ନୂଆଦିଲ୍ଲୀ ୧୮/୧୦: କ୍ରିକେଟର ୩ ଫର୍ମାଟରୁ ଟେଷ୍ଟ ସଂପୂର୍ଣ୍ଣ ଭିନ୍ନ । ଟେଷ୍ଟରେ ଯେଉଁ ରୋମାଞ୍ଚ, ତାହା ଅନ୍ୟ ଦୁଇ ଫର୍ମାଟରେ ନାହିଁ । ପ୍ରତି ବଲ୍ରେ ଜଣେ ବ୍ୟାଟର ଦେଇଥାନ୍ତି ନିଜ ଧୈର୍ଯ୍ୟର ପରୀକ୍ଷା । ଜଣେ ବୋଲର ନିଜର କଳା କୌଶଳରେ ବ୍ୟାଟରଙ୍କ ଧୈର୍ଯ୍ୟ ଭଙ୍ଗ କରିବାର ପ୍ରୟାସ କରନ୍ତି ।
ବ୍ୟାଟର-ବୋଲରଙ୍କ ମଧ୍ୟରେ ଲଢ଼େଇକୁ କୁହାଯାଏ ‘ବିୟୁଟି ଅଫ୍ ଟେଷ୍ଟ କ୍ରିକେଟ୍’ । ସମୟ ଅଭାବ ହେଉ କିମ୍ବା ଟି-ଟ୍ୱେଣ୍ଟିର ଦ୍ରୁତ ପ୍ରସାର, ବହୁ ମାତ୍ରାରେ ଦର୍ଶକଙ୍କୁ ଟେଷ୍ଟ ବିମୁଖ କରାଇଛି । ମାତ୍ର ୨୦୨୧ରେ ଗାବାରେ ଭାରତ ଐତିହାସିକ ବିଜୟ ପରେ ଭାରତୀୟ ପ୍ରଶଂସକଙ୍କ ବଢିଛି ଆଗ୍ରହ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳର ଶୋଚନୀୟ ପରାଜୟକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ଫ୍ୟାନ୍ସ ।
ନଭେମ୍ୱର ୨୨ରୁ ବର୍ଡର ଗାଭାସ୍କର ଟ୍ରଫି । ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟ୍ରଫି ପାଇଁ ମହାଲଢେଇ । ସଭିଁଙ୍କ ଟାର୍ଗେଟ ବର୍ଡର ଗାଭାସ୍କର ଟ୍ରଫି । ବଢୁଛି କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା । କାରଣ ଏହା କେବଳ ସିରିଜ୍ ନୁହେଁ, ଲଢିବେ ବିଶ୍ୱ କ୍ରିକେଟର ଦୁଇ ଟେଷ୍ଟ ମହାଶକ୍ତି । ୨୦୨୦-୨୧ରେ ଗାବାରେ ଜୋରଦାର ଲଢିଥିଲା ଭାରତ ।
ଏବେବି ମନେ ପଡ଼ିଲେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖେଳିଯାଏ ଶିହରଣ । କିନ୍ତୁ ୨୦୨୪ ବର୍ଡ ଗାଭାସ୍କର ଟ୍ରଫି ବଢାଇଛନ୍ତି ଅନେକ ଉତ୍କଣ୍ଠା । ଘରୋଇ ଦଳକୁ ସାମ୍ନା କରିବାକୁ ଏଥର ରଣନୀତି ଟିକେ ହଟ୍କେ । କେବଳ ପ୍ଲେୟାର ନୁହେଁ କୋଚ୍ ବି ଆକ୍ଟିଭ ମୁଡରେ । ନେଟ୍ସରେ ଧୁମ ଝାଳ ବୁହାଉଛନ୍ତି ଖେଳାଳି ।
ଅଷ୍ଟ୍ରେଲିଆ ଓ ଭାରତର ଦୁଇ କିମ୍ବଦନ୍ତୀ ଆଲାନ ବର୍ଡର ଏବଂ ସୁନୀଲ ଗାଭାସ୍କରଙ୍କ ନାମରେ ଆରମ୍ଭ ହୋଇଥିଲା ବର୍ଡର-ଗାଭାସ୍କର ଟ୍ରଫି ।ଦିଲ୍ଲୀରେ ଖେଳାଯାଇଥିଲା ଗୋଟିଏ ଟେଷ୍ଟକୁ ଜିତିଥିଲା ଭାରତ । ୭ ୱିକେଟ୍ରେ ଜିତି ହାତେଇଥିଲା ଟ୍ରଫି । ସେବେଠାରୁ ଆୟୋଜନ ହେଉଛି ଏହି ସିରିଜ । ଗୋଟିଏ ଡ୍ର’ ରହିଥିବାବେଳେ ଅବଶିଷ୍ଟ ସିରିଜ ଜିତିବାରେ ସଫଳ ହୋଇଥିଲା ଅଷ୍ଟ୍ରେଲିଆ । ସବୁଠୁ ବଡ଼ କଥା ହେଉଛି ୨୦୧୬-୧୭ରୁ ଟ୍ରଫି ଭାରତରେ ରହିଛି । ଏଥର ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପୂର୍ବରୁ ୨,୩ ଓ ୪ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାର ନଜିର ରହିଛି ।
ଏଥର ୨୦୨୪-୨୫ ସିରିଜକୁ ୫ ମ୍ୟାଚ୍ ବିଶିଷ୍ଟ କରାଯାଇଛି । ପ୍ରଥମ ଟେଷ୍ଟ, ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ ପର୍ଥରେ । ଗୋଟିଏ ଅଭ୍ୟାସ ମ୍ୟାଚ୍ ପରେ ପୁଣି ଡିସେମ୍ବର ୬ ତାରିଖରୁ ଆଡିଲେଡ୍ରେ (ଦିବାରାତ୍ର) ଦ୍ୱିତୀୟ ଟେଷ୍ଟ, ୧୪ରୁ ବ୍ରିସବେନରେ ଦ୍ୱିତୀୟ, ୨୬ରୁ ମେଲବର୍ଣ୍ଣରେ ଚତୁର୍ଥ ଏବଂ ଜାନୁଆରୀ ୩ରୁ ସିଡ୍ନୀରେ ପଞ୍ଚମ ଟେଷ୍ଟ ହେବାର କାର୍ଯ୍ୟକ୍ରମ ରହିଛି । ୨୦୨୦-୨୧ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ୨-୧ରେ ଜିତିଥିଲା ସିରିଜ । ୨୦୨୨-୨୩ରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସି ୨-୧ରେ ସିରିଜ ପରାଜିତ ହୋଇଥିଲା ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ନମ୍ୱର ଓ୍ୱାନ ପୋଜିସନରେ ଟିମ୍ ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆର ପରସେଣ୍ଟେଜ ପଏଣ୍ଟ ୬୨.୫୦ ରହିଥିବାବେଳେ ଭାରତର ଅଛି ୫୮.୩୩ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିବାକୁ ହେଲେ ଦଳକୁ ୪-୦ କିମ୍ବା ୫-୦ରେ ବର୍ଡର-ଗାଭାସ୍କର ସିରିଜ ଜିତିବାକୁ ପଡ଼ିବ ।
ଫଳରେ ଭାରତର ପରସେଣ୍ଟେଜ ପଏଣ୍ଟ ୬୫ ହୋଇପାରିବ । ଯଦି ଭାରତ ହାରେ ତେବେ ଶ୍ରୀଲଙ୍କା କିମ୍ବା ଦକ୍ଷିଣ ଆଫ୍ରିକାକୁ ମିଳିପାରେ ଏହି ଚାନ୍ସ । ଯଦି ଭାରତ ୪-୦ କିମ୍ବା ୫-୦ରେ ସିରିଜ ଜିତିନପାରେ ତେବେ ଅନ୍ୟ ଦଳମାନଙ୍କର ଫଳାଫଳ ଉପରେ ଫାଇନାଲ ଖେଳିବାର ନିର୍ଭର କରିବ ଭାଗ୍ୟ । ଏ ସିରିଜ୍ ଭାରତୀୟ ଦଳ ପାଇଁ ‘କର ବା ମର’ ଭଳି ରହିଛି । ପ୍ରତି ମ୍ୟାଚ୍ ନଜିତିଲେ ହାତଛଡା ହୋଇପାରେ ସୁଯୋଗ ।