ଅର୍ଥନୀତି ପାଇଁ ଭଲ ଖବର, ସେପ୍ଟେମ୍ବର ତ୍ରୈମାସିକରେ ୭.୬% ହାରରେ ବଢ଼ିଲା ଜିଡିପି

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଭଲ ଖବର। ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଦେଶର ଆର୍ଥିକ ଅଭିବୃଦ୍ଧି (GDP) ୭.୬% ରହିଛି। ଯେତେବେଳେକି ଗତ ବର୍ଷ ସମାନ ତ୍ରୈମାସିକରେ ଏହା ୬.୨ % ରହିଥିଲା। ଗୁରୁବାର ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ)ର ତରଫରୁ ଦ୍ବିତୀୟ ତ୍ରୈମାସିକ ଜିଡିପି ତଥ୍ୟ ଜାରି କରାଯାଇଛି।

ତଥ୍ୟରେ ଆହୁରି କୁହାଯାଇଛି ଯେ, ୨୦୨୩-୨୪ର ଦ୍ବିତୀୟ ତ୍ରୈମାସିକରେ ଜିଡିପି ୪୧.୭୪ ଲକ୍ଷ କୋଟି ପାର୍ କରିଛି। ଯାହା ଗତ ବର୍ଷ ସମାନ ଅବଧିରେ ୩୮.୧୭ ଲକ୍ଷ କୋଟି ରହିଥିଲା। ଆହୁରି ଦ୍ବିତୀୟ ତ୍ରୈମାସିକରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ବୃଦ୍ଧି ସମ୍ପର୍କରେ ମଧ୍ୟ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସେୟାର ବଜାରରେ ନୂଆ ରେକର୍ଡ: BSE ମାର୍କେଟ୍ କ୍ୟାପ୍ ହେଲା ଜିଡିପିରୁ ଅଧିକ, ପ୍ରଥମ ଥର ୪ ଟ୍ରିଲିୟନ ଡଲାର ଟପିଲା

ଯେଉଁଥିରେ ମ୍ୟାନୁଫ୍ୟାକଚରିଂ ସେକ୍ଟରରେ ବୃଦ୍ଧି ଦର ୧୩.୯ ପ୍ରତିଶତ, କୃଷି କ୍ଷେତ୍ରରେ ୧.୨ ପ୍ରତିଶତ, ନିର୍ମାଣ କ୍ଷେତ୍ରରେ ୧୩.୩ ପ୍ରତିଶତ ରହିଛି। ସେହିଭଳି ଏହି ଦ୍ବିତୀୟ ତ୍ରୈମାସିକରେ ଟ୍ରେଡ, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସହ ଜଡ଼ିତ ସେବାର ଅଭିବୃଦ୍ଧି ହାର ୪.୩ % ରହିଛି । ଗ୍ୟାସ, ବିଜୁଳି ଜଳ ଯୋଗାଣ ଭଳି କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ରହିଛି।

ସେପଟେ ଜିଡିପି ଅଭିବୃଦ୍ଧି ନେଇ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି ‘‘ବୈଶ୍ବିକ ସ୍ତରରେ କଠିନ ସମୟରେ ଭାରତୀୟ ଅର୍ଥବ୍ୟବସ୍ଥା ଆମର ଶକ୍ତିକୁ ଦର୍ଶାଉଛି। ଆମେ ସୁଯୋଗ ସୃଷ୍ଟି କରିବା, ଦାରିଦ୍ର୍ୟ ସମାପ୍ତ କରିବା ଏବଂ ନିଜ ଲୋକଙ୍କ ଜୀବନଯାପନରେ ସୁଧାର ଆଣିବାରେ ବିକାଶ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ।’’

ଆହୁରି ପଢ଼ନ୍ତୁ: ବେଶି ଦୂର ନୁହେଁ ୫ ଟ୍ରିଲିଅନ୍‌ର ସ୍ୱପ୍ନ; ପ୍ରଥମ ଥର ପାଇଁ ୪ ଟ୍ରିଲିଅନ ଡଲାରରେ ପହଞ୍ଚିଲା ଭାରତର ଜିଡିପି

ଉଲ୍ଲେଖଯୋଗ୍ୟ, ଦେଶର ଅର୍ଥବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ସେପ୍ଟେମ୍ବର)ରେ ୭.୭ % ହାରରେ ବଢ଼ିଥିଲା। ଯେତେବେଳେକି ଗତବର୍ଷ ଏହି ଛଅ ମାସରେ ଏହା ୯.୫ ପ୍ରତିଶତ ରହିଥିଲା। ଏହା ସହ ଭାରତ ଦୁନିଆର ପ୍ରମୁଖ ଅର୍ଥବ୍ୟବସ୍ଥାରେ ସବୁଠୁ ଦ୍ରୁତ ଆର୍ଥିକ ବୃଦ୍ଧି ଦର ହାସଲ କରିଥିବା ଦେଶ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.