ନୂଆଦିଲ୍ଲୀ ୧୩।୧୨: ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ପୁଣି ହ୍ରାସ ଦେଖା ଦେଇଛି। ଫଳରେ ଦେଶର ଫୋରେକ୍ସ ରିଜର୍ଭ ୬୫୪.୮୬ ବିଲିୟନ ଡଲାରକୁ ଖସିଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬ ଡିସେମ୍ବରରେ ସମାପ୍ତ ହୋଇଥିବା ସପ୍ତାହରେ ୩.୨୩ ବିଲିୟନ ଡଲାର ହ୍ରାସ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏହା ପୂର୍ବ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧.୫୧ବିଲିୟନ ଡଲାର ବୃଦ୍ଧି ସହିତ ୬୫୮.୦୯ ବିଲିୟନ ଡଲାର ହୋଇଯାଇଥିଲା।
ସେପ୍ଟେମ୍ବର ମାସ ଶେଷରେ ବିଦେଶୀ ମୁଦ୍ରା ଭଣ୍ଡାର ୭୦୪.୮୮ ବିଲିୟନ ଡଲାରର ସର୍ବୋଚ୍ଚ ସ୍ତରକୁ ପହଞ୍ଚି ଯାଇଥିଲା। ଆରବିଆଇଙ୍କ ତଥ୍ୟ ମୁତାବକ ୬ ଡିସେମ୍ବରରେ ଶେଷ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ରେ ଭାରତର ରିଜର୍ଭରେ ୧.୨ କୋଟି ଡଲାର ବଢି ୪.୨୭ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ଆରବିଆଇଙ୍କ ପକ୍ଷରୁ ଶୁକ୍ରବାର ଜାରି ତଥ୍ୟ ମୁତାବକ ବିଦେଶୀ ମୁଦ୍ରା ଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ମନେ କରାଯାଉଥିବା ଫରେନ କରେନ୍ସୀ ଆସେଟସ୍ (ଏଫସିଏ) ୩.୨୩ ବିଲିୟନ ଡଲାର ହ୍ରାସ ହୋଇ ୫୬୫.୨୨ ବିଲିୟନ ଡଲାର ହୋଇଯାଇଛି।
ଡଲାର ସନ୍ଦର୍ଭରେ ଫରେନ କରେନ୍ସୀ ଆସେଟରେ ବିଦେଶୀ ମୁଦ୍ରାଭଣ୍ଡାରରେ ରଖା ଯାଇଥିବା ୟୁରୋ, ପାଉଣ୍ଡ ଓ ୟେନ ଭଳି ଅଣ ଆମେରିକୀୟ ମୁଦ୍ରାର ବୃଦ୍ଧି ହ୍ରାସର ପ୍ରଭାବ ମଧ୍ୟ ରହିଛି। କେବଳ ବୈଦେଶିକ ମୁଦ୍ରା ନୁହେଁ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ମଧ୍ୟ ୪.୩କୋଟି ଡଲାର ହ୍ରାସ ହୋଇଛି। ଏହା ଏବେ ୬୬.୯୩ ବିଲିୟନ ଡଲାର ହୋଇଯାଇଛି ଓ ବିଶେଷ ଆହରଣ ଅଧିକାର (ଏସଡିଆର) ୨.୫କୋଟି ଡଲାର ବଢି ୧୮.୦୩ ବିଲିୟନ ଡଲାରକୁ ପହଞ୍ଚି ଯାଇଛି।
ସରକାରଙ୍କ ପକ୍ଷରୁ ଲୋକସଭାରେ ଦିଆଯାଇଥିବା ଜବାବରେ ଅର୍ଥମନ୍ତ୍ରାଳୟ କହିଛନ୍ତି ଯେ ଆମ ଦେଶର ଫୋରେକ୍ସ ରିଜର୍ଭ ବିଶ୍ୱର ତମାମ ଦେଶଙ୍କ ତୁଳନାରେ ବେଶ୍ ଭଲ ସ୍ଥିତିରେ ଅଛି। ଏବେ ଯେଉଁ ଦେଶମାନଙ୍କ ପାଖରେ ସବୁଠୁ ଅଧିକ ଫୋରେକ୍ସ ରିଜର୍ଭ ରହିଛି ସେହି ଦେଶଙ୍କ ସୂଚୀରେ ଭାରତ ଚତୁର୍ଥ ସ୍ଥାନରେ ଅଛି।