ନୂଆଦିଲ୍ଲୀ: ଭାରତର ପାମ ତେଲ ଆମଦାନୀ ୭୪ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷ ମେ ମାସରେ ୭,୬୩,୩୦୦ ଟନ ପାମ ତେଲ ଆମଦାନୀ କରାଯାଇଛି। ଯାହା ଗତ ବର୍ଷ ସମାନ ସମୟରେ ୪,୩୯,୧୭୩ ଟନ ଆମଦାନୀ ହୋଇଥିଲା।
ବିଶ୍ୱର ସବୁଠାରୁ ଅଧିକ ବନସ୍ପତି ତେଲ ଆମଦାନୀକାରୀ ଦେଶ ଚାହିଦା ପୂରଣ ରିବା ପାଇଁ ସାମଗ୍ରୀ ଷ୍ଟକ୍ କରି ରଖିଛି ବୋଲି ଗୁରୁବାର ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ(ଏସ୍ଇଏ) କହିଛି।
ଚଳିତ ବର୍ଷ ମେ ମାସରେ ମୋଟ ବନସ୍ପତି ତେଲ ଆମଦାନୀ ୧୫.୨୯ ଲକ୍ଷ ଟନ ହୋଇଛି। ଗତବର୍ଷ ଏହା ୧୦.୫୮ ଲକ୍ଷ ଟନ୍ ଆମଦାନୀ କରାଯାଇଥିଲା। ଭାରତରେ ପାମ ତେଲ ସବୁଠାରୁ ଅଧିକ ଆମଦାନୀ କରାଯାଏ।
ଅଶୋଧିତ ପାମ ତେଲ(ସିପିଓ) ଆମଦାନୀ ମଧ୍ୟ ବଢ଼ିଛି। ତେବେ ଚଳିତ ବର୍ଷ ମେ ମାସ ସୁଦ୍ଧା ୫,୩୨,୫୫ ଟନ୍ ଆମଦାନୀ କରାଯାଇଥିବା ବେଳେ ଗତବର୍ଷ ୩,୪୮,୧୧୮ ଟନ୍ ଆମଦାନୀ କରାଯାଇଥିଲା। ସେହିପରି ଆର୍ବିଡି(ବିଶୋଧିତ ତୈଳ) ପାମୋଲିନ ତେଲ ଆମଦାନୀ ୨,୨୫,୭୪୬ ଟନ୍ ଆମଦାନୀ କରାଯାଇଛି।
ତେବେ କ୍ରୁଡ ପାମ କର୍ଣ୍ଣେଲ ତେଲ(ସିପିକେଓ) ଆମଦାନୀ ୪,୯୯୯ ଟନ୍କୁ ହ୍ରାସ ପାଇଛି। ଗତବର୍ଷ ମେ ମାସରେ ଏହା ୫,୮୫୦ ଟନ୍ ଆମଦାନି ଥିଲା।
ସୂର୍ଯ୍ୟମୁଖୀ ତେଲ ଆମଦାନୀ ପାଖାପାଖି ଦୁଇଗୁଣା ବଢ଼ିଛି। ଗତବର୍ଷ ମେ ମାସରେ ୪,୧୦,୭୨୭ ଟନ୍ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରାଯାଇଥିଲା। ସେହିପରି ଶୋୟାବିନ ତେଲ ୩,୨୪,୦୧୬ ଟନ ଆମଦାନୀ ହୋଇଛି।
ନଭେମ୍ବର ୧ ରୁ ଆରମ୍ଭ ହୋଇଥିବା ୨୦୨୩-୨୪ ମାର୍କେଟିଂ ବର୍ଷର ପ୍ରଥମ ସାତ ମାସ ପାଇଁ ପାମୋଲିନ ତେଲ ଆମଦାନୀ ପୂର୍ବ ବର୍ଷ ୫୩.୪୮ ଲକ୍ଷ ଟନରୁ ୪୯.୭୭ ଲକ୍ଷ ଟନକୁ ହ୍ରାସ ପାଇଥିବା ବେଳେ ସୋୟାବିନ ତେଲ ଆମଦାନୀ ୯୦.୫୫ ଲକ୍ଷ ଟନ ତୁଳନାରେ ୮୫.୬୭ ଲକ୍ଷ ଟନରେ ହ୍ରାସ ପାଇଛି। ଜୁନ୍ ୧ ସୁଦ୍ଧା ଭାରତର ଖାଇବା ତେଲ ଷ୍ଟକ୍ ୬,୬୮,୦୦୦ ଟନ୍ରେ ପହଞ୍ଚିଛି।
ଏସଇଏ ଅନୁସାରେ, ଆର୍ଜେଣ୍ଟିନା, ବ୍ରାଜିଲ, ଋଷ ଏବଂ ୟୁକ୍ରେନ ପରି ପ୍ରମୁଖ ରପ୍ତାନିକାରୀଙ୍କ ଯୋଗାଣରେ ବ୍ୟାଘାତ ଯୋଗୁ ଗତ ମାସରେ ବିଶ୍ୱରେ ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଇଛି। ଏଥିରେ ଆହୁରି କୁହାଯାଇଛି ଯେ ଶୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ବୃଦ୍ଧି ଯୋଗୁ ଘରୋଇ ଶୋରିଷ ମୂଲ୍ୟରେ ସରକାରୀ ସମର୍ଥିତ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୫,୬୫୦ ଟଙ୍କାରୁ ଅଧିକ ହୋଇଯାଇଛି। ତେଣୁ ଆଗାମୀ ଖରିପ ଋତୁରେ ତୈଳଜାତ ଚାଷ ବଢ଼ିପାରେ।
ସୂଚନା ଥାଉକି ଇଣ୍ଡୋନେସିଆ ମାଲେସିଆରୁ ଭାରତ ଅଧିକ ମାତ୍ରାରେ ରିଫାଇନ ପାମୋଲିନ ଓ ସିପିଓ ତେଲ ଆମଦାନୀ କରିଥାଏ। ସେହିପରି ଆର୍ଜେଣ୍ଟିନା ଏବଂ ବ୍ରାଜିଲରୁ ସୋୟା ତେଲ ଏବଂ ଋଷ, ରୋମାନିଆ, ୟୁକ୍ରେନ ଏବଂ ଆର୍ଜେଣ୍ଟିନା ଠାରୁ ସୂର୍ଯ୍ୟମୁଖି ତେଲ ଆମଦାନୀ କରିଥାଏ।