ପ୍ରଥମ ଥର ପାଇଁ ଏତେ ବିଳମ୍ୱ, ୨୦୨୪ ପରେ ହୋଇପାରେ ଜନଗଣନା !

Published By : Prameya-News7 Bureau | January 10, 2023 IST

ନୂଆଦିଲ୍ଲୀ: ଦେଶରେ ପ୍ରତି ୧୦ ବର୍ଷରେ ଥରେ ହେଇ ଆସୁଥିବା ଜନଗଣନାକୁ ପୁଣି ଥରେ ସ୍ଥଗିତ କରି ଦିଆଯାଇଛି । ୨୦୧୧ ମସିହା ପରେ ୨୦୨୧ରେ ଏହି ପ୍ରକ୍ରିୟା ହେବାର ଥିଲା, କିନ୍ତୁ କରୋନା ଯୋଗୁଁ ଏହାକୁ ସ୍ଥଗିତ କରି ଦିଆଗଲା । ପରେ ୨୦୨୨ ମସିହାରେ ଜନଗଣନା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ତାହା ହେଲା ନାହିଁ, ଏହାରି ଭିତରେ ଏବେ ସଂକେତ ମିଳୁଛି ଯେ ୨୦୨୪ ଲୋକସଭା ନିର୍ବାଚନ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ । କେନ୍ଦ୍ର ସରକାର ୨୦୧୯ରେ ଜନଗଣନା ପାଇଁ ୮,୭୫୪ କୋଟି ଟଙ୍କା ବଜେଟ୍ ଆବଣ୍ଟିତ କରିଥିଲେ । ଦୁଇଟି ପର୍ଯ୍ୟାୟରେ ଏହା ହୋଇଥାନ୍ତା, ପ୍ରଥମ ରାଉଣ୍ଡ ୨୦୨୦ ଏପ୍ରିଲରୁ ସେପ୍ଟେମ୍ୱର ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୦୨୧ରେ ଫେବ୍ରୁଆରୀରେ କରିବା ନେଇ ଯୋଜନା ଥିଲା । କିନ୍ତୁ କରୋନା ପାଇଁ ସବୁ ସ୍ଥଗିତ ରହିଗଲା ।

ଏବେ ସରକାରୀ ସୂତ୍ର ଅନୁସାରେ ଦେଶର ପ୍ରଥମ ଡିଜିଟାଲ ଜନଗଣନା ସାଧାରଣ ନିର୍ବାଚନ ପରେ ହେବ । ଭାରତରେ ବ୍ରିଟିଶକାଳରେ ୧୮୭୨ ମସିହାରେ ପ୍ରଥମ ଥର ଜନଗଣନା ହୋଇଥିଲା । ଏହାପରେ ୧୫୦ ବର୍ଷ ଯାଏଁ ନିୟମିତ ଭାରେ ପ୍ରତି ୧୦ ବର୍ଷରେ ଜନଗଣନା ହୋଇଥିଲା । ୧୯୪୧ରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ, ୧୯୬୧ରେ ଚୀନ ସହ ଯୁଦ୍ଧ ଏବଂ ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମ ସମୟରେ କିଛି ବାଧା ସୃଷ୍ଟି ହୋଇଥିଲା, କିନ୍ତୁ ଜନଗଣନା କେବେ ବନ୍ଦ ହୋଇ ନଥିଲା ।

ଜନଗଣନାରେ ଦେଶରେ ମୋଟ ଜନସଂଖ୍ୟାର ଗଣତି ହୋଇଥାଏ । ଏହାଛଡା ଶିକ୍ଷାର ସ୍ତର, ହାଉସିଂ, ଲୋକଙ୍କ ଆର୍ଥିକ ସ୍ଥିତି, ମୃତ୍ୟୁ ଏବଂ ଜନ୍ମ ହାର, ଭାଷା, ଧର୍ମ, ଦିବ୍ୟାଙ୍ଗ ଏବଂ ଅନ୍ୟ ସାମାଜିକ-ଆର୍ଥିକ ଦିଗ ଉପରେ ଡାଟା ପ୍ରସ୍ତୁତ କରାଯାଇଥାଏ । ଏହା ଦେଶର ସବୁଠୁ ବଡ଼ ଡାଟାବେସ ହୋଇଥାଏ । ତେବେ ସରକାର ଆସନ୍ତା ଗନଗଣନା ଡିଜିଟାଲରେ କରିବାକୁ ସରକାର ଯୋଜନା କରିଛନ୍ତି । ଏହାଦ୍ୱାରା ଡାଟା ମ୍ୟାନେଜ ସହଜ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.