ମରିସସ୍‌ ଓ ଶ୍ରୀଲଙ୍କାରେ ଆରମ୍ଭ ହେଲା ଭାରତୀୟ ୟୁପିଆଇ ପେମେଣ୍ଟ ସର୍ଭିସ୍; ପ୍ରଧାନମନ୍ତ୍ରୀ କହିଲେ-ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ: ଫ୍ରାନ୍ସ ପରେ ଶ୍ରୀଲଙ୍କା ଓ ମରିସସ୍‌ରେ ଆରମ୍ଭ ହେଲା ଭାରତୀୟ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ସେବା। ସୋମବାର ଏକ ଭିଡିଓ କନଫେରନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି।

ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ  ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଓ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନୌଥ ମଧ୍ୟ ସାମିଲ୍ ହୋଇଥିଲେ। ଦୁଇ ଦେଶ ସହିତ ଭାରତ ଅର୍ଥନୈତିକ ସମ୍ପର୍କ ସୁଦୃଢ଼ କରିବାକୁ ଯୋଜନା କରିଥିବା ବେଳେ ଆରମ୍ଭ ହୋଇଥିବା ୟୁପିଆଇ ସେବା ଏ ଦିଗରେ ସହଯୋଗ କରିବ।   

ବିଦେଶରେ ୟୁପିଆଇ ପେମେଣ୍ଟ ସେବା ଆରମ୍ଭ ହେବା ପରେ ଏବେ ପର୍ଯ୍ୟଟକଙ୍କୁ ପେମେଣ୍ଟ ପାଇଁ କୌଣସି ସମସ୍ୟା ହେବ ନାହିଁ। ଶ୍ରୀଲଙ୍କା ଓ ମରିସସ୍ ଯାଉଥିବା ଭାରତୀୟ ପର୍ଯ୍ୟଟକ କିମ୍ବା ସେମାନଙ୍କ ପର୍ଯ୍ୟଟକ ଭାରତ ଆସିଲେ ସହଜରେ ପେମେଣ୍ଟ କରିପାରିବେ।

ପଢ଼ନ୍ତୁ-ଭାରତରେ ସେମିକଣ୍ଡକ୍ଟର ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ ଇସ୍ରାଏଲ୍ କମ୍ପାନୀ ଟାୱର

ଏହି ସେବାର ଶୁଭାରମ୍ଭ କଲା ବେଳେ ମୋଦୀ କହିଛନ୍ତି “ ଏହାଦ୍ୱାରା ଆମ( ଭାରତ ମରିସସ୍‌ ଓ ଶ୍ରୀଲଙ୍କା) ଭିତରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ। ମୁଁ ଦୃଢ଼ ବିଶ୍ୱାସ ଯେ ଯେଉଁଠି ୟୁପିଆଇ ସେବା ଥିବା ଭାରତୀୟ ପର୍ଯ୍ୟଟକ ସେଠାକୁ ଯିବାକୁ ପସନ୍ଦ କରିବେ।”

ଆର୍ଥିକ କ୍ଷେତ୍ରରେ ଗତବର୍ଷ ଉଭୟ ଶ୍ରୀଲଙ୍କା ରାଷ୍ଟ୍ରପତି ଓ ମରିସସ୍‌ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। ମୋର ବିଶ୍ୱାସ ଅଛି ଯେ ଏଥିରେ ଦୁଇ ଦେଶ ଲାଭବାନ ହେବ ବୋଲି ମୋଦୀ କହିଛନ୍ତି। ଏଥିସହିତ ଡିଜିଟାଲ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଭାରତରେ କିଭଳି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା ମୋଦୀ କହିଥିଲେ। ଚଳିତ ମାସ ଆରମ୍ଭରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ଥିବା ଏଫିଲ ଟାୱରରେ ଏହି ସେବା ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.