ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଜାରି, ୫୭୩ ବିଲିୟନ ଡଲାରରେ ପହଞ୍ଚିଲା ରିଜର୍ଭ
27/01/2023 at 9:28 PM

ନୂଆଦିଲ୍ଲୀ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାରକୁ ନେଇ ବଡ଼ ଖବର ସାମନାକୁ ଆସିଛି । ଜାନୁଆରୀ ୨୦ରେ ଶେଷ ହୋଇଥିବା ସପ୍ତାହରେ ୧.୭୨୭ ବିଲିୟନ ଡଲାର ବଢିଛି । ଏହାସହ ଦେଶର ବିଦେଶ ମୁଦ୍ରା ଭଣ୍ଡାର ୫୭୩.୭୨୭ ବିଲିୟନ ଡଲାର ହୋଇଛି । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୂଚନା ଦେଇଛି ।
ଏହା ପୂର୍ବରୁ ମଧ୍ୟ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଲଗାତାର ଦ୍ୱିତୀୟ ସପ୍ତାହରେ ଦେଶର ବିଦେଶ ମୁଦ୍ରା ଭଣ୍ଡାର ବଢିଛି । ଗତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୧୦.୪୧୭ ବିଲିୟନ ଡଲାର ବଢି ୫୭୨ ବିଲିୟନ ହୋଇଥିଲା । କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇର ସାପ୍ତାହିକ ଡାଟା ଅନୁସାରେ ମୋଟ ମୁଦ୍ରା ଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ଫରେନ କରେନ୍ସି ଆସେଟ୍ସ ସପ୍ତାହରେ ୧.୭୨୭ ବିଲିୟନ ଡଲାର ବଢି ୫୭୩.୭୨୭ ବିଲିୟନ ଡଲାରରେ ପହଞ୍ଚିଛି ।
ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଅକ୍ଟୋବରରେ ବିଦେଶୀ ମୁଦ୍ରା ଭଣ୍ଡାର ୬୪୫ ବିଲିୟନ ଡଲାରର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ବୈଶ୍ୱିକ ଘଟଣାକ୍ରମ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ରୋକିବା ପାଇଁ ମୁଦ୍ରା ଭଣ୍ଡାରର ଉପଯୋଗ କରିଥିଲା । ଯେଉଁଥି ପାଇଁ ଏଥିରେ ହ୍ରାସ ଘଟିଥିଲା ।
ଆରବିଆଇର ଡାଟା ଅନୁସାରେ ଦେଶରେ ସୁନା ଭଣ୍ଡାର ୮୨.୧ କୋଟି ଡଲାର ବଢି ୪୩.୭୧୨ ବିଲିୟନ ଡଲାର ହୋଇଥିଲା । ଆଇଏମଏଫରେ ଆଲୋଚ୍ୟ ସପ୍ତାହରେ ଦେଶର ମୁଦ୍ରା ଭଣ୍ଡାର ୧୦ ଲକ୍ଷ ଡଲାର ହ୍ରାସ ହୋଇ ୫.୨୨୬ ବିଲିୟନ ଡଲାର ହୋଇଛି ।