ଅରୁଣାଚଳ ପ୍ରଦେଶ : ଆସାମ ରାଇଫଲ୍ସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଆହତ

Published By : Prameya-News7 Bureau | August 09, 2022 IST

ନୂଆଦିଲ୍ଲୀ ୦୯/୦୮: ଅରୁଣାଚଳ ପ୍ରଦେଶର ଭାରତ-ମିଆଁମାର ସୀମାରେ ଆତଙ୍କବାଦୀଙ୍କ ଆକ୍ରମଣ । ସୀମାରେ ଆସାମ ରାଇଫଲ୍ସର ଟିମରେ ଉପରେ ଉଗ୍ରବାଦୀମାନେ ଗୁଳିମାଡ କରିଛନ୍ତି । ଏହାର ପାଲଟା ଜବାବ ମଧ୍ୟ ଯବାନମାନେ ଦେଇଛନ୍ତି ।

ସୂଚନାନୁସାରେ, ମଙ୍ଗଳବାର ସକାଳେ ତୀରପ ଚାଙ୍ଗଲାଙ୍କ୍ ଜିଲ୍ଲାରେ ଉଗ୍ରବାଦୀମାନେ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କ ହାତରେ ଗଭୀର ଆଘାତ ଲାଗିଛି ।

ଭାରତ ସହ ସଂଲଗ୍ନ ମିଆଁମାର ସୀମା ଶାନ୍ତ ଦେଖାଯାଉଥିଲେ ବି ପ୍ରକୃତରେ ଏହା ଏପରି ନୁହେଁ । ଏଠାରେ ପାକିସ୍ତାନ ସୀମା ଭଳି ସ୍ଥିତି ନାହିଁ । କିନ୍ତୁ ଉତ୍ତର ପୂର୍ବର ବିଦ୍ରୋହୀ ସଙ୍ଗଠନ ଏଠାରେ ସକ୍ରିୟ ଅଛନ୍ତି । ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ପିସି ନାୟର ନିକଟରେ କହିଥିଲେ ଯେ, ଆଞ୍ଚଳିକବାଦକୁ ଭିତ୍ତି କରି ଅସ୍ତ୍ର ଉଠାଇବା ସଦସ୍ୟ ଉତ୍ତରପୂର୍ବ ସୀମାରେ ସକ୍ରିୟ ଅଛନ୍ତି । ଉଲଫା, କେଏଲଓ ଓ ମଣିପୁରର ବିଦ୍ରେୀହୀ ସଙ୍ଗଠନ ସହିତ ଆଉ କିଛି ସଙ୍ଗଠନ ଏଠାରେ ନିଜର ନେଟଓ୍ୱର୍କ ସ୍ଥାପନ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏଠାରେ ଅନେକ ସମୟରେ ହିଂସାକାଣ୍ଡ ଘଟିଛି । କିଛି ମାସ ତଳେ ଉତ୍ତରପୂର୍ବରେ ବିଦ୍ରୋହୀ ସଙ୍ଗଠନର ଆକ୍ରମଣରେ ଜଣେ ବରିଷ୍ଠ ସୈନ୍ୟ ଅଧିକାରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.