ଦେଶର ପ୍ରଥମ ଗୋଲ୍ଡ ଏଟିଏମ, ଟଙ୍କା ନୁହେଁ ବାହାରୁଛି ସୁନା
6/12/2022 at 4:25 PM

ହାଇଦ୍ରାବାଦ, ୬/୧୨: ଆପଣ ଏଟିଏମରୁ ସାଧାରଣତଃ ଟଙ୍କା ଉଠାଇଥାନ୍ତି। ଜରୁରୀ କାମ ହେଉ କିମ୍ବା ଆଉ କିଛି ଏଟିଏମ ଯୋଗୁଁ ଅତି ସହଜରେ ଏଟିଏମରୁ ଟଙ୍କା ଉଠାଇହୁଏ। ଏଟିଏମ ଯୋଗୁଁ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବାକୁ ଲାଇନ ବି ଲଗାଇବାକୁ ପଡ଼ିନଥାଏ। କିନ୍ତୁ ଏବେ କେବଳ ଟଙ୍କା ନୁହେଁ ବରଂ ସୁନା ବି କାଢ଼ିପାରିବେ। ଆଜ୍ଞା ହଁ ଏଣିକି ଏଟିଏମରୁ ସୁନା ବି କାଢ଼ିପାରିବେ। ଅବଶ୍ୟ ଏହି ସେବା ବର୍ତ୍ତମାନ କେବଳ ହାଇଦ୍ରାବାଦରେ ଉପଲବ୍ଧ।
ଗୋଲ୍ଡସିକ୍କା କମ୍ପାନୀ ତରଫରୁ ଏହି ଏଟିଏମ ଲଗାଯାଇଛି। ଏହା ଦେଶର ଗୋଲ୍ଡ ଏଟିଏମ୍। ଏଟିଏମ୍ରେ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ସାହାଯ୍ୟରେ ଟଙ୍କା ଉଠାଇପାରିବେ। ହାଇଦ୍ରାବାଦ ବେଗମପେଟ ରଘୁପତି ଚାମ୍ବର୍ସରେ ରହିଛି ଏହି ଏଟିଏମ। ଏହି ଏଟିଏମର ୫ କେଜି ସୁନା ରହିପାରିବାର କ୍ଷମତା ରହିଛି। ଲୋକେ ୦.୫ ଗ୍ରାମ୍ରୁ ୧୦୦ ଗ୍ରାମ୍ର ସୁନା କିଣିପାରିବେ।

ଗୋଲ୍ଡସିକ୍କା ପ୍ରାଇଭେଟ ଲିମିଟେଡ୍ର ଉପସଭାପତି ପ୍ରତାପ କହିଛନ୍ତି, ଲୋକମାନେ ସୁନା ଦୋକାନକୁ ଯିବା ବଦଳରେ ଏଠାକୁ ଆସି ସହଜରେ ଗୋଲ୍ଡ କଏନ ଉଠାଇପାରିବେ। ଏହି କଏନ ଗୁଡ଼ିକ ୨୪ କ୍ୟାରେଟ୍ ଏବଂ ୯୯୯ ପଞ୍ଚିକୃତ। ଏହା ସହ ଆସନ୍ତା ସମୟରେ ହାଇଦ୍ରାବାଦରେ ୩-୪ ଏଟିଏମ ମେସିନ୍ ବସାଇବା ପାଇଁ ଯୋଜନା ରଖାଯାଇଥିବାନେଇ ସେ କହିଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ଭାରତରେ ୩୦୦୦ ଏଟିଏମ ସ୍ଥାପନ କରିବା ନେଇ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପ୍ରତାପ। ଏଟିଏମର ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିବା ନେଇ କହିଛନ୍ତି ପ୍ରତାପ।