ଭାରତରେ ମିଳିଲା ପ୍ରଥମ ଲିଥିୟମ ଭଣ୍ଡାର, ଇଲେକ୍ଟ୍ରିକ୍ ଯାନର ବ୍ୟାଟେରୀ ନିର୍ମାଣ କ୍ଷେତ୍ରରେ ହେବ ସହାୟକ
10/02/2023 at 9:40 AM

ନୂଆଦିଲ୍ଳୀ, ୧୦/୦୨: ଜମ୍ମୁ କଶ୍ମୀରରେ ପ୍ରଥମ ଥର ଠାବ ହୋଇଛି ଲିଥିୟମର ଭଣ୍ଡାର। ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଏନେଇ ସ୍ପଷ୍ଟ କରିଛି। ଖଣି ମନ୍ତ୍ରାଳୟକୁ ଜମ୍ମୁ-କଶ୍ମୀରର ରିୟାସୀ ଜିଲ୍ଳାର ସଲାଲା-ହେମାନରେ ପ୍ରାୟ ୫୯ ଲକ୍ଷ ଟନ୍ର ଲିଥିୟମ ଖଣିର ସନ୍ଧାନ ମିଳିଛି। ଗୁରୁବାର ହୋଇଥିବା ୬୨ ତମ ସେଣ୍ଟ୍ରାଲ୍ ଜିଓଲୋଜିକାଲ ପୋଗ୍ରାମିଂ ବୋର୍ଡ (ସିଜିପିବି) ର ବୈଠକ ୧୫ ଖଣିଜ ପଦାର୍ଥ ନେଇ ହୋଇଥିବା ସର୍ଭେ ରିପୋର୍ଟ ରଖାଯାଇଛି।
ଖଣି ସଚିବ ବିବେକ ଭରଦ୍ବାଜ କହିଛନ୍ତି, ଲିଥିୟମ ଏକ ନନ୍ ଫେରୋସ ମେଟାଲ (ଧାତୁ ଯେଉଁଥିରେ ଲୌହ ନଥାଏ)। ଏହାର ବ୍ୟବହାର ଇଲେକ୍ଟେ୍ରାନିକ୍ ଗାଡ଼ିର ବ୍ୟାଟେରୀରେ ହୋଇଥାଏ। ମୋବାଇଲ ଫୋନ୍, ସୋଲାର ପ୍ୟାନେଲ୍ ସହ ଅନ୍ୟ ଉପକରଣରେ ଲିଥିୟମ, ନିକେଲ ଏବଂ କୋବାଲ୍ଟ ଭଳି ଖଣିଜର ବ୍ୟବହାର ହୋଇଥାଏ। ଏହା ପୂର୍ବରୁ ଖଣି ମନ୍ତ୍ରାଳୟ କହିଥିଲା ଯେ ଟେକ୍ନୋଲୋଜୀରେ ବ୍ୟବହାର ହେଉଥିବା ଖଣିଜ ସପ୍ଲାଏ ଚେନ୍କୁ ମଜବୁତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏଥରେ ଅଷ୍ଟେ୍ରଲିଆ ଏବଂ ଆର୍ଜେଟିନାରୁ ଲିଥିୟମ ମଗାଯାଉଛି।
ବୈଠକରେ ଏହି ସବୁ ଖଣିର ୫୧ ଟି ଭଣ୍ଡାର ବିଷୟରେ କୁହାଯାଇଛି। ଯେଉଁଥିରେ ୫ ଟି ସୁନା ସହ ଜଡ଼ିତ। ସେହିଭଳି ଅନ୍ୟ ଭଣ୍ଡାର ମଧ୍ୟରେ ପୋଟାସ୍, ମୋଲେବ୍ଡେନମ ଆଦି ମଧ୍ୟ ମିଳିଛି। ଏହି ଭଣ୍ଡାର ୧୧ ରାଜ୍ୟର ଜମ୍ମୁ କଶ୍ମୀର, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ତାମିଲନାଡ଼ୁ ଏବଂ ତେଲେଙ୍ଗାନାରେ ମିଳିଛି। ଏହି ରିପୋର୍ଟ ୨୦୧୮-୧୯ ରେ କରାଯାଇଥିବା ସନ୍ଧାନ ଆଧାରରେ କରାଯାଇଥିଲା।
ଭାରତ ଏବେ ଲିଥିୟମ, ନିକେଲ ଏବଂ କୋବାଲ୍ଟ ସହ ଅନେକ ଖଣିଜ ପଦାର୍ଥକୁ ଆମଦାନୀ କରୁଛି। ୬୨ ତମ ସେଣ୍ଟ୍ରାଲ୍ ଜିଓଲୋଜିକାଲ ପ୍ରୋଗ୍ରାମିଂ ବୋର୍ଡର ବୈଠକରେ ଖନନ ସଚିବ କହିଛନ୍ତି ‘ଆତ୍ମନିର୍ଭର ହେବା ପାଇଁ ସବୁଠୁ ଜରୁରୀ ହେଉଛି ଆମେ ଖଣିଜ ପଦାର୍ଥକୁ ଖୋଜିବା ଏବଂ ତାହାକୁ ଦେଶରେ ହିଁ ପ୍ରୋସେସ୍ କରାଯିବ। ଯଦି ସୁନା ଆମଦାନୀ କମୁଛି ତେବେ ଆତ୍ମନିର୍ଭର ହୋଇପାରିବୁ।’