ସିନା ବୋରା ମର୍ଡର ମିଷ୍ଟ୍ରିରେ ଟ୍ବିଷ୍ଟ୍‌: CBIକୁ ଚିଠିଲେଖି ଜେଲରେ ଥିବା ମା’ ଇନ୍ଦ୍ରାଣୀ ମୁଖାର୍ଜୀ ଦାବି, ‘ସିନା ବଞ୍ଚିଛି,କାଶ୍ମୀରରେ ଖୋଜ’

Published By : Prameya-News7 Bureau | December 16, 2021 IST

ନୂଆଦିଲ୍ଲୀ ୧୬/୧୨ : ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବେ ଚକିତ କରିବା ଭଳି ଦାବି କରିଛନ୍ତି । ତାଙ୍କ ଝିଅ ସିନା ବୋରା ଜୀବିତ ଅଛନ୍ତି ବୋଲି ଦାବିକରିଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ । ସେ ଏହା ମଧ୍ୟ କହିଛନ୍ତି ଯେ ସିନା କାଶ୍ମୀରରେ ଅଛନ୍ତି । ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏଭଳି ବିସ୍ମିତ କରିବା ଭଳି ତଥ୍ୟ ରଖିଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ ।

ସିବିଆଇ ନିର୍ଦ୍ଦେଶକଙ୍କୁ ଲେଖିଥିବା ଏକ ଚିଠିରେ ଇନ୍ଦ୍ରାଣୀ କହିଛନ୍ତି ଯେ, ନିକଟରେ ଜେଲରେ ଜଣେ ମହିଳା ତାଙ୍କୁ ଭେଟ କରିଥିଲେ ।  ଜେଲରେ ଭେଟି ଇନ୍ଦ୍ରାଣୀଙ୍କୁ ଉକ୍ତ ମହିଳାଜଣକ କହିଥିଲେ ଯେ, ସିନା ବୋରା ଜୀବିତ ଏବଂ ସେ ଏବେ କାଶ୍ମୀରରେ ଅଛନ୍ତି । ସେ ନିଜେ ତାଙ୍କୁ ଦେଖିଥିବା ସୂଚନା ଦେଇଥିଲେ । ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ କାଶ୍ମୀରରେ ସିନା ବୋରାଙ୍କୁ ଖୋଜିବା ପାଇଁ ସିବିଆଇ ନିର୍ଦ୍ଦେଶକଙ୍କୁ କହିଛନ୍ତି। ଝିଅର ହତ୍ୟାକାଣ୍ଡ ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀ ମୁଖ୍ୟ ଅଭିଯୁକ୍ତ ଏବଂ ସେ ୨୦୧୫ ମସିହାରୁ ମୁମ୍ବାଇର ବାୟକୁଲ୍ଲା ଜେଲରେ ରହିଛନ୍ତି।

ଇନ୍ଦ୍ରାଣୀ ମୁଖାର୍ଜୀ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ କିନ୍ତୁ ଗତମାସରେ ବମ୍ବେ ହାଇକୋର୍ଟ ଏହାକୁ ଖାରଜ କରିଥିଲେ । କୁହାଯାଉଛି ଯେ ବର୍ତ୍ତମାନ ଇନ୍ଦ୍ରାଣୀ ଜାମିନ ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି । ବାସ୍ତବରେ ଇନ୍ଦ୍ରାଣୀ ମୁଖାର୍ଜୀ ତିନୋଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ସ୍ବାମୀଙ୍କ ଠାରୁ ଏକ ଝିଅ ରହିଛି । ଯାହାଙ୍କ ନାଁ ଥିଲା ସିନା ବୋରା । କୁହାଯାଉଛି ଯେ, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ତୃତୀୟ ସ୍ବାମୀ ପିଟର ମୁଖାର୍ଜୀଙ୍କର ପୁଅ ସହିତ ଇନ୍ଦ୍ରାଣୀଙ୍କ ପ୍ରଥମ ସ୍ବାମୀଙ୍କ ଝିଅ ସିନା ବୋରାଙ୍କର ଆଫେୟାର ଥିଲା ।  ଏଥିରେ ଉଭୟ ଇନ୍ଦ୍ରାଣୀ ଏବଂ ପିଟର ମୁଖାର୍ଜୀ ଖୁସି ନଥିଲେ ।

ଏପ୍ରିଲ୍ ୨୦୧୨ରେ, ୨୪ ବର୍ଷୀୟା ସିନାଙ୍କର ମୁମ୍ବାଇ ନିକଟ ଏକ ଜଙ୍ଗଲରେ କାର ଭିତରେ ଗଳାକାଟି ହତ୍ୟା କରାଯିବା ସହିତ ଶବକୁ ରାୟଗଡ ଜିଲ୍ଲାରେ ଫିଙ୍ଗିଦିଆଯାଇଥିଲା । ୨୦୧୫ ମସିହାରେ ହତ୍ୟାକାଣ୍ଡ ସାମ୍ନାକୁ ଆସିବା ପରେ ଇନ୍ଦ୍ରାଣୀଙ୍କ ବ୍ୟତୀତ ତାଙ୍କ ଡ୍ରାଇଭର ଶ୍ୟାମଭର ରାୟ ଏବଂ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କୁ ମଧ୍ୟ ମୁମ୍ବାଇ ପୋଲିସ ଗିରଫ କରିଥିଲା । ପରେ ଇନ୍ଦ୍ରାଣୀଙ୍କ ସ୍ୱାମୀ ପିଟରଙ୍କୁ ଏହି ମାମଲାରେ ଅଭିଯୁକ୍ତ କରାଯାଇଥିଲା ଏବଂ ପରେ ଗିରଫ କରାଯାଇଥିଲା । ପରେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ମାମଲାରେ ୨୦୧୫ମସିହାରୁ ଇନ୍ଦ୍ରାଣୀ ମୁଖାର୍ଜୀ ମୁମ୍ବାଇର ବାଇକୁଲ୍ଲା ଜେଲରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.