ଗାଁକୁ ନାହିଁ ଭଲ ରାସ୍ତା; ଖଟିଆରେ ବୁହା ହେଲେ ଭାଲୁ ଆକ୍ରମଣରେ ଆହତ ବ୍ୟକ୍ତି
14/01/2023 at 8:55 PM

ବୋରିଗୁମ୍ମା ୧୪/୦୧: ଭାଲୁ ଆକ୍ରମଣରେ ଆହତ ବ୍ୟକ୍ତିଙ୍କୁ ଖଟିଆରେ ବୋହି ଡାକ୍ତରଖାନାକୁ ଅଣାଯାଇଛି। ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚାୟତ ରାଣିଗଡ଼ ଗାଁରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ଶନିବାର ସକାଳେ ରତନ ମୁଦୁଲି (୬୦) ଓ ତାଙ୍କ ସାଥୀ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେହି ସମୟରେ ହଠାତ ରତନଙ୍କୁ ଭାଲୁ ଆକ୍ରମଣ କରିଥିଲା। ଏହା ଫଳରେ ସେ ଚିତ୍କାର କରିଥିଲେ।
ରତନଙ୍କ ଡାକ ଶୁଣି ଗାଁ ଲୋକମାନେ ତାଙ୍କୁ ଉଦ୍ଧାର କରି ରାଣିଗଡ଼ରୁ ପାହାଡ଼ ରାସ୍ତା ଅତିକ୍ରମ କରି ଖଟିଆରେ ବୋହି ବିସିଂପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସରେ ବୋରିଗୁମ୍ମା ମେଡ଼ିକାଲ ନିଆଯାଇଥିଲା। ରତନଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ସେ ଏବେ ବୋରିଗୁମ୍ମା ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ରାଣିଗଡ଼ ଗାଁକୁ ରାସ୍ତା ନଥିବାରୁ ୩ଟି ପାହାଡ଼ ଅତିକ୍ରମ କରି ଯିବାକୁ ହୁଏ। ସେହି ଅଞ୍ଚଳକୁ ଭଲ ରାସ୍ତା ନଥିବାରୁ ଗର୍ଭବତୀ ମହିଳା ହୁଅନ୍ତୁ କିମ୍ବା ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଖଟିଆ ହିଁ ସାହା ଭରସା ପାଲଟିଛି।