ଦେଶରେ ବଢୁଛି ମୁଣ୍ଡ ପିଛା ଆୟ, ୨୦୧୪-୧୫ ତୁଳନାରେ ହୋଇଛି ଦ୍ୱିଗୁଣା
5/03/2023 at 8:51 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱଧିନ ସରକାର ୨୦୧୪-୧୫ରେ କ୍ଷମତାକୁ ଆସିବା ପରଠୁ ବର୍ତ୍ତମାନ ମୂଲ୍ୟରେ ଦେଶର ପ୍ରତି ବ୍ୟକ୍ତି ଆୟ ଦୁଇ ଗୁଣା ହୋଇ ୧,୭୨,୦୦୦ ଟଙ୍କା ହୋଇଛି । ତେବେ ଆୟର ଅସମାନ ବିତରଣ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନ ମୂଲ୍ୟରେ ପ୍ରତି ବ୍ୟକ୍ତି ଆୟ ଆର୍ଥିକ ବର୍ଷ ୨୦୨୨-୨୩ରେ ୧,୭୨,୦୦୦ ଟଙ୍କା ହେବା ଅନୁମାନ ରହିଛି ଯାହା ୨୦୧୪-୧୫ର ୮୬,୬୪୭ ଟଙ୍କାଠାରୁ ୯୯ ପ୍ରତିଶତ ଅଧିକ ଅଟେ ।
ଅନ୍ୟପଟେ ବାସ୍ତବିକ ମୂଲ୍ୟ (ସ୍ଥିର ଦାମ)ରେ ଦେଶର ପ୍ରତି ବ୍ୟକ୍ତି ଆୟ ଏହି ଅବଧିରେ ପ୍ରାୟ ୩୫ ପ୍ରତିଶତ ବଢିଛି । ୨୦୧୪-୧୫ରେ ଏହା ୭୫,୮୦୫ ଟଙ୍କା ରହିଥିଲା ଯାହା ଆର୍ଥିକ ବର୍ଷ ୨୦୨୨-୨୩ରେ ବଢି ୯୮,୧୧୮ ଟଙ୍କା ରହିବା ନେଇ ଅନୁମାନ କରାଯାଉଛି ।
ଏନଏସଓ ଅନୁସାରେ କରୋନା କାଳରେ ପ୍ରତି ବ୍ୟକ୍ତି ଆୟ ବାସ୍ତବିକ ଏବଂ ବର୍ତ୍ତମାନ ଉଭୟ ମୂଲ୍ୟରେ ହ୍ରାସ ଘଟିଥିଲା । ତେବେ ୨୦୨୧-୨୨ ଏବଂ ୨୦୨୨-୨୩ରେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଛି । ଅର୍ଥଶାସ୍ତ୍ରୀ କହିଛନ୍ତି ଯେ ବାସ୍ତବିକ ମୂଲ୍ୟରେ ଦେଶର ମୁଣ୍ଡ ପିଛା ଆୟ ବଢିଛି ଏବଂ ଏହା ସମୃଦ୍ଧି ରୂପେ ନଜର ଆସୁଛି ।