ଏକାଠି ହେବେ ଶିଳ୍ପପତି ଓ ରାଜ୍ୟ ସରକାର, ଶିଳ୍ପସମୃଦ୍ଧ ଓଡ଼ିଶାର ତିଆରି ହେବ ନକ୍ସା, ପୁଞ୍ଜି ନିବେଶ କରିବେ ୧୩୦ ସଂସ୍ଥା !
29/11/2022 at 8:42 PM

ଭୁବନେଶ୍ଵର: ଏକାଠି ହେବେ ଶିଳ୍ପପତି ଓ ରାଜ୍ୟ ସରକାର। ଶିଳ୍ପସମୃଦ୍ଧ ଓଡ଼ିଶାର ତିଆରି ହେବ ନକ୍ସା। କାଲିଠାରୁ ଭୁବନେଶ୍ବରରେ ହେବ ମେକ ଇନ ଓଡ଼ିଶା କନକ୍ଲେଭ। ଏ ହେଉଛି ଭୁବନେଶ୍ବର ଜନତା ମଇଦାନର ଦୃଶ୍ୟ । ଯେଉଁଠାରେ ଦେଶର ଜଣାଶୁଣା ଶିଳ୍ପପତି ଏବଂ ରାଜ୍ୟ ସରକାର ଏକାଠି ହେବେ। ଫୋକସରେ ଅଛି ୭ ଟି ପ୍ରମୁଖ ସେକ୍ଟର। । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ୍ କରାଯାଇଛି । ଏଥିରେ୧୦୦ରୁ ଅଧିକ ଶିଳ୍ପପତି ଯୋଗ ଦେବାର ସମ୍ଭାବନା ରହିଛି।

୧୩୦ଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଆର୍ସେଲର୍ ମିତ୍ତଲ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ୍.ଏନ୍ ମିତ୍ତଲ,ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଲିମିଟେଡ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଜେଏସଡବ୍ଲୁ ଗ୍ରୁପ୍ ଚେୟାରମ୍ୟାନ ସଜନ ଜିନ୍ଦଲ, ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ,ଟାଟା ଷ୍ଟିଲ ଏମଡି ଟି ଭି ନରେନ୍ଦ୍ରନ୍ ପ୍ରମୁଖ ମଧ୍ୟ ଯୋଗ ଦେବେ। ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀ ମେକ ଇନ ଓଡ଼ିଶାର country partner ଅଛନ୍ତି। ଏଥିପାଇଁ ୧୧ ହଜାର ୬୦୦ ପଞ୍ଜିକରଣ ହୋଇଛନ୍ତି। ଏହାସହ ୧୨୪ ଜଣ ବକ୍ତା ରହିଛନ୍ତି।

ଏହାପୂର୍ବରୁ ୨୦୧୬ ଓ ୨୦୧୮ରେ ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜନ ହୋଇସାରିଛି। ୨୦୧୬ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାଵ ଆସିଥିଲା ସେଥିରୁ ୩୫ ପ୍ରତିଶତ ବାସ୍ତବ ରୂପ ନେଇଛି। ୨୦୧୮ରେ ୪ ଲକ୍ଷ ୨ ହଜାର କୋଟି ଟଙ୍କାର ପ୍ରସ୍ତାଵ ଆସିଥିଲା ସେଥିରୁ ୪୦ ପ୍ରତିଶତ ବାସ୍ତବ ରୂପ ନେଇଛି । କୋଭିଡ ସମୟରେ ବି ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଛି । ଖଣି, ପାଣି, ଜମି ଓ ବନ୍ଦର ଥିବାରୁ ଏଠି ଅଧିକ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ୨୦୨୫ ସୁଦ୍ଧା ଟେକ୍ସଟାଇଲରେ ଉତ୍ପାଦନ ଆରମ୍ଭ ହେବ ଏବଂ ୨୦୨୮ ସୁଦ୍ଧା ଆମେ ଆଲୁମିନିୟମ ଉତ୍ପାଦନରେ ପ୍ରଥମ ହେବୁ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ଏଥିପାଇଁ ରାଜ୍ୟସରକାର ନୂଆ ଶିଳ୍ପନୀତି ଆଣିବାକୁ ଯାଉଛନ୍ତି।

ମେକ୍ ଇନ ଓଡ଼ିଶା କନକ୍ଲେଭ ପାଇଁ କମିଶନରେଟ ପୋଲିସ ଉପରେ ବଡ଼ ଦାୟିତ୍ବ। କାରଣ ଦେଶ ବିଦେଶର ପ୍ରତିନିଧିମାନେ ଆସୁଛନ୍ତି। ତେଣୁ ସୁରକ୍ଷା ଉପରେ ରହିଛି ସ୍ବତନ୍ତ୍ର ଦୃଷ୍ଟି। ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତା, ହୋଟେଲ, ଜନତା ମଇଦାନ, ପାର୍କିଂ, ଟ୍ରାଫିକ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୦ ପ୍ଲାଟୁନ ପୋଲିସ ଫୋର୍ସ , ୨୧୩ ପୋଲିସ ଅଧିକାରୀ କର୍ମଚାର ଦାୟିତ୍ଵରେ ରହିବେ। ୧୨ ଏସିପି, ୩ ଆଡିସନାଲ ଡିସିପି , ୨୧ ଇନ୍ସପେକ୍ଟର , ୫୦ ଏସ.ଆଇ ଓ ଏ.ଏସ.ଆଇ ମୁତୟନ ହୋଇଛନ୍ତି।
ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ ଏହି ଶିଳ୍ପ ମହାକୁମ୍ଭ । ସାଧାରଣ ଲୋକ କେବଳ ୪ ତାରିଖ ସନ୍ଧ୍ୟାରେ ଜନତା ମଇଦାନରେ ଆସି ବୁଲିପାରିବେ। ଅନ୍ୟମାନେ କାର ପାସ ଓ ନିମନ୍ତ୍ରଣ ପତ୍ର ଦେଖାଇ ମିଟିଂକୁ ଆସିପାରିବେ ।