‘ଉଡ଼ାଣ ସମୟରେ କ୍ରିପାଣ ନେବାକୁ ଦିଆଯାଉ ଅନୁମତି’, ବମ୍ବେ ହାଇକୋର୍ଟରେ ଇଣ୍ଡିଗୋ ପାଇଲଟଙ୍କ ଆବେଦନ

Published By : Prameya-News7 Bureau | December 13, 2023 IST

ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ ଇଣ୍ଡିଗୋର ଜଣେ କର୍ମଚାରୀ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି କର୍ମଚାରୀ ହାଇକୋର୍ଟରେ ଅପିଲ କରିଛନ୍ତି ଯେ, ବିମାନରେ ଉଡ଼ାଣ ସମୟରେ ସାଥିରେ କ୍ରିପାଣ ନେବାପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଉଲ୍ଲେଖଯୋଗ୍ୟ, ସିଖ୍‌ ଖାଲସାର ପାଞ୍ଚ ବିଶିଷ୍ଟ ଲକ୍ଷଣ ମଧ୍ୟରୁ ଗୋଟିଏ ହେଉଛି କ୍ରିପାଣ।

କ’ଣ ହେଉଛି ପୂରା ଘଟଣା

ଇଣ୍ଡିଗୋ ବିମାନ ସଞ୍ଚାଳନ କରୁଥିବା ଇଣ୍ଟରଗ୍ଲୋବ ଆଭିଏସନର ପାଇଲଟ ଅଙ୍ଗଦ ସିଂହ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି। ଅଙ୍ଗଦ ନିଜ ଯାଚିକାରେ ଅପିଲ୍ କରିଛନ୍ତି ଯେ, ତାଙ୍କର ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୫ ଅନୁଯାୟୀ ଧାର୍ମିକ ସ୍ବତନ୍ତ୍ରତା ରହିଛି। ତେଣୁ ତାଙ୍କୁ କ୍ରିପାଣ ନେବାର ଅଧିକାର ରହିଛି।

ତେବେ ମାମଲାରେ ଜଷ୍ଟିସ୍‌ ନିତିନ ସାମ୍ବ୍ରେ ଏବଂ ଜଷ୍ଟିସ୍‌ ଅଭୟ ମନ୍ତ୍ରୀଙ୍କ ପୀଠ ସୋମବାର କେନ୍ଦ୍ର ସରକାର ଏବଂ ଏୟାରଲାଇନକୁ ନୋଟିସ ପଠାଇ ଜବାବ ମାଗିଛନ୍ତି। ପୀଠ ମାମଲାରେ ଆଗାମୀ ଶୁଣାଣି ୨୦୨୪ ଜାନୁଆରୀ ୨୯ରେ ହେବ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରୁ ବାଙ୍ଗାଲୋର ଉଡିଲା ଇଣ୍ଡିଗୋ ବିମାନ, ପ୍ରତିଦିନ ଯୋଗାଇବା ସେବା

ରିପୋର୍ଟ ଅନୁଯାୟୀ, ସିଂଙ୍କ ଓକିଲ ସାହିଲ ଶ୍ୟାମ ଦେଓ୍ବାନୀ କହିଛନ୍ତି ଯେ, ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ବାରା ଲଗାଯାଇଥିବା ପ୍ରତିବନ୍ଧକରେ ସଂଶୋଧନର ଆବଶ୍ୟକତା ରହିଛି। କାରଣ ୧୨ ମାର୍ଚ୍ଚ ୨୦୨୨ରେ ସରକାର ସିଖ୍‌ ଯାତ୍ରୀଙ୍କୁ ଏକ ବିଶେଷ ଆକାରର କ୍ରିପାଣ ନେଇଯିବାକୁ ଅନୁମତି ଦେଇଥିଲେ। ବର୍ତ୍ତମାନ ବିମାନ ବନ୍ଦର କିମ୍ବା ଏୟାଲାଇନ୍ସରେ କାମ କରୁଥିବା କର୍ମଚାରୀଙ୍କୁ କ୍ରିପାଣ ନେବାକୁ ଅନୁମତି ନାହିଁ। ଯାଚିକାରେ ଅଙ୍ଗଦ ଦାବି କରିଛନ୍ତି ଯେ, ଏହି ନିୟମ ତାଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.