ଆଶାଠାରୁ ଅଧିକ ବେଗରେ ଦୌଡୁଛି ଦେଶର ଅର୍ଥବ୍ୟବସ୍ଥା, ତୃତୀୟ ତ୍ରୈମାସରେ ୮.୪% ରହିଲା ଜିଡିପି ଅଭିବୃଦ୍ଧି

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି । ସରକାର ଗୁରୁବାର ଫେବ୍ରୁଆରୀ ୨୯ରେ ଡାଟା ଜାରି କରି କହିଛନ୍ତି ଯେ ଅକ୍ଟୋବର-ଡିସେମ୍ୱର ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି । ଯାହା ପ୍ରମାଣିତ କରୁଛି ଯେ ଭାରତୀୟ ଅର୍ଥବ୍ୟବସ୍ଥା ରକେଟ୍ ବେଗରେ ଆଗକୁ ବଢୁଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ୱର ତ୍ରୈମାସରେ ଭାରତ ୭.୬ ପ୍ରତିଶତ ହାରରେ ଅଭିବୃଦ୍ଧି ରେକର୍ଡ କରିଥିଲା ।

୨୦୨୩-୨୪ ସମୟରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି । ୨୦୨୨-୨୩ରେ ଦେଶର ଜିଡିପି ୭.୦ ପ୍ରତିଶତ ଥିଲା । ୨୦୨୩-୨୪ରେ ରିୟଲ ଜିଡିପି ୧୭୨.୯୦ ଲକ୍ଷ କୋଟି ସ୍ତର ପାର କରିବା ନେଇ ଅନୁମାନ କରାଯାଇଛି । ଅନ୍ୟପେଟ ୨୦୨୨-୨୩ ପାଇଁ ଜିଡିପିର ପ୍ରଥମ ସଂଶୋଧନ ଅନୁମାନ (FRE) ୧୬୦.୭୧ ଲକ୍ଷ କୋଟି ଟଙ୍କା ଥିଲା ।

ରାଷ୍ଟ୍ରୀୟ ପରିସଂଖ୍ୟାନ ସଂସ୍ଥା ନିଜର ଦ୍ୱିତୀୟ ସଂଶୋଧିତ ଅନୁମାନରେ କହିଛି ଯେ ୨୦୨୩-୨୪ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିପାରେ । ଆଜି ଏନଏସଓ ଆର୍ଥିକ ବର୍ଷ ୨୦୨୨-୨୩ର ଜିଡିପି ଗ୍ରୋଥ ଅନୁମାନକୁ ପୁଣି ଥରେ ସଂଶୋଧନ କରି ୭.୨ ପ୍ରତିଶତରୁ ଏହି ଅନୁମାନ କମ କରି ୭ ପ୍ରତିଶତ କରିଛି । ଏନଏସଓ ପକ୍ଷରୁ ଜାରି ସରକାରୀ ଡାଟା ଅନୁସାରେ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ନୋମିନାଲ ଜିଡିପି ୯.୧ ବୃଦ୍ଧି ହାର ୯.୧ ପ୍ରତିଶତ ରହିପାରେ । ଏହି ସମୟରେ ନୋମିନାଲ ଡିଜିପି ୨୦୨୨-୨୩ରେ ୨୬୯.୫୦ ଲକ୍ଷ କୋଟି ତୁଳନାରେ ୨୯୩.୯୦ ଲକ୍ଷ କୋଟି ଟଙ୍କା ସ୍ତର ପାର କରିବା ଅନୁମାନ କରାଯାଉଛି ।

ପଢନ୍ତୁ: ଦେଶରେ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର: ସୃଷ୍ଟି ହେବ ୮୦ ହଜାରରୁ ଅଧିକ ନିଯୁକ୍ତି

ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଏହି ବୃଦ୍ଧିର ମୁଖ୍ୟ କାରଣ ମେନ୍ୟୁଫେକଚରିଂ ସେକ୍ଟର, ମାଇନିଂ ଏବଂ ବିନିର୍ମାଣ କ୍ଷେତ୍ରରେ ସୁଧାର । ଉଲ୍ଲେଖଯୋଗ୍ୟ ଯେ ଏହି ଅବଧିରେ ବିନିର୍ମାଣ କ୍ଷେତ୍ର ଦୁଇ ଅଙ୍କର ବଦ୍ଧି ହାର  (୧୦.୭) ରେକର୍ଡ କରିଛି । ସେହିପରି ମେନ୍ୟୁଫେକଚରିଂ ସେକ୍ଟରରେ ୮.୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.