ନୂଆଦିଲ୍ଳୀ, ୧୨/୦୧: ଦେଶର ଦୁଇ ଅଗ୍ରଣୀ ମଲ୍ଟିପ୍ଲେକ୍ସ ଅପରେଟର ପିଭିଆର ଏବଂ ଆଇନକ୍ସର ବିଲୟକୁ ମିଳିଛି ଅନୁମତି। ଗୁରୁବାର ନାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ର ମୁମ୍ବାଇ ବେଞ୍ଚ ଏହି ମିଶ୍ରଣକୁ ଅନୁମତି ଦେଇଛନ୍ତି। ଆଗାମୀ ୧୫-୨୦ ଦିନ ମଧ୍ୟରେ ଏନେଇ ଲିଖିତ ଆଦେଶ ଜାରି କରାଯିବା ନେଇ ଅନୁମାନ କରାଯାଉଛି।
ଏହି ମିଶ୍ରଣ ୩ ଅନୁପାତ ୧୦ ରେ ହେବ। ଅର୍ଥାତ୍ ପିଭିଆରର ୩ ସେୟାର ରହିଥିବାବେଳେ ଆଇନକ୍ସର ୧୦ ସେୟାର ରହିଛି। ଗତବର୍ଷ ମାର୍ଚ୍ଚ ୨୭ ରେ ପିଭିଆର ଏବଂ ଆଇନକ୍ସର ବିଲୟକୁ ନେଇ ଘୋଷଣା କରାଯାଇଥିଲା। ଏହାକୁ ଦେଶର ମଲ୍ଟିପ୍ଲେକ୍ସ ଚେନ୍ରେ ସବୁଠୁ ବଡ଼ ମିଶ୍ରଣ ବୋଲି କୁହାଯାଉଛି। ବର୍ତ୍ତମାନ ଉଭୟ ମଲ୍ଟିପ୍ଲେକ୍ସ ପାଖରେ ୧୫୦୦ ରୁ ଅଧିକ ସ୍କ୍ରିନ୍ ରହିଛି।
ବିଲୟ ପରେ ପିଭିଆର ଆଇନକ୍ସ ଲିମିଟେଡ୍ ନାମ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ସ୍କ୍ରିନ୍ ସଂଖ୍ୟା ୩,୦୦୦ ରୁ ୪,୦୦୦ ବଢ଼ିବା ନେଇ ଲକ୍ଷ୍ୟ ରଖାଯାଇଥିବା ନେଇ କହିଛନ୍ତି ପିଭିଆର ଚେୟାରମ୍ୟାନ୍ ଅଜୟ ବିଜଲାନୀ। ଏହି ମିଶ୍ରଣ ପାଇଁ ଏନସିଏଲଟି, ଷ୍ଟକ୍ ଏକ୍ସଚେଞ୍ଜ, ସେବି ଏବଂ ସେୟାରହୋଲ୍ଡରଙ୍କ ଅନୁମତିର ଆବଶ୍ୟକ ରହିଛି।
ଅଜୟ ବିଜଲାନୀ ପରିଚାଳନା ନିର୍ଦେ୍ଦଶକ ଭାବରେ ରହିବେ ଏବଂ ସଞ୍ଜୀବ କୁମାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ରହିବେ। ସେହିପରି ଆଇନକ୍ସ ଗ୍ରୁପ୍ର ଚେୟାରମ୍ୟାନ୍ ପବନ କୁମାର ଜୈନ ବୋର୍ଡର ଅଣ-କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ ରହିବେ। ମିଳିତ ସଂସ୍ଥାରେ ଅଣ-କାର୍ଯ୍ୟନିର୍ବାହୀ ଅଣ-ସ୍ବାଧୀନ ନିର୍ଦ୍ଦେଶକ ଭାବରେ ସିଦ୍ଧାର୍ଥ ଜୈନ ନିଯୁକ୍ତ ହେବେ।
ବିଶେଷଜ୍ଞଙ୍କ ଅନୁଯାୟୀ ମିଶ୍ରଣ ପରେ ସଂସ୍ଥା ପାଖରେ ଦେଶର ପ୍ରାୟ ୫୦ ପ୍ରତିଶତ ମଲ୍ଟିପ୍ଲେକ୍ସ ସ୍କ୍ରିନ ହୋଇଯିବ। ବର୍ତ୍ତମାନ ଉଭୟ ମଲ୍ଟିପ୍ଲେକ୍ସ ନିକଟରେ ବକ୍ସ ଅଫିସ୍ ଆୟରେ ଉଭୟ ହିନ୍ଦୀ ଏବଂ ଇଂରାଜୀ କଣ୍ଟେଣ୍ଟରେ ୪୨ ପ୍ରତିଶତ ସେୟାର ରହିଛି।