ଇଣ୍ଡିଗୋର ସଫଳତା, ଅଢେଇ ଘଣ୍ଟାରେ ଭଦୋଦରାରୁ ମୁମ୍ୱାଇରେ ହୃତ୍‌ପିଣ୍ଡ ପହଞ୍ଚାଇ ବଞ୍ଚାଇଲା ଜୀବନ

Published By : Prameya-News7 Bureau | June 13, 2022 IST

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଟିମ ଅଢେଇ ଘଣ୍ଟାରୁ କମ ସମୟରେ ସୁରକ୍ଷିତ ଭାବେ ଜୀବନ୍ତ ହୃତପିଣ୍ଡକୁ ଭଦୋଦରାରୁ ମୁମ୍ୱାଇର ଗ୍ଲୋବାଲ ହସ୍ପିଟାଲରେ ପଞ୍ଚାଇବାରେ ସଫଳ ହୋଇଛି। ଏହି ଜୀବିତ ଅଙ୍ଗକୁ ହସ୍ପିଟାଲରେ ପହଞ୍ଚାଇବାରେ ଇଣ୍ଡିଗୋ ଏୟାରଲାଇନ୍ସକୁ ତିନି ଘଣ୍ଟାରୁ ମଧ୍ୟ କମ ସମୟ ଲାଗିଥିଲା। ଏଥିପାଇଁ ଇଣ୍ଡିଗୋର ସିଇଓ ରୋନୋଜୟ ଦତ୍ତ ଏହି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ କହିଛନ୍ତି, ଜୀବନ ରକ୍ଷା କରିବାର ଏହି କାମରେ ସହଭାଗୀ ହେବାର ସୁଯୋଗ ମିଳିଥିବାରୁ କମ୍ପାନି ଉତ୍ସାହିତ ଅଛି ।

ଇଣ୍ଡିଗୋ ଏୟାରଲାଇନ୍ସ ଟିମକୁ ଭଦୋଦରାରୁ ମୁମ୍ୱାଇ ଏକ ଦାନ କରାଯାଇଥିବା ହାର୍ଟ ଟ୍ରାନ୍ସପୋର୍ଟର ଦାୟିତ୍ୱ ଦିଆଯାଇଥିଲା । ଟିମ ଏହି କାମକୁ ସଫଳତାର ସହ ତୁଲାଇଥିଲା । ଏୟାରଲାଇନ୍ସର ଟିମ ତିନି ଘଣ୍ଟାର ନିର୍ଦ୍ଧାରିତ ସମୟଠୁ ବି କମ ସମୟରେ ଜୀବନ୍ତ ହୃତପିଣ୍ଡକୁ ମୁମ୍ୱାଇର ଗ୍ଲୋବାଲ ହସ୍ପିଟାଲରେ ପହଞ୍ଚାଇବାରେ ସଫଳ ହୋଇଥିଲା। ଇଣ୍ଡିଗୋ ଏୟାରଲାଇନ୍ସ ୨ ଘଣ୍ଟା ୨୨ ମିନିଟରେ ହିଁ ମୁମ୍ୱାଇରେ ପହଞ୍ଚି ଯାଇଥିଲା। ଗ୍ଲୋବାଲ ହସ୍ପିଟାଲର ଟିମ ଏହି ଟ୍ରାନ୍ସପ୍ଲାଣ୍ଟକୁ ସମ୍ଭବ କରିଥିବାରୁ ଇଣ୍ଡିଗୋ ଟିମକୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପଟେ ଇଣ୍ଡିଗୋର ସିଇଓ ରୋନୋଜୟ ଦତ୍ତ କହିଛନ୍ତି, 'ସୁରକ୍ଷିତ ଏବଂ କୁଶଳ ଲଜିଷ୍ଟିକ୍ ଜରିଆରେ ପ୍ରାପ୍ତକର୍ତ୍ତାଙ୍କୁ ସମୟରେ ଜୀବିତ ଅଙ୍ଗ(ହୃତପିଣ୍ଡ) ପଞ୍ଚାଇବାରେ ଗ୍ଲୋବାଲ ହସ୍ପିଟାଲ ଟିମର ସହାୟତା କରିଥିବାକୁ ଗର୍ବ ଅନୁଭବ କରୁଛୁ। ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ଇଣ୍ଡିଗୋ ଜଣଙ୍କ ଜୀବନ ବଞ୍ଚାଇବା ସୁଯୋଗ ପାଇଥିବାରୁ ଉତ୍ସାହିତ ଅଛି। ଏଥିରେ ସାମିଲ ଥିବା ସମସ୍ତ କ୍ରୁ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଉଛି'।

ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଇଣ୍ଡିଗୋ ସଫଳତାର ସହ ପୁନେରୁ ହାଇଦ୍ରାବାଦ ଏକ ଫୁସଫୁସ୍ ସ୍ଥାନାନ୍ତର କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.