ଭୁବନେଶ୍ବର ୬|୮: କାଳିଆ ଯୋଜନାରେ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଅଣାଯିବ । ଖୁବ୍ ଶୀଘ୍ର ଅଯୋଗ୍ୟ ହିତାଧିକାରୀଙ୍କର ତାଲିକା ଯାଞ୍ଚ ହେବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବାକୁ ଗ୍ରାମ ପଞ୍ଚାୟତ, ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି । ଏହି କମିଟି ମାଧ୍ୟମରେ ଅଯୋଗ୍ୟ ବ୍ୟକ୍ତି ଦରଖାସ୍ତ ଦେଇପାରିବେ ।
ଅନ୍ୟ ଲୋକ ମଧ୍ୟ ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ କମିଟିକୁ ତଥ୍ୟ ଦେଇପାରିବେ । ଅଯୋଗ୍ୟ ହିତାଧିକାରୀ ଯଦି ନିଜ ଆଡୁ ଦରଖାସ୍ତ ନଦେବେ ତେବେ ତଥ୍ୟ ଅନୁଯାୟୀ ସରକାର ଯୋଗ୍ୟ ଅଯୋଗ୍ୟ ବିବେଚନା କରି ତାଲିକ ପ୍ରକାଶ କରିବ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।
ସରକାରୀ ୱେବସାଇଟରେ ୫୧ ଲକ୍ଷ ହିତାଧିକାରୀଙ୍କ ନାଁ ରହିଛି । ସେଥିରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଓ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଅଛନ୍ତି । ପ୍ରତି ଗ୍ରାମ ପଞ୍ଚାୟତ କାନ୍ଥରେ ହିତାଧିକାରୀଙ୍କ ତାଲିକା ଟଙ୍ଗା ହୋଇଛି । ଆଉ ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଅଯୋଗ୍ୟ ହିତାଧିକାରୀଙ୍କୁ ହଟାଇବା ବୋଲି କୃଷି ସଚିବ କହିଛନ୍ତି ।