ନୂଆଦିଲ୍ଲୀ: ଆମେରିକାର ସେଣ୍ଟ୍ରାଲ ଫେଡ୍ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି କରାଯିବା ପରେ ଭାରତୀୟ କରେନ୍ସି ଟଙ୍କା ଅଧିକ ଦୁର୍ବଳ ହୋଇଛି । ଏହାରି ଭିତରେ, ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ସମସ୍ତଙ୍କ ଚିନ୍ତା ବଢାଇଛି । ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ଲଗାତାର ସପ୍ତମ ସପ୍ତାହରେ ହ୍ରାସ ଘଟିଛି ଏବଂ ଏହା ଦୁଇ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।
ଡଲାର ତୁଳନାରେ ଟଙ୍କା ପ୍ରଥମ ଥର ୮୧ର ସ୍ତର ପାର କରିଛି । ଶୁକ୍ରବାର କାରବାର ସମୟରେ ଟଙ୍କା ଦୁର୍ବଳ ହୋଇ ୮୧.୨୩ର ସ୍ତରରେ ପହଞ୍ଚଥିଲା। ତେବେ କାରବାର ବନ୍ଦ ହେବା ସମୟରେ ଏଥିରେ ଅଳ୍ପ ସୁଧାର ଆସିଥିଲା । ଏହାପରେ ୧୯ ପଇସା ହ୍ରାସ ହୋଇ ଡଲାର ପିଛା ୮୦.୯୮ ଟଙ୍କା ସ୍ତରରେ ବନ୍ଦ ହୋଇଥିଲା । ପ୍ରଥମ ଥର ପାଇଁ ଭାରତୀୟ କରେନ୍ସିର କ୍ଲୋଜିଂ ଏତେ ତଳ ସ୍ତରକୁ ପହଞ୍ଚିଛି ।
ଆରବିଆଇର ସଦ୍ୟ ତଥ୍ୟ ଅନୁସାରେ ସେପ୍ଟେମ୍ୱର ୧୬ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟି ୫୪୫.୬୫୨ ବିଲିୟନ ଡାଲରରେ ପହଞ୍ଚିଛି । ଗତ ସପ୍ତାହରେ ବିଦେଶୀ ମୁଦ୍ର ଭଣ୍ଡାର ୫୫୦.୮୭୧ ବିଲିୟନ ଡଲାର ଥିଲା । ଏହାସହ ବିଦେଶୀ ମୁଦ୍ରା ଭଣ୍ଡାର ଗତ ଦୁଇ ବର୍ଷର ସବନିମ୍ନ ସ୍ତରରେ ପହଞ୍ଚିଛି ।
ବିଦେଶୀ ବଜାରରେ ଆମେରିକୀୟ ଡଲାର ଲଗାତାର ମଜଭୁତ ହେବା କାରଣରୁ ଟଙ୍କା ଅଧିକ ଦୁର୍ବଳ ହେଉଛି । ଦୁନିଆର ଛଅ ମୁଖ୍ୟ ମୁଦ୍ରା ତୁଳନାରେ ଡଲାରର ମଜଭୁତି ଆକଳନ କରୁଥିବା ଡଲାର ସୂଚକାଙ୍କ ୦.୭୨ ପ୍ରତିଶତ ବଢି ୧୧୨.୧୫ରେ ପହଞ୍ଚିଥିଲା । ଆମେରିକାର ଫେଡ୍ ରିଜର୍ଭ ଲଗାତାର ତୃତୀୟଥର ସୁଧ ହାରରେ ୭୫ ବେସିସି ପଏଣ୍ଟ ବଢାଇବା କାରଣରୁ ଡଲାର ସ୍ଥିତି ମଜଭୁତ ହୋଇ ରହିଛି।
ସୁଧ ହାର ବଢାଇବା ପରେ ଅଧିକ ଲାଭ ପାଇଁ ବିଦେଶୀ ନିବେଶକ ଆମେରିକୀୟ ବଜାର ପ୍ରତି ଆକର୍ଷିତ ହେଉଛନ୍ତି । ଏହି କରଣରୁ ଡଲାର ଅଧିକ ମଜଭୁତ ହେଉଛି । ଏହାର ବିପରୀତରେ ଭାରତୀୟ ସେୟାର ବଜାରେ ବିକ୍ରିର ସ୍ଥିତି ସୃଷ୍ଟି ହୋଇଛି । ବଜାରରୁ ନିବେଶକ ଟଙ୍କା ଫେରାଇ ନେଉଛନ୍ତି, ଏହି କାରଣରୁ ଟଙ୍କା ଦୁର୍ବଳ ହେଉଛି।
ଟଙ୍କା ଦୁର୍ବଳ ହେବା ପରେ ଭାରତର ଆମଦାନୀ ଖର୍ଚ୍ଚ ବଢିବ । ଆମଦାନୀ ସମୟରେ ପୂର୍ବ ତୁଳନାରେ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଟଙ୍କା ଦୁର୍ବଳ ହେବା ପରେ ଆମଦାନୀ ଉପରେ ନିର୍ଭର କରୁଥିବା କମ୍ପାନିଙ୍କ ମାର୍ଜିନ କମ ହେବ, ଫଳରେ ଦରଦାମ ବୃଦ୍ଧି ପାଇବ । ଯାହା ଗ୍ରାହକଙ୍କ ପକେଟ ଉପରେ ଅଧିକ ବୋଝ ପକାଇବ ।