୨୦୨୨-୨୩ ଆର୍ଥିକ ବର୍ଷରେ ୬ ପ୍ରତିଶତ ବଢ଼ିଛି ଦେଶର ରପ୍ତାନୀ
13/04/2023 at 7:25 PM

ନୂଆଦିଲ୍ଲୀ,୧୩/୦୪: ୨୦୨୩-୨୪ ଆର୍ଥିକ ବର୍ଷରେ ବଢ଼ିଛି ଦେଶର ରପ୍ତାନୀ। ବୁଧବାର କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୂଷ ଗୋଏଲ ଏହି ସୂଚନା ଦେଇ, ଆର୍ଥିକ ବର୍ଷ ୨୦୨୨-୨୩ରେ ରପ୍ତାନୀ ଛଅ ପ୍ରତିଶତ ବଢ଼ି ରେକର୍ଡ ୪୪୭ ବିଲିୟନ ଡଲାର ହୋଇଥିବା ନେଇ କହିଛନ୍ତି। ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୪ ପ୍ରତିଶତ ଅଧିକ। ତେବେ ବିଶେଷତଃ ପେଟ୍ରୋଲିୟମ୍, ଔଷଧ, ରସାୟନ ତଥା ସାମୁଦ୍ରିକ କ୍ଷେତ୍ରର ରପ୍ତାନୀରେ ଉତ୍ତମ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଆର୍ଥିକ ବର୍ଷ ୨୦୨୧-୨୨ରେ ରପ୍ତାନୀ ୪୨୨ ବିଲିୟନ ଡଲାର ରହିଥିଲା।
ସେହିପରି ଦେଶର ଆମଦାନୀ ମଧ୍ୟ ୨୦୨୨-୨୩ ଆର୍ଥିକ ବର୍ଷରେ ୧୬.୫ ପ୍ରତିଶତ ବଢ଼ି ୭୧୪ ବିଲିୟନ ଡଲାର ହୋଇଛି। ଯାହା ୨୦୨୧-୨୨ରେ ୬୧୩ ବିଲିୟନ ଡଲାର ରହିଥିଲା। ଗୋଏଲ କହିଛନ୍ତି ଯେ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ରପ୍ତାନୀ ନୂଆ ରେକର୍ଡ କରିଛି। ଏହି କ୍ଷେତ୍ରରେ ରପ୍ତାନୀ ୨୦୨୨-୨୩ରେ ୧୪ ପ୍ରତିଶତ ବଢ଼ି ୭୭୦ ବିଲିୟନ ଡଲାର ରହିଛି। ଆଇଟି କ୍ଷେତ୍ର ଭଳି ସେବାର ରପ୍ତାନୀ ମଧ୍ୟ ୨୦୨୨-୨୩ରେ ୨୭.୧୬ ପ୍ରତିଶତ ବଢ଼ି ୩୨୩ ବିଲିୟନ ଡଲାର ରହିଥିଲା। ଯାହା ୨୦୨୧-୨୨ ଆର୍ଥିକ ବର୍ଷରେ ୨୫୪ ବିଲିୟନ ଡଲାର ରହିଥିଲା।