ଦେଶରେ ବଢ଼ିଛି ବିଜୁଳି ଖର୍ଚ୍ଚ, ଗତ ଆର୍ଥିକ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ
19/03/2023 at 4:34 PM

ନୂଆଦିଲ୍ଳୀ, ୧୯/୦୩: ଦେଶରେ ବଢ଼ିଛି ବିଜୁଳି ବ୍ୟବହାର। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ଫେବ୍ରୁଆରୀ ସମୟରେ ଭାରତରେ ବିଜୁଳି ବ୍ୟବହାର ୧୦ ପ୍ରତିଶତ ବଢ଼ି ୧୩୭୫.୫୭ ବିଲିୟନ ୟୁନିଟ୍ (ବିୟୁ) ହୋଇଛି। ଯାହାକି ଆର୍ଥିକ ବର୍ଷ ୨୦୨୧-୨୨ର ସମୁଦାୟ ବିଜୁଳି ଆବଶ୍ୟକତାରୁ ଅଧିକ ରହିଛି।
ତଥ୍ୟ ଅନୁଯାୟୀ, ୨୦୨୧-୨୨ ଏପ୍ରିଲ୍-ଫେବ୍ରୁଆରୀରେ ବିଜୁଳି ବ୍ୟବହାର ୧୨୪୫.୫୪ ବିୟୁ ଥିଲା, ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ସଂପୂର୍ଣ୍ଣ ବିଜୁଳି ବ୍ୟବହାର ୧୩୭୪.୦୨ ବିୟୁ ରହିଥିଲା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆସନ୍ତା ମାସରେ ବିଶେଷ କରି ଗରମ ଦିନରେ ବିଜୁଳିର ଅଧିକ ଆବଶ୍ୟକତା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଜୁଳି ବ୍ୟବହାର ବଢ଼ିବା ନେଇ ଅନୁମାନ କରାଯାଉଛି।
ବିଜୁଳି ମନ୍ତ୍ରାଳୟ ଚଳିତ ବର୍ଷ ଏପ୍ରିଲରେ ଦେଶରେ ୨୨୯ ଗିଗାଓ୍ବାଟ ବିଜୁଳି ଆବଶ୍ୟକ ପଡ଼ିବା ନେଇ ଅନୁମାନ କରିଛି। ଏହାସହ ମନ୍ତ୍ରାଳୟ ବିଜୁଳିର ଅଧିକ ଚାହିଦା ପୂରଣ କରିବାକୁ ଅନେକ ପଦକ୍ଷେପ ଉଠାଇଛନ୍ତି ଏବଂ ରାଜ୍ୟ ଶାଖା ଗୁଡ଼ିକୁ ବିଜୁଳି କାଟ କରିବାକୁ ମନା କରିଛନ୍ତି।ମନ୍ତ୍ରାଳୟ ଥର୍ମାଲ ପାଓ୍ବାର ପ୍ଲାଣ୍ଟଙ୍କୁ ୧୬ ମାର୍ଚ୍ଚ ୨୦୨୩ ରୁ ୧୫ ଜୁନ୍ ୨୦୨୩ ମଧ୍ୟରେ ସଂପୂର୍ଣ୍ଣ କ୍ଷମତାରେ ଚଳାଇବାକୁ କହିଛନ୍ତି।