ସତ୍ୟବାଦୀରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼, ଅଭିଯୁକ୍ତ ଯୁବକ ଗିରଫ
19/08/2023 at 5:01 PM

ନିମାପଡ଼ା: ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କାଳିମାଡ଼। ଘଟଣାରେ କାଳିମାଡ଼ କରିଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି। ଯୁବକ ଜଣକ ହେଉଛନ୍ତି କଣାସର ଭାସ୍କର ସାହୁ। କେବଳ ୫ଟି ସଚିବ ନୁହେଁ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି। କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକେ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିନେଇଥିଲା । କାଳିମାଳ ସତ୍ବେ 5T ସଚିବ ଭି.କେ.ପାଣ୍ଡିଆନ୍ ହସ ହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଆଜି ପୁରୀ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ କାକଟପୁର, ନିମାପଡ଼ା, ପୁରୀ ଓ ସତ୍ୟବାଦୀରେ 5T ସଚିବଙ୍କ କାର୍ଯ୍ୟକ୍ରମ ରହିଥିଲା କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ସତ୍ୟବାଦୀରେ ପହଞ୍ଚିଥିଲେ 5T ସଚିବ । ସତ୍ୟବାଦୀ ୟୁଜିଏସ୍ କଲେଜରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବା ପୂର୍ବରୁ ସେଠାରେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ 5T ସଚିବ । ଏହି ସମୟରେ ଭାସ୍କର ସାହୁ ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳିକୁ 5T ସଚିବଙ୍କ ଉପରକୁ ଫିଙ୍କି ଦେଇଥିଲା । 5T ସଚିବଙ୍କ ସମତେ ପୁରୀ ଜିଲ୍ଲାପାଳ ଏବଂ ସେଠାରେ ଉପସ୍ଥିତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପରେ ମଧ୍ୟ କାଳି ପଡ଼ିଥିଲା । ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିନେଇଥିଲା

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କାଳିମାଡ଼ ସତ୍ବେ 5T ସଚିବ ଭି.କେ.ପାଣ୍ଡିଆନ୍ ହସ ହସ ମୁହଁରେ ଲୋକଙ୍କ ସହ ମିଶିଥିଲେ 5T ସଚିବ । କାଳିମାଡ଼ ପରେ ବି ନା’ ସେ ଅଟକିଥିଲେ ନା’ ପଛଘୁଞ୍ଚା ଦେଇଥିଲେ । ପୂର୍ବଭଳି ଲୋକଙ୍କ ସହ ମିଶିବା ସହ ନିର୍ଦ୍ଦାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ 5T ସଚିବ ଭି.କେ.ପାଣ୍ଡିଆନ୍ । ସେଠାରେ ଉପସ୍ଥିତ ମିଶନ ଶକ୍ତିର ମହିଳାମାନେ 5T ସଚିବଙ୍କ ମୁହଁରୁ କାଳି ପୋଛି ଦେବା ସହ ତାଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସ୍ବାଗତ କରୁଥିବାର ଦେଖିବାକୁ ମିଳିଥିଲା । ମଞ୍ଚ ଉପରକୁ ଯିବା ପରେ 5T ସଚିବ ଭି.କେ.ପାଣ୍ଡିଆନ୍ କହିଥିଲେ, ମୋର ଆସିବାରେ ଟିକେ ବିଳମ୍ବ ହୋଇଗଲା । କାରଣ କିଛି ଲୋକ ମୋ’ ସହ ରଙ୍ଗ ଖେଳୁଥିଲେ ବୋଲି କହିଥିଲେ 5T ସଚିବ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି.କେ.ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି କାମର ସମୀକ୍ଷା କରୁଛନ୍ତି। ଏହି କ୍ରମରେ ୨ ଦିନିଆ ପୁରୀ ଗସ୍ତରେ ଯାଇଛନ୍ତି ପାଣ୍ଡିୟାନ। ଆଜି ହେଉଛି ଗସ୍ତର ଦ୍ଵିତୀୟ ଦିନ। ତେବେ ସତ୍ୟବାଦୀରେ ତାଙ୍କ ଉପରକୁ କାଳିମାଡ଼ ହୋଇଛି। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣ୍ଡିଆନ୍ଙ୍କ ଗସ୍ତକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। କଳାପତାକା ଦେଖାଯିବା ସହିତ ଅଣ୍ଡାମାଡ଼ ହୋଇଛି। ଫଳରେ ତାଙ୍କ ଗସ୍ତ ବେଳେ ଉପରୋକ୍ତ ସ୍ଥାନୀୟ ଅଞ୍ଚଳରେ ଅଣ୍ଡା ଦୋକାନ ବନ୍ଦ କରାଯାଇଥିବାର ନଜିର ରହିଛି।