ସ୍ଵଚ୍ଛତାରେ ପୁଣି ଥରେ ବାଜି ମାରିଲା ଇନ୍ଦୋର, ଜାଣନ୍ତୁ ଆପଣଙ୍କ ସହର ତାଲିକାରେ ଅଛି କି ନାହିଁ

Published By : Prameya-News7 Bureau | October 01, 2022 IST

ନୂଆଦିଲ୍ଲୀ: ସ୍ଵଚ୍ଛ ସର୍ବେକ୍ଷେଣ ୨୦୨୨ରେ ପୁଣି ଥରେ ବାଜି ମାରିଲା ଇନ୍ଦୋର। ଲଗାତାର ଷଷ୍ଠ ଥର ଇନ୍ଦୋର ଦେଶର ସବୁଠୁ ସ୍ଵଚ୍ଛ ସହରର ମାନ୍ୟତା ପାଇଛି। ଦ୍ଵିତୀୟରେ ରହିଛି ଗୁଜରାଟର ସୁରଟ ଏବଂ ତୃତୀୟରେ ନବି ମୁମ୍ବାଇ। ଭାରତର ସବୁଠୁ ସ୍ଵଚ୍ଛ ମେଗା ସିଟିର ମାନ୍ୟତା ଗୁଜରାଟ୍‌ର ଅହମ୍ମଦାବାଦକୁ ମିଳିଛି। ସେହିପରି ସ୍ଵଚ୍ଛ ମଧ୍ୟମ ସହର  ହିସାବରେ ମହୀଶୂର ପ୍ରଥମ ସ୍ଥାନରେ ରହିଛି ଏବଂ ସ୍ଵଚ୍ଛ ଛୋଟ ସହର  ହିସାବରେ ପ୍ରଥମ ସ୍ଥାନରେ ଦିଲ୍ଲୀ ରହିଛି।

ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ସ୍ଵଚ୍ଛ ସର୍ଭେକ୍ଷେଣ ଆଓ୍ଵାର୍ଡ ୨୦୨୨କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି, ଏହା ଦୁନିଆର ସବୁଠୁ ବଡ ସ୍ଵଚ୍ଛତା ସର୍ଭେ। ୨୦୧୬ରେ ୭୩ ସହରରେ ସ୍ଵଚ୍ଛତାକୁ ନେଇ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା। କିନ୍ତୁ ୨୦୨୨ରେ ୪୩୫୫ ସହର ଏହି ସ୍ଵଚ୍ଛ ସର୍ଭେରେ ଅଂଶଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଉପସ୍ଥିତ ଥିଲେ।

ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଇନ୍ଦୋର ବାଜି ମାରିଛି। ଦ୍ଵିତୀୟରେ ସୁରଟ ଏବଂ ତୃତୀୟରେ ରହିଛି ନବି ମୁମ୍ବାଇ। ଷଷ୍ଠରେ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ରହିଛି। ଏକ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ପ୍ରଥମ ସ୍ଥାନରେ ମହାରାଷ୍ଟ୍ରର ପଞ୍ଚଗନୀ ରହିଛି। ଦ୍ଵିତୀୟରେ ଛତିଶଗଡର ପାଟନା ଏବଂ ତୃତୀୟରେ ମହାରାଷ୍ଟ୍ରର କରାଡ ସହର ରହିଛି। ରାଜସ୍ଥାନ-ମହାରାଷ୍ଟ୍ରକୁ ପଛରେ ପକାଇ ମଧ୍ୟ ପ୍ରଦେଶ ଦେଶର ସବୁଠୁ ସ୍ଵଚ୍ଛ ରାଜ୍ୟରେ ପରିଣତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.