ନୂଆଦିଲ୍ଲୀ: ୧୯୭୮ ମସିହାର କଥା। କ୍ଷମତାଚ୍ୟୁତ ପରେ ଜେଲରେ ଥାଆନ୍ତି ଇନ୍ଦିରା ଗାନ୍ଧୀ। ଏମର୍ଜେନ୍ସି ଯନ୍ତ୍ରଣାରୁ ମୁକୁଳୁଥାଏ ଦେଶ। ଠିକ୍ ସେହି ସମୟରେ ଏମିତି ଏକ ଘଟଣା ଘଟିଲା ଯାହା ଦେଶକୁ ଥରାଇ ଦେଇଥିଲା। କାନ୍ଦାହାର ବିମାନ ହାଇଜ୍ୟାକ୍। ଖେଳନା ବନ୍ଧୁକ ଓ କ୍ରିକେଟ୍ ବଲ ଦେଖାଇ ୧୨୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନର ଅପହରଣ। ଆଉ ଏହି ପୂରା ଘଟଣାର ମାଷ୍ଟରମାଇଣ୍ଡ ଥିଲେ ଇନ୍ଦିରାଙ୍କ ସମର୍ଥକ ଭୋଳାନାଥ ପାଣ୍ଡେ। ଭୋଳାନାଥ ତାଙ୍କ ଘନିଷ୍ଠ ବନ୍ଧୁ ଦେବେନ୍ଦ୍ର ପାଣ୍ଡେଙ୍କ ସହ ଏପରି କାର୍ଯ୍ୟ କରିଥିଲେ। ଏହି ଘଟଣା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱ ପାଇଁ ପାଲଟିଥିଲା ଚର୍ଚ୍ଚାର ବିଷୟ।
କାନ୍ଦାହାରର ହାଇଜ୍ୟାକକୁ ନେଇ ପୁଣିଥରେ ସାମନାକୁ ଆସିଛି ଭୋଳାନାଥଙ୍କ ନାଁ। ନିକଟରେ କାନ୍ଦାହାର ବିମାନ ଅପହରଣକୁ ନେଇ ନିର୍ମିତ ୱେବ୍ ସିରିଜ ‘IC814’ରେ ହିନ୍ଦୁଙ୍କୁ ଆତଙ୍କବାଦୀ ଭାବେ ଚିତ୍ରଣ ନେଇ ତେଜିଛି ବିବାଦ। ଓ୍ୱେବ ସିରିଜ୍ରେ ଭୋଳାନାଥଙ୍କୁ ଆତଙ୍କବାଦୀ ଭାବେ ଦର୍ଶାଯାଇଛି। ଭୋଳାନାଥ ପାଣ୍ଡେଙ୍କ କାହାଣୀ। ଯିଏ ତାଙ୍କ ବନ୍ଧୁ ଦେବେନ୍ଦ୍ର ପାଣ୍ଡେଙ୍କ ସହ ଖେଳନା ବନ୍ଧୁକ ଏବଂ କ୍ରିକେଟ୍ ବଲ ସାହାଯ୍ୟରେ ବିମାନକୁ ଅପହରଣ କରି ନେଇଥିଲେ।
ଏହି ଉଭୟ ଯୁବକ ଇନ୍ଦିରା ଗାନ୍ଧୀଙ୍କ ଥିଲେ ବଡ଼ ସମର୍ଥକ। ଇନ୍ଦିରା ଗାନ୍ଧୀଙ୍କୁ ଜେଲରେ ଦେଖି ସେ ଅତ୍ୟନ୍ତ ଦୁଃଖିତ ଥିଲେ। ଇନ୍ଦିରାଙ୍କୁ ଯେକୌଣସି ସ୍ଥିତିରେ ଜେଲରୁ ମୁକ୍ତ କରିବାକୁ ଚାହୁଁଥିଲେ ଏମାନେ। ଭାବିଥିଲେ ଯେ ଯଦି ସେମାନେ ବିମାନ ଅପହରଣ କରନ୍ତି ତେବେ ଇନ୍ଦିରା ଗାନ୍ଧୀଙ୍କୁ ମୁକ୍ତ କରିବାକୁ ବାଧ୍ୟ ହେବେ ସରକାର।
ଉଭୟ ଯୁବକ ବିମାନରେ ଚଢିଲେ। ବିମାନଟି ଉଡ଼ାଣ ଭରିବା ମାତ୍ରେ ସେମାନେ ଖେଳନା ବନ୍ଧୁକ ଦେଖାଇ ପାଇଲଟଙ୍କୁ ଧମକ ଦେଇଥିଲେ। ତାଙ୍କ ପାଖରେ ଏକ କ୍ରିକେଟ୍ ବଲ୍ ମଧ୍ୟ ଥିଲା ଯାହାକୁ ସେ ବୋମା ବୋଲି କହିଥିଲେ। ଭୟରେ ଯୁବକଙ୍କ କଥାକୁ ମାନିନେଇଥିଲେ ଉଭୟ ପାଇଲଟ୍।
ଯୁବକମାନେ ପାଇଲଟଙ୍କୁ ଇନ୍ଦିରା ଗାନ୍ଧୀଙ୍କ ନିକଟକୁ ନେବାକୁ କହିଥିଲେ। କିନ୍ତୁ ସରକାର ତାଙ୍କ ଦାବିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଯୁବକମାନଙ୍କୁ ମନାଇବା ପାଇଁ ଚେଷ୍ଟା କରି ଆତ୍ମସମର୍ପଣ କରିବାକୁ କହିଥିଲେ। ଅନେକ ଘଣ୍ଟା ପରେ ସେମାନେ ଆତ୍ମସମର୍ପଣ କରିବାକୁ ରାଜି ହୋଇଥିଲେ କିନ୍ତୁ ଇନ୍ଦିରା ଗାନ୍ଧୀଙ୍କୁ ଜେଲରୁ ମୁକ୍ତ କରାଯାଇନଥିଲା।
ଏହି ଘଟଣା ଦେଶରେ ସୃଷ୍ଟି ହୋଇଥିଲା ହଇଚଇ। ସାମାନ୍ୟ ଖେଳଣା ବନ୍ଧୁକ ଏବଂ କ୍ରିକେଟ୍ ବଲ ଦେଖାଇ କେହି ଜଣେ ବିମାନକୁ ହାଇଜାକ୍ କରିପାରିବ, ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଅପରପଟେ ଏହି ଘଟଣା ପରେ ନିଜ ନେତାଙ୍କ ପ୍ରତି ସମର୍ଥକ କେତେ ଉତ୍ସର୍ଗୀକୃତ ତାହା ଚର୍ଚ୍ଚା ହୋଇଥିଲା।
ରିପୋର୍ଟ ଅନୁଯାୟୀ, ଇନ୍ଦିରା ଗାନ୍ଧୀଙ୍କୁ ଜେଲରୁ ବାହାର କରିବା ପାଇଁ ବିମାନକୁ ଅପହରଣ କରିଥିବା ଭୋଳାନାଥ ପାଣ୍ଡେଙ୍କୁ ପର ସମୟରେ ମିଳିଥିଲା ବଡ଼ ଅଫର। ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ଦେଇଥିଲା କଂଗ୍ରେସ। ସଞ୍ଜୟ ଗାନ୍ଧୀଙ୍କ ଖାସ୍ ସହଯୋଗୀ କୁହାଯାଉଥିବା ଭୋଳାନାଥ ପାଣ୍ଡେ ଦୁଇ ଦୁଇ ଥର ଉତ୍ତରପ୍ରଦେଶର ଦୋଆବା ବିଧାନସଭା ଆସନରୁ ହୋଇଥିଲେ ବିଧାୟକ। ୨୦୧୪ରେ କଂଗ୍ରେସ ଟିକେଟରେ ସାଲେମପୁରରୁ ଲୋକସଭା ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଗତ ଅଗଷ୍ଟ ୧୪ରେ ଭୋଳାନାଥଙ୍କ ଦେହାନ୍ତ ହୋଇଥିଲା। ଭୋଳାନାଥ ପାଣ୍ଡେଙ୍କୁ ପାଳିତ ସନ୍ତାନ ପରି ଦେଖୁଥିଲେ ଇନ୍ଦିରା ଗାନ୍ଧୀ.. ଏକଥା କହିଛନ୍ତି ଭୋଳାନାଥଙ୍କ ପୁଅ ଅଭିଷେକ।