ପ୍ୟାରିସ୍‌ରେ ଭାରତର ଯାତ୍ରା ସମାପ୍ତ, ବିନା ସ୍ଵର୍ଣ୍ଣରେ ଫିକା ରହିଲା ଅଭିଯାନ

Published By : Prameya-News7 Bureau | August 11, 2024 IST

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଦଳର ଅଭିଯାନ ୬ ପଦକ ସହ ସମାପ୍ତ ହୋଇଛି। ଏଥିରେ ଗୋଟିଏ ରୌପ୍ୟ ଓ ୫ କାଂସ୍ୟ ପଦକ ସାମିଲ। ନିରାଶର କଥା ୧୪ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ଗୋଟିଏ ବି ସ୍ଵର୍ଣ୍ଣ ପଦକ ଜିତି ପାରିଲାନି। ଯଦ୍ଵାରା ପୋଡିୟମରେ ଭାରତୀୟ ଜାତୀୟ ସଙ୍ଗୀତ ଗାନ ହୋଇ ପାରିଲା ନାହିଁ। ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଆଥଲେଟ୍  ହେଉଛନ୍ତି ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତା ଏଥର ଭାରତ ପକ୍ଷରୁ ଏକମାତ୍ର ରୌପ୍ୟ ପଦକ ଜିତିଛନ୍ତି। ଏହା ବ୍ୟତୀତ ସୁଟିଂ, ହକି ଓ କୁସ୍ତିରେ ଭାରତ ୫ କାଂସ୍ୟ ପଦକ ଜିତିଛି।

ଏହି ୬ ପଦକ ସହ ଭାରତ ପଦକ ତାଲିକାରେ ବର୍ତ୍ତମାନ ୭୧ତମ ସ୍ଥାନରେ ରହିଛି। ଟୋକିଓ ତୁଳନାରେ ଭାରତର ପ୍ରଦର୍ଶନ ଏଥର ନିରାଶଜନକ ରହିଛି। ଗତ ଥର ଭାରତ ମୋଟ୍ ୭ ପଦକ  ଜିତିଥିଲା। ଏଥିରୁ ନୀରଜ ଚୋପ୍ରା ଜାଭଲିନରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସର ପଦକ ତାଲିକାରେ ଭାରତ ୪୮ତମ ସ୍ଥାନରେ ଥିଲା। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ମୋଟ୍ ୧୧୭ ଜଣିଆ ଆଥଲେଟ୍ ସହ ମଇଦାନକୁ ଓହ୍ଲାଇଥିଲା। ଏଥିରୁ ମାତ୍ର ୬ ପଦକ ମିଳିବା ବହୁତ ଚିନ୍ତାର ବିଷୟ। 

ନିଷ୍ପତ୍ତି ଆସିବା ବାକି

ପହିଲମାନ ଭିନେଶ ଫୋଗାଟ୍‌ଙ୍କୁ ପଦକ ମିଳିବ କି ନାହିଁ ଏହା ଉପରେ ନିଷ୍ପତ୍ତି ଆସିବା ବାକି ରହିଛି। ଫୋଗାଟ୍ ୧୦୦ ଗ୍ରାମ ଅଧିକ ଓଜନ କାରଣରୁ ୫୦ କିଗ୍ରା ଫାଇନାଲ୍‌ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହା ଉପରେ ସେ ଅପିଲ୍ କରିଛନ୍ତି, ଯାହାର ନିଷ୍ପତ୍ତି ଆସିବା ବାକି ରହିଛି। 

ଚମକିଲେ ମନୁ ଭାକର

ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରଥମ ପଦକ ଜିତିଥିଲେ। ସେ ଗୋଟିଏ ନୁହେଁ ୨-୨ କାଂସ୍ୟ ପଦକ ଜିତି ଦେଶକୁ ଗୌରବାନ୍ଵିତ କରିଛନ୍ତି। ପ୍ରଥମ କାଂସ୍ୟ ସେ ୧୦ ମିଟର ଏୟାର ପିସ୍ତଲରେ ଏବଂ ଦ୍ଵିତୀୟ କାଂସ୍ୟ ୧୦ ମିଟର ମିଶ୍ରିତ ବର୍ଗରେ ଜିତିଥିଲେ। ସୁଟିଂରେ ଭାରତକୁ ତୃତୀୟ ପଦକ ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନରେ ସ୍ଵପ୍ନିଲ କୁସାଲେ ଜିତିଛନ୍ତି।

କୁସ୍ତିରେ ଅମନ ସହରାବତ

କୁସ୍ତିରେ ଭାରତ ମୋଟ୍ ୬ ରେସଲରଙ୍କ ସହ ପ୍ୟାରିସ ଅଲିମ୍ପିକ୍ସକୁ ଯାଇଥିଲା। ଏଥିରେ ୫ ମହିଳା ଓ ଜଣେ ପୁରୁଷ କୁସ୍ତି ଯୋଦ୍ଧା ସାମିଲ ଥିଲେ। ଅମନ ସହରାବତ ୫୭ କିଲୋଗ୍ରାମ ବର୍ଗରେ ଭାରତକୁ କାଂସ୍ୟ ପଦକ ଜିତାଇବାରେ ସଫଳ ହୋଇଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ପଦକ। ସେ ୨୧ ବର୍ଷ ବୟସରେ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଛନ୍ତି। ସେ ଦେଶ ପାଇଁ ଅଲିମ୍ପିକ୍ସ ପଦକ ଜିତିବାରେ ସବୁଠୁ ଯୁବ ଖେଳାଳି। 

କମାଲ କଲେ ହକି

ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ଲଗାତାର ଦ୍ଵିତୀୟ ପଦକ ଜିତି ଇତିହାସ ରଚିଛନ୍ତି। ଦଳ ଫାଇନାଲ୍‌ରେ ପହଞ୍ଚି ନ ପାରିଥିଲେ ହେଁ କାଂସ୍ୟ ପଦକ ମୁକାବିଲାରେ ସ୍ପେନକୁ ୩-୨ରେ ହରାଇଥିଲା। ୧୯୬୮-୭୨ ପରେ ଭାରତ ହକିରେ ଲଗାତାର ଦୁଇ ପଦକ ଜିତିବାରେ ସଫଳ ହୋଇଛି। 

ସ୍ଵର୍ଣ୍ଣରୁ ବଞ୍ଚିତ ନୀରଜ

ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ  ଚୋପ୍ରାଙ୍କୁ ଏଥର ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟର ଜାଭଲିନ ଫିଙ୍ଗି ନୀରଜଙ୍କ ସ୍ଵର୍ଣ୍ଣ ପଦକ ସ୍ଵପ୍ନକୁ ଚୂରମାନ କରିଥିଲା। ଭାରତର ଏହି ତାରକା ଆଥଲେଟ୍ ପ୍ରତିଯୋଗିତାରେ ସିଜିନର ଶ୍ରେଷ୍ଠ ପ୍ରଦର୍ଶନ କରି ୮୯.୪୫ ମିଟର ଜାଭଲିନ ଫିଙ୍ଗିଥିଲେ। 

 

 

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.