ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ
31/01/2023 at 11:05 PM

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ଆଇଟି ଫାର୍ମ ଇନଫୋସିସ ଏବଂ ବ୍ରିଟେନର ଟ୍ୟାକ୍ସ ଏଜନ୍ସି ମଧ୍ୟରେ ମଲ୍ଟିମିଲିୟନ ପାଉଣ୍ଡ ଟିକସ ବିଲକୁ ନେଇ ବିବାଦ ଦେଖା ଦେଇଛି । ଦ ଟେଲିଗ୍ରାଫର ରିପୋର୍ଟ ଅନୁସାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶ୍ୱଶୁର ନାରାୟଣ ମୂର୍ତ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ବହୁରାଷ୍ଟ୍ରୀୟ ଫାର୍ମ ଉପରେ ୨୦୧୪ରୁ ୨୦୧୭ ମସିହା ମଧ୍ୟରେ ୨୦ ମିଲିୟନ ପାଉଣ୍ଡର ବକେୟା ରହିଛି ।
ଇନଫୋସିସ ବିବାଦକୁ ସ୍ୱୀକାର କରି କହିଛି ଯେ ଏଚଏମ ରାଜସ୍ୱ ଏବଂ ସୀମା (HMRC) ଶୁଳ୍କର ଗଣନା ବିରୋଧରେ ଆବେଦନ କରାଯାଇଛି । କମ୍ପାନି କୌଣସି ଭୁଲ କାମକୁ ଅସ୍ୱୀକାର କରିଛି ଏବଂ ଏହାସହ ଏହି ଟିକସ ନିର୍ଦ୍ଧାରଣ ସହ ଅସହମତ ଥିବା କହିଛି ।
ଏଜେନ୍ସି ଗୁଡିକ ସହ ବର୍ତ୍ତମାନ ସମୟରେ ଜାରି ଥିବା ନିର୍ଦ୍ଧିଷ୍ଟ କିଛି ବିବାଦ ଉପରେ ଇନଫୋସିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଥିରେ ଏଚଏମଆରସି ସହ ଥିବା ଟିକସ ମଧ୍ୟ ସାମିଲ ରହିଛି । କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି ଯେ ୟୁକେର ଟିକସ ଆସେସମେଣ୍ଟ ବିରୋଧରେ କମ୍ପାନି ଏକ ଆବେଦନ ଦାଖଲ କରି ଏଚଏମଆରସି ଦ୍ୱାରା ଦାବି କରାଯାଇଥିବା ପୈଠ ରାଶି ଉପରେ ରୋକ ଲଗାଇବାକୁ ଅପିଲ କରାଯାଇଛି ।
ଅନ୍ୟପଟେ ଏଚଏମଆରସି ମୁଖପାତ୍ର ଏହା ଉପରେ କୌଣସି ପ୍ରତକ୍ରିୟା ଦେବାକୁ ମନା କରିଛନ୍ତି । ଟିକସ ବିବାଦକୁ ନେଇ କଞ୍ଜରଭେଟିବ ପାର୍ଟିର ଅଧ୍ୟକ୍ଷ ପଦରୁ ନଦହୀମ ଜହାୱିଙ୍କୁ ଋଷି ସୁନକ ବିଦା କରିବାର ଗୋଟିଏ ଦିନ ପରେ ଏହି ବିବାଦ ଅଧିକ ହୋଇଛି ।
ନାରାୟଣ ମୂର୍ତ୍ତି କମ୍ପାନିର ପରବର୍ତ୍ତୀ ନେତୃତ୍ୱ ସହ ବିବାଦକୁ ନେଇ ୨୦୧୪ ମସିହାରେ ଇନଫୋସିସରୁ ଇସ୍ତଫା ଦେଇଥିଲେ । କିନ୍ତୁ ତାଙ୍କ ଝିଅ ଏବଂ ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ଏବେ ମଧ୍ୟ କମ୍ପାନିରେ ୦.୯ ପ୍ରତିଶତରୁ ଅଧିକ ମାଲିକ ଅଛନ୍ତି ।