ଜାନୁଆରୀରେ ମୁଦ୍ରାସ୍ଫୀତି ହାର ୬.୫୨ ପ୍ରତିଶତ, ଟପିଲା RBIର ଧାର୍ଯ୍ୟ ଲକ୍ଷ୍ୟ
13/02/2023 at 6:28 PM

ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତି ଜାନୁଆରୀରେ ବଢି ତିନି ମାସର ସର୍ବୋଚ୍ଚ ସ୍ତର ୬.୫୨ ପ୍ରତିଶତରେ ପହଞ୍ଚିଛି । ବର୍ଷର ପ୍ରଥମ ମାସ ଜାନୁଆରୀ ପାଇଁ କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ ଅର୍ଥାତ୍ ସିପିଆଇ ଡାଟା ଜାରି କରାଯାଇଛି । ଜାନୁଆରୀରେ ମୁଦ୍ରାସ୍ଫୀତି ହାର ୬.୫୨ ପ୍ରତିଶତରେ ପହଞ୍ଚିଛି, ଯାହା ଡିସେମ୍ୱର ୨୦୨୨ରେ ୫.୭୨ ପ୍ରତିଶତ ଥିଲା । ଏହା ରିଜର୍ଭ ବ୍ୟାଙ୍କର ୬ ପ୍ରତିଶତର ସର୍ବୋଚ୍ଚ ସ୍ତରକୁ ପାର କରିଛି ।
ଗତ ମାସରେ ଗ୍ରାମୀଣ ମୁଦ୍ରାସ୍ଫୀତି ହାର ମାସିକ ଆଧାରରେ ୬.୯୫ ପ୍ରତିଶତରୁ ବଢି ୬.୮୫ ପ୍ରତିଶତରେ ପହଞ୍ଚିଥିଲା । ସେହିପରି ସହରୀ ମୁଦ୍ରାସ୍ଫୀତି ହାର ମାସିକ ଆଧାରରେ ୬.୦ ପ୍ରତିଶତ ହୋଇଛି । ଅନ୍ୟପଟେ ଫୁଡ୍ ଇନଫ୍ଲାସନ ଅର୍ଥାତ ଖାଦ୍ୟ ମୁଦ୍ରାସ୍ଫୀତି ହାର ୪.୧୯ ପ୍ରତିଶତରୁ ବଢି ୫.୯୪ ପ୍ରତିଶତ ହୋଇଛି । କୋର୍ ଇନଫ୍ଲାସନ ରେଟ୍ ୬.୧ ପ୍ରତିଶତରେ ରହିଛି ।
୨୦୨୩ ଜାନୁଆରୀରେ ଦୁଗ୍ଧ ଏବଂ ଏହାର ଉତ୍ପାଦ ଉପରେ ମୂଲ୍ୟ ବୃଦ୍ଧିର ପ୍ରଭାବ ମୁଦ୍ରାସ୍ଫୀତି ଉପରେ ଦେଖିବାକୁ ମିଳିଛି । ଦୁଗ୍ଧ ଏବଂ ଏହାର ଉତ୍ପାଦର ମୁଦ୍ରାସ୍ଫୀତି ହାର ୮.୭୯ ପ୍ରତିଶତ ରହିଥିଲା । ମସଲା ଗୁଡିକରେ ମଧ୍ୟ ଦରବୃଦ୍ଧି ଦେଖିବାକୁ ମିଳିଛି, ଏହି ହାର ୨୧.୦୯ ପ୍ରତିଶତ ରହିଥିଲା । ସେହିପରି ମାଛ ଏବଂ ମାଂସର ମୁଦ୍ରାସ୍ଫୀତି ହାର ୬.୦୪ ପ୍ରତିଶତ, ଅଣ୍ଡାର ୮.୭୮ ପ୍ରତିଶତ ରହିଥିଲା । ପନିପରିବାର ଦରବୃଦ୍ଧି ହାର ୧୧.୭୦ ପ୍ରତିଶତ ରହିଥିଲା । ଫଳ ଗୁଡିକର ମୁଦ୍ରାସ୍ଫୀତି ହାର ୨.୯୩ ପ୍ରତିଶତ ରହିଥିଲା ।