କରୋନାରେ ବେହାଲ ଚୀନ୍‌ ଲାଗି ଏବେ ସଞ୍ଜିବନୀ ପାଲଟିଛି ଭାରତୀୟ ଔଷଧ, ବ୍ୟାନ୍‌ ସତ୍ତ୍ୱେ କଳାବଜାରରୁ କିଣୁଛନ୍ତି ଲୋକେ

Published By : Prameya-News7 Bureau | December 28, 2022 IST

ବେଜିଂ ୨୮।୧୨:  ଭାରତ ପ୍ରସ୍ତୁତ ଜେନେରିକ ଔଷଧର ଚୀନ୍‌ରେ ବିକ୍ରି ଓ ବ୍ୟବହାର ଉପରେ କଡ଼ା କଟକଣା ରହିଛି। ତେବେ କରୋନା ସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଚୀନ୍‌ ଏବେ ଅବସ ହୋଇପଡିଛି। କଟକଣା ସତ୍ତ୍ୱେ ଭାରତ ପ୍ରସ୍ତୁତ ଜେନେରିକ ମେଡିସିନର  ଏବେ ଚୀନ୍‌ରେ କଳାବଜାରୀ ହେଉଛି। କରୋନାରୁ ଉପସମ ପାଇବା ପାଇଁ ଲୋକେ ଔଷଧ କିଣି ଖାଉଥିବା ସରକାର ଜାଣୁଥିଲେ ହେଁ ଏବେ ଏଥିପ୍ରତି ମୌନ ସମ୍ମତି ଦେଇଛନ୍ତି।

ଏହା ଛଡା ଚୀନ୍‌ ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କୋଭିଡ ଚିକିତ୍ସା ଲାଗି ଆମେରିକୀୟ କମ୍ପାନୀ ଫାଇଜର ପ୍ରସ୍ତୁତ ପେକ୍ସଲୋଭିଡ୍ର ବ୍ୟାପକ ବିତରଣ ପାଇଁ ଘୋଷଣା କରିଛନ୍ତି। ଏହା ଏପରି ପ୍ରଥମ ବିଦେଶୀ ଔଷଧ ଯାହାକୁ ଚୀନ୍‌ ସରକାର ହସ୍ପିଟାଲମାନଙ୍କରେ ଉପଲବ୍ଦ କରିବାକୁ ଯୋଜନା କରିଛନ୍ତି। ଚୀନ୍‌ରେ କୋଭିଡ ଚିକିତ୍ସା ଲାଗି ଲୋକେ ମୋଟାମୋଟି ଆମେରିକୀୟ ଫାଇଜରଙ୍କ ପେକ୍ସଲୋଭିଡ( ନିର୍ମାଟ୍ରେଲଭିର) ଓ ଏଜ୍ୟୁଡିନର ଭାରତ ନିର୍ମିତ ଜେନରିକ୍ ଭର୍ସନ ପ୍ରାଇମୋଭୀର, ପେକ୍ସିଷ୍ଟା, ମଲନ୍ୟୁନେଟ୍ ଓ ମୋଲ୍ନାଟ୍ରିସ୍‌ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି।

{"id":726519,"width":841,"height":473,"sizeSlug":"full","linkDestination":"none"}

ଫାର୍ମାସ୍ୟୁଟିକାଲ ଏକ୍ସପୋର୍ଟ ପ୍ରମୋସନ କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ଶାହିଲ ମୁଞ୍ଜଲ ଚୀନ୍‌ରୁ ଲଗାତାର କୋଭିଡ ଓ ଅନ୍ୟ ଔଷଧ ମଗାଯାଉଥିବା କହୁଛନ୍ତି। ତେବେ ଏଥିରେ ଆଇବୃଫେନ ଓ ପାରାସିଟାମଲର ସବୁଠୁ ଅଧିକ ଚାହିଦା ଥିବା ସେ କହିଛନ୍ତି। ସେପଟେ ଚୀନ୍‌ ଡିଜିଜ୍ କଣ୍ଟ୍ରୋଲ ଏଣ୍ଟ ପ୍ରିଭେନସନ ସେଣ୍ଟର ଏବେ ମାସକୁ ଥରେ କୋଭିଡ ସଂକ୍ରମିତଙ୍କ ତଥ୍ୟ ଘୋଷଣା କରିବେ ବୋଲି କହିଛନ୍ତି। ଚୀନ୍‌ରେ ଏବେ କରୋନା ବିସ୍ଫୋରଣ ହେଉଛି। ଏଥିରେ ସରକାର ଏ ପର୍ଯ୍ୟନ୍ତ ଜାରି ରଖିଥିବା ଯାତ୍ରା କଟକଣା ମଧ୍ୟ  ସମାପ୍ତ କରିଦେଇଛନ୍ତି। ଚୀନ୍‌ ସବୁ ପ୍ରକାର ଯାତ୍ରା ପ୍ରତିବନ୍ଧକ ସମାପ୍ତ ଲାଗି ଘୋଷଣା କରିଛି।

ଏପରିକି ଚୀନ୍‌ ଆସିଲେ ଜରୁରି ଥିବା କ୍ୱାରେଣ୍ଟାଇନକୁ ମଧ୍ୟ ମଙ୍ଗଳବାର ସମାପ୍ତ କରିଦିଆଯାଇଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ ଏହି ଘୋଷଣା ପରେ ପରେ ହଜାର ହଜାର ଚୀନ୍‌ ନାଗରିକ ବିଦେଶ ଯାତ୍ରା ନିମନ୍ତେ ବିମାନ ଟିକେଟ୍‌ ବୁକିଂ କରିବା ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.