ବିଦେଶରେ ବଢ଼ୁଛି ଭାରତୀୟ ଖେଳଣାର ଚାହିଦା: ଏପର୍ଯ୍ୟନ୍ତ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦୦ କୋଟି ପାର୍ କଲାଣି ବ୍ୟବସାୟ

Published By : Prameya-News7 Bureau | February 12, 2023 IST

ନୂଆଦିଲ୍ଳୀ, ୧୨/୦୨: ବିଦେଶରେ ବଢ଼ୁଛି ଭାରତୀୟ ଖେଳଣାର ଚାହିଦା। ଆଉ ଚାହିଦା ଅନୁସାରେ ଯଥେଷ୍ଟ ପରିମାଣରେ ଖେଳନା ବିଦେଶକୁ ରପ୍ତାନୀ କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ଖେଳନା ରପ୍ତାନୀ କରିଛି ଭାରତ। ଏନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସରକାରୀ ସୂଚନା ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ ରୁ ଡିସେମ୍ବର ମାସ ମଧ୍ୟରେ ଖେଳଣା ରପ୍ତାନୀ ୧,୦୧୭ କୋଟି ଛୁଇଁଛି। ବର୍ଷ ଶେଷ ବେଳକୁ ରପ୍ତାନୀ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ତେବେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଖେଳଣା ରପ୍ତାନୀ ମାତ୍ର ୨,୬୦୧ କୋଟି ଟଙ୍କା ରହିଥିଲା ବୋଲି ମନ୍ତ୍ରୀ କହିଛନ୍ତି।

ପିୟୁଷ ଗୋଏଲ କହିଛନ୍ତି ଯେ ଭାରତ ବିଶ୍ୱ ବଜାରରେ ଖେଳଣା ପହଞ୍ଚାଇବାରେ ସଫଳ ହୋଇଛି। ୨୦୧୩ ଏପ୍ରିଲ-ଡିସେମ୍ବର ତୁଳନାରେ ୨୦୨୨ ଏପ୍ରିଲ-ଡିସେମ୍ବରେ ଖେଳଣା ରପ୍ତାନୀ ୬ ଗୁଣା ବଢ଼ିଛି। ୨୦୧୩-୧୪ରେ ବିଦେଶକୁ ଖେଳାଣା ରପ୍ତାନୀ ମାତ୍ର ୧୬୭ କୋଟି ଥିଲା ବୋଲି ମନ୍ତ୍ରୀ କହିଛନ୍ତି।

ଭାରତର ଖେଳଣା ବଜାରକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ଖେଳଣା ବଜାରରେ ଚୀନର ପ୍ରଭାବ ରହିଛି। କିନ୍ତୁ ଚୀନ ଖେଳନା ଉଚ୍ଚମାନର ହୋଇ ନଥିବାରୁ ବଜାରରେ ଏହା ଅଧିକ ସମୟ ତିଷ୍ଟି ରହିପାରିବା ଦେଖାଯାଉ ନାହିଁ। ଯାହାର ଫାଇଦା ନେବାକୁ ଚାହୁଁଛି ଭାରତ। ତେଣୁ ଖେଳଣା ଆମଦାନୀ କମାଇ ଦେଶରେ ଅଧିକରୁ ଅଧିକ ଉତ୍ପାଦନ କରି ରପ୍ତାନୀ ଉପରେ ଗୁରୁତ୍ୱ ଦେଉଛନ୍ତି ଭାରତ ସରକାର।

ସୂଚନା ଅନୁସାରେ, ୨୦୧୮-୧୯ ରେ ୨୯୬୦ କୋଟିର ଖେଳଣା ଆମଦାନୀ କରିଥିଲା ଭାରତ। ହେଲେ ଖେଳଣା ମାର୍କେଟ୍‌ରେ ପ୍ରଭାବ ବିସ୍ତାର କରିବା ପାଇଁ ‘ଭୋକାଲ ଫର୍ ଲୋକାଲ’ ଆଭିମୁଖ୍ୟ ନେଇ କାମ କରିବାକୁ ଦେଶରେ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ ଭାରତ ସରକାର। ଭାରତୀୟ ସଂସ୍କୃତି ଏବଂ ଇତିହାସକୁ ଦର୍ଶାଇବା ଭଳି ଖେଳଣା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେବାକୁ ସରକାର ଅନୁରୋଧ କରିଥିଲେ। ପରିଣାମ ସ୍ୱରୁପ ଖେଳଣା ବଜାରରେ ଧୀରେ ଧୀରେ ଭାରତର ପ୍ରଭାବ ବଢ଼ୁଛି। ଏଥିପାଇଁ ବିଦେଶରୁ ଖେଳଣା ଆମଦାନୀ ପାଖାପାଖି ୭୦ ପ୍ରତିଶତ ହ୍ରାସ ପାଇଛି। ୨୦୨୧-୨୨​‌ରେ ଆମଦାନୀ ହାରାହାରି ୭୦ ପ୍ରତିଶତ ଖସି ମାତ୍ର ୮୭୦ କୋଟିକୁ ଟଙ୍କା ହୋଇଛି।

ବିଦେଶରୁ ଯେମିତ ଆମଦାନୀ କମ ହୁଏ ଏଥିପାଇଁ ୨୦୨୦ ଫେବୃଆରୀରେ ମାସରେ ଖେଳଣା ଉପରେ ଆମଦାନୀ ଶୁଳ୍କ ବଢ଼ାଇଥିଲେ କେନ୍ଦ୍ର ସରକାର। ୨୦ ପ୍ରତିଶତରୁ ୬୦ ପ୍ରତିଶତକୁ ଆମଦାନୀ ଶୁଳ୍କ ବଢାଯାଇଥିଲା। ପୁଣି ଚଳିତ ବର୍ଷ ଆମଦାନୀ ଶୁଳ୍କ ୭୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସୂଚନା ଥାଉକି ଖେଳଣାର ମାନ ଯାଞ୍ଚ ପାଇଁ ୨୦୨୦ରେ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଖେଳଣାଗୁଡ଼ିକୁ ଭାରତୀୟ ମାନକ ଆବଶ୍ୟକତାକୁ ମାନିବାକୁ ପଡ଼ିବ ଏବଂ ଲାଇସେନ୍ସ ଅଧୀନରେ ମାନକ ଚିହ୍ନ ଲଗାଇବାକୁ ପଡ଼ିବ। ଏହା ଉଭୟ ଘରୋଇ ଓ ବିଦେଶୀ ଖେଳଣା କମ୍ପାନୀ ଉପ​‌ରେ ଲାଗୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.