ନୂଆଦିଲ୍ଲୀ ୧୭।୪: ଭାରତର ଜନସଂଖ୍ୟାକୁ ନେଇ ୟୁନାଇଟେଡ ନେସନ ପପୁଲେସନ ଫଣ୍ଡ (ୟୁଏନଏଫପିଏ)ଙ୍କ ରିପୋର୍ଟ ଆସି ଯାଇଛି। ରିପୋର୍ଟ ଅନୁସାରେ ଭାରତର ଜନସଂଖ୍ୟା ୧୪୪କୋଟି ପାର ହୋଇଗଲାଣି, ଏଥିରେ ୦ରୁ ୧୪ ବର୍ଷ ବୟଷ୍କଙ୍କ ଜନସଂଖ୍ୟା ୨୪ ପ୍ରତିଶତ ବୋଲି ଜଣାପଡିଛି। ୟୁଏନଏଫପିଏ ବିଶ୍ୱ ଜନସଂଖ୍ୟା ସ୍ଥିତି-୨୦୨୪ ରିପୋର୍ଟରୁ ଜଣା ପଡୁଛି ଯେ ଭାରତର ଜନସଂଖ୍ୟା ୭୭ ବର୍ଷରେ ଦୁଇଗୁଣା ହୋଇଯିବ।
ରିପୋର୍ଟ ଅନୁସାରେ ଭାରତ ୧୪୪.୧୭ କୋଟି ଆନୁମାନିକ ଜନସଂଖ୍ୟା ସହିତ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି। ଭାରତ ପଛକୁ ୧୪୨.୫ କୋଟି ଜନସଂଖ୍ୟା ସହ ଚୀନ୍ ଦ୍ୱିତୀୟ ସ୍ଥାନକୁ ଖସିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୧ରେ ହୋଇଥିବା ଜନ ଗଣନା ଅନୁସାରେ ଭାରତର ମୋଟ ଜନସଂଖ୍ୟା ୧୨୧ କୋଟି ଥିଲା। ରିପୋର୍ଟ ଅନୁସାରେ ଭାରତର ୧୦-୧୯ ବର୍ଷ ଆୟୁବର୍ଗଙ୍କ ହାର ମୋଟ ଜନଶଂଖ୍ୟାର ୧୭ ପ୍ରତିଶତ।
ସେହିପରି ୨୦-୨୪ ବର୍ଷ ଆୟୁବର୍ଗଙ୍କ ହାର ୨୬ ପ୍ରତିଶତ ଥିବା ବେଳେ ୧୫-୬୪ ବର୍ଷ ବୟଷ୍କଙ୍କ ହାର ୬୮ ପ୍ରତିଶତ।
ଏହା ଛଡା ଭାରତର ୭ ପ୍ରତିଶତ ଜନସଂଖ୍ୟା ୬୫ ବର୍ଷ ଓ ଏହାଠୁ ଅଧିକ ଆୟୁବର୍ଗର ହୋଇଥିବା ବେଳେ ଏଥିରେ ପୁରୁଷଙ୍କ ଜୀବନ ପ୍ରତ୍ୟାଶା(ଲାଇଫ ଏକ୍ସପେକ୍ଚାଂସୀ) ୭୧ ବର୍ଷ ହୋଇଥିବା ବେଳେ ମହିଳାଙ୍କର ୭୪ ବର୍ଷ ବୋଲି ସୂଚିତ କରାଯାଇଛି।
ରିପୋର୍ଟ ଅନୁସାରେ ଭାରତରେ ମାତୃ ମୃତ୍ୟୁ ହାରରେ ଆଶାଜନକ ହ୍ରାସ ଦେଖାଯାଇଛି। ଯାହା ବିଶ୍ୱରେ ହେଉଥିବା ଏପରି ମୃତ୍ୟୁର ୮ ପ୍ରତିଶତ ବୋଲି ଜଣାପଡିଥିବା ବେଳେ ଭାରତର ଏହି ସଫଳତାର ଶ୍ରେୟ ସରକାରଙ୍କ ଶସ୍ତା ଓ ସୁଲଭ ସ୍ୱାସ୍ଥ୍ୟ ସେବାକୁ ଦିଆଯାଇଛି।