ପୃଥ୍ଵୀ ଶଙ୍କ ସହିତ ପୁଣି ଅନ୍ୟାୟ ! ଓପନର ଫେଲ୍ ମାରୁଛନ୍ତି, ତଥାପି ମିଳୁନି ସୁଯୋଗ
30/01/2023 at 9:23 PM

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ଶୃଙ୍ଖଳାର ଦୁଇଟି ମ୍ୟାଚ୍ ଖେଳା ସରିଛି। ଆଉ ଗୋଟିଏ ମ୍ୟାଚ୍ ବାକି ରହିଛି। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି-୨୦ ମୁକାବିଲା ଜିତି ଭାରତ ଶୃଙ୍ଖଳା ଜିତିବାକୁ ଲକ୍ଷ୍ୟ ରଖିଛି। ତେବେ ଶୃଙ୍ଖଳା ମଝିରେ ପୁଣି ଥରେ ଏକ ପ୍ରଶ୍ନ ଉଠିଛି। ତାହା ହେଉଛି ପୃଥ୍ଵୀ ଶଙ୍କୁ କାହିଁକି ସୁଯୋଗ ଦିଆଯାଉନି।ଘରୋଇ କ୍ରିକେଟ୍ରେ ଲଗାତାର ରନ କରୁଥିବା ପୃଥ୍ଵୀ ଶଙ୍କୁ ଭାରତୀୟ ଦଳରେ ତ ସାମିଲ୍ କରାଯାଇଛି ମାତ୍ର ଚୂଡାନ୍ତ ଏକାଦଶରେ ସୁଯୋଗ ମିଳୁନି।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ଶୃଙ୍ଖଳାରେ ଏ ପର୍ଯ୍ୟନ୍ତ ଶୁଭମନ ଗିଲ୍ ଏବଂ ଇଶାନ କିଷନଙ୍କ ଯୋଡି ଫେଲ୍ ମାରିଛି। ଏହା ପୂର୍ବରୁ ମଧ୍ୟ ଦୁଇ ଖେଳାଳି ଟି-୨୦ରେ ନିରାଶଜନକ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ବର୍ତ୍ତମାନ ଶଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରିବାକୁ ଦାବି ଉଠୁଛି। ଶୁଭମନ ଗିଲ୍ ଏ ପର୍ଯ୍ୟନ୍ତ ଟି-୨୦ ଅନ୍ତର୍ଜାତୀୟରେ ୫ଟି ମ୍ୟାଚ୍ ଖେଳି ମାତ୍ର ୭୬ ରନ କରିଛନ୍ତି। ଗତ ପାଞ୍ଚ ଇନିଂସରେ ସେ ୭, ୫, ୪୬, ୭, ୧୧ ରନ କରିଛନ୍ତି। ପୂର୍ବରୁ ତ ତାଙ୍କର ଷ୍ଟ୍ରାଇକ୍ ରେଟ୍ ଉପରେ ପ୍ରଶ୍ନ ଉଠିଛି। ମାତ୍ର ଦିନିକିଆ ଏବଂ ଟେଷ୍ଟରେ ସେ ନିୟମିତ ଭଲ ପ୍ରଦର୍ଶନ କରୁଛନ୍ତି। ନିକଟରେ ଦିନିକିଆ ଶୃଙ୍ଖଳାରେ ସେ ଦ୍ଵିଶତକ ହାସଲ କରିବା ସହ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଅନ୍ୟପଟେ ଇଶାନ କିଷନ ଏ ପର୍ଯ୍ୟନ୍ତ ଟି-୨୦ ଫର୍ମାଟ୍ରେ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ସେ ଅଦ୍ୟାବଧି ୨୬ଟି ଟି-୨୦ ଖେଳି ୬୫୨ ରନ କରିଛନ୍ତି। ନିକଟରେ ଇଶାନ କିଷନଙ୍କ ଦାୟିତ୍ଵ ବଢିଛି, କାରଣ ସେ ବର୍ତ୍ତମାନ ଦଳ ପାଇଁ ଓପନିଂ କରୁଛନ୍ତି। ମାତ୍ର ଗତ କିଛି ଇନିଂସରେ ତାଙ୍କ ବ୍ୟାଟ୍ ଶାନ୍ତ ରହିଛି। ଏଥିରେ ୨, ୧, ୪ ଏବଂ ୧୯ ରନ ସାମିଲ୍।
ଏ ଖବର ପଢନ୍ତୁ- ବିସିସିଆଇକୁ ପୃଥ୍ଵୀ ଶଙ୍କ ମୁହଁତୋଡ ଜବାବ, ଖେଳିଲେ ଐତିହାସିକ ତ୍ରିଶତକୀୟ ଇନିଂସ
ଆଉ କେତେ ସମୟ ଅପେକ୍ଷା କରିବେ ପୃଥ୍ଵୀ ଶ
ଗୋଟିଏ ପଟେ ଟି-୨୦ରେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଶୁଭମନ-ଇଶାନ ଏବଂ ଅନ୍ୟପଟେ ଘରୋଇ କ୍ରିକେଟ୍ରେ ରନ ବର୍ଷା କରୁଛନ୍ତି। ପୃଥ୍ଵୀ ଶ ପ୍ରାୟ ଦୁଇ ବର୍ଷରୁ ଭାରତୀୟ ଦଳରୁ ବାହାରେ ଥିଲେ। ମାତ୍ର ସେ ଘରୋଇ କ୍ରିକେଟ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି ଏବଂ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଶା କରାଯାଉଛି ଅହମ୍ମଦାବାଦରେ ହେବାକୁ ଥିବା ଟି-୨୦ ମ୍ୟାଚ୍ରେ ପୃଥ୍ଵୀ ଶଙ୍କୁ ସୁଯୋଗ ମିଳିପାରେ।