ଦେଶରେ କମିଛି ବେକାରୀ ହାର; ୪ ମାସ ତୁଳନାରେ ଜାନୁଆରୀରେ ସର୍ବନିମ୍ନ, ଓଡ଼ିଶାର ଭଲ ପ୍ରଦର୍ଶନ
1/02/2023 at 11:21 PM

ନୂଆଦିଲ୍ଲୀ: ଭାରତରେ ବେକାରୀ ସମସ୍ୟା ହ୍ରାସ ପାଇଛି। ଗତ ୪ ମାସ ତୁଳନାରେ ଜାନୁଆରୀରେ ବେକାରୀ ହାର ସର୍ବନିମ୍ନ ରହିଛି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି(CMIEM)ର ରିପୋର୍ଟ ଅନୁସାରେ ଜାନୁଆରୀରେ ବେକାରୀ ହାର ୭.୧୪ ପ୍ରତିଶତ ସ୍ତରକୁ ଖସିଛି। ବୁଧବାର CMIEM ଏହି ରୋପୋର୍ଟ ଦେଇଛି ।
୨୦୨୨ ଡିସେମ୍ବର ମାସରେ ଦେଶରେ ବେକାରୀ ହାର ୮.୩୦ ପ୍ରତିଶତ ଥିଲା। ତା ପୂର୍ବରୁ ନଭେମ୍ବରରେ ୮ ପ୍ରତିଶତ ଓ ସେପ୍ଟେମ୍ବର ୬.୪୩ ପ୍ରତିଶତ ଥିଲା ବୋଲି CMIEM ସୂଚନା ଦେଇଛି। ତେବେ ତଥ୍ୟ ଅନୁସାରେ, ଦେଶରେ ସହରାଞ୍ଚଳରେ ବେକାରୀ ସମସ୍ୟା ଅଧିକ ରହିଛି। ଜାନୁଆରୀ ମାସରେ ସହରାଞ୍ଚଳରେ ବେକାରୀ ସମସ୍ୟା ୮.୫୫ ପ୍ରତିଶତ ରହିଥିବା ବେଳେ ଗ୍ରାମାଞ୍ଚଳରେ ବେକାରୀ ହାର ୬.୪୮ ପ୍ରତିଶତ ରହିଛି।
ଏହି ରାଜ୍ୟରେ ବେକାରୀ ସମସ୍ୟା ଅଧିକ ?
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବେକାରୀ ହାରକୁ ଦେଖିଲେ ଜାମ୍ମୁ-କାଶ୍ମୀରରେ ବେରୋଜଗାରୀ ହାର ଅଧିକ। ଏଠାରେ ବେରୋଜଗାରୀ ହାର ୨୧.୮ ପ୍ରତିଶତ ରହିଛି। ତା ପଛକୁ ହରିଆଣାରେ ୨୧.୭ ପ୍ରତିଶତ ଏବଂ ରାଜସ୍ଥାନରେ ୨୧.୧ ପ୍ରତିଶତ ବେରୋଜଗାରୀ ସମସ୍ୟା ରହିଛି ବୋଲି CMIEM ରିପୋର୍ଟରୁ ଜଣାପଡ଼ିଛି। ସେହିପରି ଦିଲ୍ଲୀରେ ବେରୋଜଗାରୀ ହାର ୧୬.୭ ପ୍ରତିଶତ, ଗୋଆ ୧୬.୨ ପ୍ରତିଶତ, ଆସାମ ୧୬.୧ ପ୍ରତିଶତ, ତ୍ରିପୁରା ୧୬ ପ୍ରତିଶତ ବେରୋଜଗାରୀ ହାର ରହିଛି।
ଏହିସବୁ ରାଜ୍ୟରେ ବେରୋଜଗାରୀ ହାର କମ୍
CMIEM ରିପୋର୍ଟ ଅନୁସାରେ, କିଛି ରାଜ୍ୟରେ ନିଯୁକ୍ତି ସଂଖ୍ୟା ଆଖିଦୃଶିଆ ରହିଛି। ଏହି ରାଜ୍ୟଗୁଡ଼ିକରେ ବେରୋଜଗାରୀ ସଂଖ୍ୟା କମ୍। ରିପୋର୍ଟ ଅନୁସାରେ, ଛତିଶଗଡ଼ରେ ବେରୋଜଗାରୀ ହାର ୦.୫ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ୧.୫ ପ୍ରତିଶତ, ତାମିଲନାଡୁରେ ୧.୮ ପ୍ରତିଶତ ଏବଂ ମଧ୍ୟପ୍ରଦେଶରେ ୧.୯ ପ୍ରତିଶତ ବେରୋଜଗାରୀ ହାର ରହିଛି। ଯାହା ଉପରୋକ୍ତ ରାଜ୍ୟ ତୁଳନାରେ ଅନେକ କମ୍। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ଦେଶରେ ବେରୋଜଗାରୀ ହାର କମିଛି। କିନ୍ତୁ ତଥାପି ଆମକୁ ଆହୁରି ଅନେକ ଦୂର ଯିବାର ଅଛି ବୋଲି ଟିମଲିସ୍ ସର୍ଭିସର ସହ ସଂସ୍ଥାପକ ଏବଂ କାର୍ଯ୍ୟକାରୀ ଉପାଧ୍ୟକ୍ଷ ରୁତୁପର୍ଣ୍ଣ ଚକ୍ରବର୍ତ୍ତୀ କହିଛନ୍ତି।
ସିଆଇଇଏଲ ଅଚ୍ଆର୍ ସର୍ଭିସ୍ର ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓ ଆଦିତ୍ୟ ନାରାୟଣ ମିଶ୍ର ଏ ଦିଗରେ ମତ ଦେଇ କହିଛନ୍ତି ଯେ ଗତ ୩ ମାସ ତୁଳନାରେ ୨୦୨୩ ଜାନୁଆରୀରେ ବେରୋଜଗାରୀ ହାର୍ ସର୍ବନିମ୍ନ ସ୍ତରକୁ କମିଛି। ଯାହା ଚଳିତ ବର୍ଷର ଭଲ ଆରମ୍ଭ। ତେବେ ଗତ ୬ ମାସ ହେବ ଆଇଟି ଟେକ୍ନୋଲୋଜୀ କ୍ଷେତ୍ର ପ୍ରଭାବିତ ହୋଇଆସୁଛି। ତେବେ ଆମେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ। ଯାହା ଦେଶର ନିଯୁକ୍ତ ସମସ୍ୟାକୁ ଆହୁରି ହ୍ରାସ କରିବ। ତେବେ ଚଳିତ ବଜେଟ୍କୁ ଆଦିତ୍ୟ ନାରାୟଣ ପ୍ରଶଂସା କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷୀ କ୍ଷେତ୍ରକୁ ନଜରରେ ରଖି ବଜେଟ ହୋଇଛି ବୋଲି ସେ କହିଛନ୍ତି।