ଯେପର୍ଯ୍ୟନ୍ତ ଆତଙ୍କବାଦ ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ କୌଣସି କଥାବାର୍ତ୍ତା ହେବ ନାହିଁ: ପାକ୍ ପ୍ରଧାନମନ୍ତ୍ରୀଙ୍କ ‘ଶାନ୍ତି’ ବୟାନ ଉପରେ ଭାରତର ପ୍ରତିକ୍ରିୟା

Published By : Prameya-News7 Bureau | January 19, 2023 IST

ନୂଆଦିଲ୍ଲୀ, ୧୯/୦୧: ‘ଯେପର୍ଯ୍ୟନ୍ତ ଆତଙ୍କବାଦ ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ କୌଣସି କଥାବାର୍ତ୍ତା ହେବ ନାହିଁ’... ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଦେଇଥିବା ‘ଶାନ୍ତି’ ବୟାନର ଏଭଳି ଜବାବ୍‌ ରଖିଛି ଭାରତ। ପ୍ରକୃତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ ଭାରତ ସହ ଶାନ୍ତିରେ ରହିବାକୁ ଚାହୁଥିବା ନେଇ କହିଥିଲେ। ଆଉ ପାକିସ୍ତାନର ଏହି ବୟାନକୁ ନେଇ ଭାରତ ପ୍ରଥମ ଥର ନିଜର ଜବାବ୍ ରଖିଛି। ଭାରତ ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ ଭାବରେ କହିଛି, ଯେପର୍ଯ୍ୟନ୍ତ ଆତଙ୍କବାଦ ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ କୌଣସି କଥାବାର୍ତ୍ତା ହେବ ନାହିଁ।

ରିପୋର୍ଟ ଅନୁଯାୟୀ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ‘ଆମେ ବି ପାକିସ୍ତାନ ସହ ସ୍ବଭାବିକ ସମ୍ପର୍କ ଚାହୁଛୁ। କିନ୍ତୁ ଭାରତ ସବୁବେଳେ ଆତଙ୍କବାଦକୁ ବିରୋଧ କରିଆସୁଛି। ମିଡିଆ ରିପୋର୍ଟ ଅନୁଯାୟୀ ପାକ୍‌ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ଆମେ ବୁଦ୍ଧି ଶିଖିଲୁ। ଏବେ ସେ ଭାରତ ସହ ଶାନ୍ତିରେ ରହିବାକୁ ଚାହୁଛି। ଏତିକି ନୁହେଁ ପିଏମ ଶରିଫ୍ ଏହା ମଧ୍ୟ କହିଥିଲେ ଯେ ଉଭୟ ପଡ଼ୋଶୀ ଦେଶକୁ ବୋମା ଏବଂ ଗୋଳାବାରୁଦରେ ନିଜର ସାଧନକୁ ନଷ୍ଟ କରିବା ଦରକାର ନାହିଁ।

ସୂଚନା ଅନୁଯାୟୀ, ସୋମବାର ଦୁବାଇରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ ଏକ ସ୍ଥାନୀୟ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତକାର ସମୟରେ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂପର୍କ କାଶ୍ମୀର ପ୍ରସଙ୍ଗ ଏବଂ ସୀମା ପାର୍‌ରୁ ଆସୁଥିବା ଆତଙ୍କବାଦକୁ ନେଇ ପରିସ୍ଥିତି ଚିନ୍ତାଜନକ ରହିଛି। ସେ କହିଥିଲେ ଭାରତ ସହ ଆମର ତିନି ଯୁଦ୍ଧ ହୋଇଛି। ଏଥିରେ ଆମ ଲୋକଙ୍କୁ ଦୁଃଖ, ଦାରିଦ୍ର୍ୟତା ଏବଂ ବେକାରୀର ସାମ୍ନା କରିବାକୁ ପଡ଼ୁଛି।

ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାର୍ତ୍ତା ରହିବ ଯେ ଆମେ ଏକାଠି ବସି କଶ୍ମୀର ଭଳି ପ୍ରସଙ୍ଗରେ ସାମଧାନ ସଚ୍ଚୋଟ ଭାବରେ କଥାବାର୍ତ୍ତା ହୋଇ କରିବାକୁ ପଡ଼ିବ। ଆମେ ଦାରିଦ୍ର୍ୟତା କମ୍ କରିବାକୁ ଚାହୁଛୁ ଏବଂ ଆମ ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଦେବାକୁ ଚାହୁଛୁ।

ସେପଟେ ଏହି ଘଟଣାରେ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଯେ ଆମେ ପାକିସ୍ତାନ ପିଏମ ଶହବାଜ ଶରିଫଙ୍କ ଏକ ସାକ୍ଷାତକାରରେ କରାଯାଇଥିବା ଟିପ୍ପଣୀକୁ ଦେଖିଛୁ। ଏହା ପୂର୍ବରୁ ମଧ୍ୟ ଏଭଳି ବୟାନ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.