‘ପଠାନ୍’କୁ ନେଇ ହିନ୍ଦୁବାଦୀ ସଂଗଠନର ବିରୋଧ ପ୍ରଦର୍ଶନ, ଇନ୍ଦୋରରେ ଫାଷ୍ଟ ଶୋ’ ବାତିଲ
25/01/2023 at 1:06 PM

ମୁମ୍ଵାଇ ୨୫।୦୧: କିଙ୍ଗ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନ ରିଲିଜ୍ ହୋଇଛି। ଏହା ହେଉଛି ୨୦୨୩ର ବଡ ଚଳଚ୍ଚିତ୍ର । ଯେଉଁଥି ପାଇଁ ଆଡଭାନ୍ସ ବୁକିଂର ରେକର୍ଡ ଭାଙ୍ଗିଛି। ଗୋଟିଏ ପଟେ ପ୍ରଶଂସକମାନେ ପଠାନଙ୍କୁ ଦେଖିବାକୁ ଆଗ୍ରହି ଥିଲେ। ପ୍ରେକ୍ଷାଳୟ ବାହାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ଏବଂ ସେଠାରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଅନ୍ୟ ପଟେ ହିନ୍ଦୁ ସଂଗଠନ ପ୍ରେକ୍ଷାଳୟକୁ ଯାଇ ଫିଲ୍ମ ବିରୋଧରେ ପ୍ରଦର୍ଶନ କରିବାକୁ ଯାଇଛନ୍ତି। ଲାଗୁଛି ଯେପରି ଫିଲ୍ମର ପରିସ୍ଥିତି ତିକ୍ତ ହେବାର ସମ୍ଭାବନା ରହିଛି।

ଦୀର୍ଘ ୪ ବର୍ଷର ପରେ ଶାହରୁଖ ଖାନ ବଡ ପରଦାରେ କମବ୍ୟାକ୍ କରୁଛନ୍ତି। ଏହି ଫିଲ୍ମରେ ଶାହାରୁଖଙ୍କୁ ରୋମାନ୍ସ ଏବଂ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ । ହେଲେ ଯେତେବେଳେ କି ଇନ୍ଦୋରରେ, ହିନ୍ଦୁ ସଂଗଠନ ଗୁଡ଼ିକ ଥିଏଟର ବାହାରେ ହନୁମାନ ଚାଳିସିଆ ପାଠ କରିଥିଲେ। ଏହି ସମୟରେ ହିନ୍ଦୁ ସଂଗଠନର ବହୁ ସଂଖ୍ୟକ କର୍ମୀ ହାତରେ ବାଡ଼ି ଧରି ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇଥିଲେ। ବହୁ ସଂଖ୍ୟାରେ ପୋଲିସ ଫୋର୍ସ ଘଟଣାସ୍ଥଳରେ INOX ଥିଏଟର ବାହାରେ ଏକାଠି ହୋଇଥିଲେ ।

ଏହି ଫିଲ୍ମକୁ ବିରୋଧ କରି ଥିଏଟର ଅପରେଟରମାନଙ୍କୁ ସକାଳ ୯ ଟା ସୋ ବାତିଲ କରିବାକୁ ପଡିଲା। ଏନେଇ ହିନ୍ଦୁ ସଂଗଠନର ଜଣେ ଅଧିକାରୀ କହିଛନ୍ତି ଯେ ଭଗବା ରଙ୍ଗର ଗୀତକୁ ହଟାଇ ଦିଆଯାଇଛି। କିନ୍ତୁ ଶାହାରୁଖଙ୍କ ଏହି ସବୁ କାର୍ଯ୍ୟ ହିନ୍ଦୁ ସମାଜର ଭାବନାକୁ ଆଗାତ ପହଞ୍ଚାଇବ । ଏଥିପାଇଁ ସେ ଫିଲ୍ମକୁ ରିଲିଜ୍ କରିବାକୁ ଦେବେ ନାହିଁ । ଏହା ପୂର୍ବରୁ ଥିଏଟର ସଞ୍ଚାଳକଙ୍କୁ ଫିଲ୍ମ ରିଲିଜ୍ ନ କରିବାକୁ ନୋଟିସ୍ ମଧ୍ୟ ଦିଆଯାଇଥିଲା । ଏହା ସତ୍ତ୍ୱେ ଫିଲ୍ମ ପଠାନ ଇନ୍ଦୋରର ଅନେକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରାଯାଇଛି। କିନ୍ତୁ ବର୍ତ୍ତମାନ ତାହା ଘଟିବ ନାହିଁ। ଏହି ଚଳଚ୍ଚିତ୍ରକୁ ସିନେମା ହଲରେ ଚାଲିବାକୁ ଦିଆଯିବ ନାହିଁ । ଏନେଇ ହିନ୍ଦୁ ସଂଗଠନ ଚେତାବନୀ ଦେଇଛନ୍ତି।