scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କମିଛି ଅନୁପ୍ରବେଶ, ବିଛିନ୍ନତାବାଦୀ ଆନ୍ଦୋଳନ ସମ୍ପୂର୍ଣ୍ଣ ବନ୍ଦ, କେତେ ବଦଳିଛି ଜାମ୍ମୁ-କାଶ୍ମୀର ପରିସ୍ଥିତ? କୋର୍ଟଙ୍କୁ ସୂଚନା ଦେଲେ କେନ୍ଦ୍ର ସରକାର

31/08/2023 at 6:44 PM

ନୂଆଦିଲ୍ଲୀ: ୫ ଅଗଷ୍ଟ ୨୦୨୩ରେ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଇତିହାସରେ ଯେଉଁଭଳି ଏହି ଧାରା ଲାଗୁ ହୋଇଥିଲା ଠିକ୍ ସେହିଭଳି ଏହାର ଉଚ୍ଛେଦ କଲେ କେନ୍ଦ୍ରର ମୋଦୀ ସରକାର। ଧାରା ଉଚ୍ଛେଦ କରିବା ପୂର୍ବରୁ ପୂର୍ବ ପ୍ରସ୍ତୁତି ମୁତାବକ ବିପୁଳ ସେନା ମୁତୟନ ହେଲା, ବିଚ୍ଛିନ୍ନତାବାଦୀ ନେତାଙ୍କ ଗୃହବନ୍ଦୀ କରାଗଲା। ତା’ପରେ ସଂସଦରେ ଆଲୋଚନା ହେବା ସହିତ ରାଷ୍ଟ୍ରପତିଙ୍କ ଦସ୍ତଖତରେ ଧାରା ଉଠିଲା। ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇ ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବାଣ୍ଟି ଦିଆଗଲା।

ଜାମ୍ମୁ-କାଶ୍ମୀର ସରକାର ଲଦାଖବାସୀଙ୍କୁ ଗୁରୁତ୍ୱ ଦେଉ ନଥିଲେ। ସେମାନଙ୍କ ଦାବି କେହି ଶୁଣୁ ନଥିଲେ। ଏଥିପାଇଁ ସେମାନେ ବହୁଦିନ ହେଲା ଅଞ୍ଚଳକୁ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି କରାଯାଉ ବୋଲି ଦାବି କରି ଆସୁଥିଲେ। ସେମାନଙ୍କ ଦାବି ମୁତାବକ ସରକାର କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିଦେଲେ।

ଘଟଣାକୁ ୪ ବର୍ଷ ପୂରିଗଲାଣି। ଏହାରି ଭିତରେ ଜାମ୍ମୁ କାଶ୍ମୀରେ ଅନେକ କିଛି ବଦଳିଛି। ପୂର୍ବେ ଅପେକ୍ଷା ଶାନ୍ତି ତ ଫେରିଛି ହେଲେ ଆତଙ୍କବାଦ ଏବେ ବି ଜାରି ରହିଛି। ତେବେ ସେନା ଓ ଜାମ୍ମୁ-କାଶ୍ମୀର ପୁଲିସ ଶାନ୍ତି କାଏମ ରଖିବାକୁ ଉଦ୍ୟମ ଜାରି ରଖିଛି। ୨୦୧୯ ଠାରୁ ଏଠାରେ କୌଣସି ନିର୍ବାଚନ ହୋଇ ନାହିଁ। ହେଲେ ଏବେ ନିର୍ବାଚନ କରିବାକୁ ବାହାରିଛନ୍ତି କେନ୍ଦ୍ର ସରକାର। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ହେଲେ ନିଷ୍ପତ୍ତି କେନ୍ଦ୍ର ରାଜ୍ୟ ନିର୍ବାଚନ କମିଶନଙ୍କ ହାତରେ ବୋଲି ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାରଙ୍କ ଓକିଲ ତୁଷାର ମେହେତା।

ଏଥିସହିତ ଏହି କିଛି ବର୍ଷ ଭିତରେ ଜାମ୍ମୁ-କାଶ୍ମୀର ହୋଇଥିବା ବୈପ୍ଳବିକ ପରିବର୍ତ୍ତନ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଶ୍ରୀ ମେହେତା। ଜାମ୍ମୁ-କାଶ୍ମୀରରେ ହିଂସା କମିଛି। ରୋଜଗାର ବଢ଼ିଛି। ବିଚ୍ଛିନ୍ନତାବାଦୀ ନେତାଙ୍କ ଉସ୍‌କାଇବାରେ ଯେଉଁ ଯୁବକମାନେ ଆତଙ୍କବାଦୀ ହୋଇ ମୃତ୍ୟୁ ମୁଖରେ ପଡ଼ୁଥିଲେ ଆଜି ସେମାନେ ରୋଜଗାରକ୍ଷମ ହୋଇଛନ୍ତି ବୋଲି ଶ୍ରୀ ମେହେତା କହିଛନ୍ତି।

ତୁଷାର ମେହେତା କୋର୍ଟଙ୍କୁ ସୂଚନା ଦେଇ କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ସ୍ଥିରତା କାଏମ ରଖିବା ପାଇଁ ୨୦୧୯ ଠାରୁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳରେ ଆତଙ୍କବାଦୀ ପ୍ରେରିତ ଘଟଣା ୪୨.୫ ପ୍ରତିଶତ, ଅନୁପ୍ରବେଶ ୯୦.୨୦ ପ୍ରତିଶତ ହ୍ରାସ ପାଇଛି। ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପଥର ଫିଙ୍ଗିବା ଘଟଣାରେ ମଧ୍ୟ ୯୨ ପ୍ରତିଶତ ହ୍ରାସ ପାଇଛି ବୋଲି ଶ୍ରୀ ମେହେତା କହିଛନ୍ତି। ସୁରକ୍ଷା କର୍ମୀଙ୍କ ମୃତ୍ୟୁ ବି ୬୯.୫କୁ ହ୍ରାସ ପାଇଛି।

କେବଳ ସେତିକି ନୁହେଁ, ଜାମ୍ମୁ-କାଶ୍ମୀରରେ ପୁଞ୍ଜି ନିବେଶକୁ ବଢ଼ାଇ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନେକ ବିକାଶମୁଳକ ପ୍ରୋଜେକ୍ଟ ଆସିଛି। ଫଳରେ ଯେଉଁ ଯୁବକମାନେ ବିଛିନ୍ନତାବାଦୀ ନେତାଙ୍କ ଦ୍ୱାରା ଭ୍ରମରେ ପଡ଼ି ଭୁଲ କାମ କରୁଥିଲେ ସେମାନଙ୍କୁ ଆଜି ନିଯୁକ୍ତି ମିଳିଛି।

ଶ୍ରୀ ମେହେତା କହିଛନ୍ତି “ ୨୦୧୮ରେ ପଥର ଫିଙ୍ଗା ଘଟଣା ଥିଲା ୧୭୬୧ । ବର୍ତ୍ତମାନ ପଥରମାଡ଼ ଘଟଣା ଆଦୌ ନାହିଁ। ଏହା ପୁଲିସ ଓ ସୁରକ୍ଷା କାରଣରୁ ନୁହେଁ, ଅନ୍ୟ କାରଣରୁ ବନ୍ଦ ହୋଇଛି। ସେହିପରି ୨୦୧୮ରେ ବିଛିନ୍ନତାବାଦୀ ନେତାମାନଙ୍କ ଦ୍ୱାରା ରାଜ୍ୟରେ ୫୨ ଥର ବନ୍ଦ ଘୋଷଣା ହୋଇଥିଲା। ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।” ୨୦୨୩ ବର୍ଷର ବର୍ତ୍ତମାନ ସୁଦ୍ଧା ୧ କୋଟି ପର୍ଯ୍ୟଟକ ଜାମ୍ମୁ-କାଶ୍ମୀର ଆସିଛନ୍ତି ବୋଲି ମେହେତା କହିଛନ୍ତି।

ପଢ଼ନ୍ତୁ-ପୁଣି ଗୁଳିକାଣ୍ଡରେ ଥରିଲା ମଣିପୁର, ଦୁଇ ଜିଲ୍ଲାର ସୀମାରେ ତିନି ଦିନରୁ ଫାୟାରିଂ, ଗଲା ଆଉ ୨ ଜଣକ ଜୀବନ

ତେବେ ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ସ୍ଥାୟୀ ନୁହେଁ। ଖୁବ୍‌ଶୀଘ୍ର ଏହାକୁ ରାଜ୍ୟମାନ୍ୟତା ଦିଆଯିବ। ଏଠାରେ ନିର୍ବାଚନ କରିବାକୁ ଆମେ ପ୍ରସ୍ତୁତ ଅଛୁ। ବର୍ତ୍ତମାନ ଜାମ୍ମୁ-କାଶ୍ମୀର ୩ଟି ପର୍ଯ୍ୟୟରେ ନିର୍ବାଚନ ହେବାକୁ ଅଛି। ପ୍ରଥମ ପଞ୍ଚାୟତ, ଦ୍ୱିତୀୟ ମ୍ୟୁନିସିପାଲଟି ଓ ତୃତୀୟ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ କମିଶନ ନିଷ୍ପତ୍ତି ନେଲେ ନିର୍ବାଚନ ହେବ ବୋଲି ତୁଷାର ମେହେତା କୋର୍ଟଙ୍କୁ ଅବଗତ କରାଇଛନ୍ତି।

   Related Posts