ଓଡ଼ିଶାରେ ୩ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଆସିଲା ବୈଦେଶିକ ମନ୍ତ୍ରାଳୟଙ୍କ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ ୫।୧: ଓଡ଼ିଶାରେ ଜଣକ ପରେ ଜଣେ ୩ ଜଣ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ରହସ୍ୟ ଗଭୀର ହେବାରେ ଲାଗିଛି। ତେବେ ଏହି ସବୁ ମୃତ୍ୟୁର ତଦନ୍ତ ହେବ ବୋଲି ଭାରତ ସରକାର ଆଶ୍ୱାସନ ଦେଇଛନ୍ତି। ଏ ନେଇ ବୈଦେଶିକ ମନ୍ତ୍ରାଳୟ ଗୁରୁବାର ବୟାନ ଦେଇଛନ୍ତି। ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ପୃଥକ ପୃଥକ ହୋଇଥିବା ମୃତ୍ୟୁକୁ ଏକ ସାଙ୍ଗରେ ଯୋଡି ଦେଖାଯାଇପାରିବନି ବୋଲି କହିଛନ୍ତି।

୩ଟି ସନ୍ଦିଗ୍ଧ ମୃତ୍ୟୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଯାହାବି ଆବଶ୍ୟକ ପଡିବ ତାହା କରାଯିବ ବୋଲି ବାଗଚୀ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ ୩ଟି ମୃତ୍ୟୁ ଅଲଗା ଅଲଗା ପରିସ୍ଥିତିରେ ହୋଇଛି। ମାମଲାର ଓଡିଶା ସରକାର ଯାଞ୍ଚ କରାଉଛନ୍ତି। ଏପର୍ଯ୍ୟନ୍ତ ଏପରି କୌଣସି କାରଣ ମିଳି ନାହିଁ ଯେଉଁଥି ପାଇଁ ୩ଟି ମୃତ୍ୟୁକୁ ଏକ ସାଙ୍ଗରେ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।

୨ ସପ୍ତାହରେ ହୋଇଛି ୩ ଋଷୀୟଙ୍କ ମୃତ୍ୟୁ
୫୧ ବର୍ଷ ବୟସ୍କ ମିଲ୍ୟାକୋଭ ସର୍ଗେଇଙ୍କ ଶବ ଜାନୁୟାରୀ ୩ ତାରିଖ ଦିନ ପାରଦ୍ୱୀପ ବନ୍ଦରରେ ଏକ ଜାହାଜରୁ ମିଳିଥିଲା। ସର୍ଗେଇ ସେହି ଜାହାଜରେ ଚିଫ ଇଞ୍ଜିନିୟର ଥିଲେ। ଜାହାଜଟି ବାଂଲାଦେଶ ଚଟଗାଓଁରୁ  ପାରାଦ୍ୱୀପ ରାସ୍ତାରେ ମୁମ୍ବାଇ ଯାଉଥିଲା। ତେବେ ଜାନୁୟାରୀ ୩ ତାରିଖ ସକାଳେ ସର୍ଗେଇ ଜାହାଜର ଚାମ୍ବରରେ ମୃତ ମିଳିଥିଲେ। ମିଲ୍ୟାକୋଭ ସର୍ଗେଇଙ୍କ ଶବ ମିଳିବା ଖବର ପାରାଦ୍ୱୀପ ବନ୍ଦରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହା ପୂର୍ବରୁ ଓଡିଶାରେ ଅନ୍ୟ ୨ ଜଣ ଋଷୀୟ ନାଗରିକଙ୍କ ସନ୍ଦିଗ୍ଧ ମୃତ୍ୟ ହୋଇଥିଲା।

ଗତ ଡିସେମ୍ବର ୨୧ ତାରିଖ ଦିନ ଋଷୀୟ ପର୍ଯ୍ୟଟକଙ୍କ ଏକ ଟିମ୍‌ ଓଡିଶା ପରିଦର୍ଶନରେ ଆସିଥିଲେ। ଏହି ଟିମ୍‌ରେ ଋଷୀୟ ସାଂସଦ ପାଭେଲ ଆଣ୍ଟୋଭ ମଧ୍ୟ ଥିଲେ। ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଆଣ୍ଟୋଭ ଜଣେ ସମାଲୋଚକ। ୟୁକ୍ରେନ ଆକ୍ରମଣ ଲାଗି ନିଷ୍ପତ୍ତିକୁ ଆଣ୍ଟୋଭ ବିରୋଧ କରିବା ସହ ପୁଟିନଙ୍କ ସମାଲୋଚନା କରିଥିଲେ। ଭାରତ ଭ୍ରମଣ ସୌକିନ ଋଷୀୟ ସାଂସଦ ଆଣ୍ଟୋଭ ତାଙ୍କର ୩ ସାଥୀଙ୍କ ସହ ଗତ ଡିସେମ୍ବର ୨୧ ତାରିଖ ଦିନ ଓଡିଶାର ରାୟଗଡାରେ ଏକ ହୋଟେଲରେ ଚେକ୍‌ ଇନ୍‌ କରିଥିଲେ।  ତେବେ ପରଦିନ ଆଣ୍ଟୋଭଙ୍କ ସାଙ୍ଗରେ ଆସିଥିବା ଋଷୀୟ ପର୍ଯ୍ୟଟକ ଭ୍ଲାଦିମୀର ବିଡେନୋଭଙ୍କୁ ହୋଟେଲର ତାଙ୍କ ରୁମ କକ୍ଷରେ ଅଚେତ ଅବସ୍ଥାରେ ପଡିଥିବା ଦେଖାଯାଇଥିଲା। ତାଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଓଡିଶାରେ ହିଁ ବିଡେନୋଭଙ୍କ ଅନ୍ତିମ ସଂସ୍କାର କରିଦିଆଯାଇଥିଲା। ଏହି ଅନ୍ତ୍ୟେଷ୍ଟିରେ ସାଂସଦ ଆଣ୍ଟୋଭ ମଧ୍ୟ ଯୋଗ ଦେଇଥିଲେ। ତେବେ ଡିସେମ୍ବର ୨୪ ତାରିଖ ଦିନ ଆଣ୍ଟୋଭଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କୁହାଯାଉଛି ସେ ବିଲ୍ଡିଂର ତୃତୀୟ ମହଲାରୁ ଖସିପଡିଥିଲେ। ତାଙ୍କର ମଧ୍ୟ ରାୟଗଡାରେ ମୃତ୍ୟୁ ହୋଇଥିଲା। ଏଣୁ ରାୟଗଡାରେ ତାଙ୍କର ଦାହ ସଂସ୍କାର କରିଦିଆଯାଇଥିଲା। ଓଡିଶାରେ ତାଙ୍କର ଦାହ ସଂସ୍କାର କରିବା ପାଇଁ ତାଙ୍କ ପୁଅ କହିଥିବାର ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.