ଇନ୍ଦୋର ମନ୍ଦିର ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୩୫କୁ ବୃଦ୍ଧି
31/03/2023 at 8:32 AM

ନୂଆଦିଲ୍ଲୀ, ୩୧/୦୩: ମଧ୍ୟପ୍ରଦେଶ ଇନ୍ଦୋରରେ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରରେ କୂଅ ଛାତ ଭୁଶୁଡ଼ିବା ଘଟଣାରେ ବଢ଼ିଲା ମୃତକଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁଯାୟୀ ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ି ୩୫ ହୋଇଛି। ୧୮ ଜଣ ଏବେବି ଆହତ ଅଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲଗାତାର ସ୍ଥିତି ଉପରେ ନଜର ରଖିଛନ୍ତି। ଇନ୍ଦୋର ଜିଲ୍ଳାପାଳ ଡା.ଇଲିଆରାଜା ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଅଛନ୍ତି। ସେନା, ଏନଡିଆରଏଫ ଏବଂ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଇନ୍ଦୋରର ପଟେଲ ନଗର ଅଞ୍ଚଳରେ ଗତକାଲି ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରରେ ରାମନବମୀ ଅବସରରେ ହୋମ କାର୍ଯ୍ୟକ୍ରମ ଚାଲିଥିଲା। ଯାହାକୁ ଦେଖିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ସମୟରେ ମନ୍ଦିରରେ ଥିବା ଏକ ପୁରୁଣା କୂଅର ଛାତ ଉପରେ ଶ୍ରଦ୍ଧାଳୁ ଜମା ହୋଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମନ୍ଦିର ପୁରାତନ କୂଅ ଉପରେ ଛାତ ପକାଯାଇ ତିଆରି ହୋଇଥିଲା। ଛାତ ଲୋକଙ୍କ ଓଜନ ସମ୍ଭାଳିପାରିନଥିଲା। ଫଳରେ ଭୁଶୁଡ଼ି ପଡ଼ିଥିଲା। ୪୦ ଫୁଟ୍ ଗଭୀର କୂଅରେ ଚାରିରୁ ପାଞ୍ଚ ଫୁଟ୍ ପାଣି ଥିଲା। ଏହି ମନ୍ଦିର ପ୍ରାୟ ୬୦ ବର୍ଷ ପୁରୁଣା।
ଅଧିକାରୀଙ୍କ ଅନୁଯାୟୀ, ଏନଡିଆରଏଫ୍ ଏବଂ ଏସଡିଆରଏଫଙ୍କ ସହ ୭୦ ଯବାନଙ୍କ ଟିମ୍ ଅପରେସନରେ ଲାଗି ରହିଛନ୍ତି। କୂଅ ପାଣି ଖାଲି କରାଯାଉଛି। ଏବଂ ଘଟଣା ନିଖୋଜ୍ ବ୍ୟକ୍ତିଙ୍କ ଖୋଜ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତକଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।