୀ ଏଥିରେ ରଖାଯାଇଛି । ନୌସେନା କହିଛି ଏହି ଯୁଦ୍ଧତୋପର ଲମ୍ୱ ୧୬୩ ମିଟର, ଓସାର ୧୭ ମିଟର ତଥା ଓଜନ ୭,୪୦୦ ଟନ । ଏହାକୁ ଭାରତ ଦ୍ୱାରା ନିର୍ମିତ ସବୁଠୁ ଘାତକ ଯୁଦ୍ଧପୋତ ମଧ୍ୟରେ ଗଣାଯାଉଛି ।
ପଶ୍ଚିମ ଉପକୂଳ ସ୍ଥିତ ଐତିହାସିକ ଗୋଆର ବନ୍ଦର ସହର ନାଁରେ ମୋରମୁଗାଓ ନାଁ ରଖାଯାଇଛି । ପର୍ତ୍ତୁଗାଲ ଶାସନରୁ ଗୋଆ ମୁକ୍ତି ହେବାର ୬୦ ବର୍ଷ ପୂର୍ତ୍ତି ଅବସରରେ ୨୦୨୧ ଡିସେମ୍ୱର ୧୯ରେ ପ୍ରଥମ ଥର ଏହି ଜାହାଜ ସମୁଦ୍ରକୁ ଓହ୍ଲାଇଥିଲା ।
ମୋରମୁଗାଓ ବିଶାଖପାଟନମ ଶ୍ରେଣୀର ଚାରି ବିଧ୍ୱଂସକ ମଧ୍ୟରୁ ଦ୍ୱିତୀୟ ବିଧ୍ୱଂସକ ଅଟେ । ଏହାର ଡିଜାଇନ ଭାରତୀୟ ନୌସେନାର ସ୍ୱଦେଶୀ ସଂଗଠନରେ ନିର୍ମାଣ କରାଯାଇଛି । ଏହାକୁ ମଝଗାଓଁ ଡକ୍ ଶିପବିଲ୍ଡର୍ସ ଲିମିଟେଡରେ ନିର୍ମାଣ କରାଯାଇଛି ।