ମୁମ୍ବାଇରେ ଖୋଲିଲା ଦେଶର ପ୍ରଥମ Apple Store, ସିଇଓ ଟିମ୍ କୁକ୍ କଲେ ଗ୍ରାହକଙ୍କୁ ସ୍ବାଗତ
18/04/2023 at 12:51 PM

ମୁମ୍ବାଇ, ୧୮/୦୪: ମୁମ୍ବାଇରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଆପଲ ଷ୍ଟୋର୍। ମଙ୍ଗଳବାର ଆପଲ ସିଇଓ ଟିମ୍ କୁକ୍ ମୁମ୍ବାଇରେ ଆପଲ ବିକେସି ଷ୍ଟୋର୍ର ଶୁଭାରମ୍ଭ କରିଛନ୍ତି। ୨୦ ହଜାର ବର୍ଗଫୁଟ୍ରେ ନିର୍ମିତ ଏହି ଶୋରୁମ୍ ମୁମ୍ବାଇର ଜିଓ ଓ୍ବାର୍ଲ୍ଡ ଡ୍ରାଇଭ୍ ମଲ୍ରେ ରହିଛି । ମୁମ୍ବାଇରେ ପ୍ରଥମ ଆପଲ ଷ୍ଟୋର ଖୋଲିବା ସମୟରେ ଶତାଧିକ ଫ୍ୟାନ ଉପସ୍ଥିତ ରହିଥିଲେ। ଆଉ ଟିମ୍ କୁକ୍ ନିଜେ ଷ୍ଟୋରର ଗେଟ୍ ଖୋଲି ଲୋକଙ୍କୁ ସ୍ବାଗତ କରିଥିଲେ। ଏହି ଷ୍ଟୋରରେ ଲୋକଙ୍କୁ ଆଇଫୋନ୍ ସହ ଆପଲର ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ମିଳିବ। ଏହି ଷ୍ଟୋର ୨୦ଟି ଭାଷାରେ ଗ୍ରାହକ ସେବା ଯୋଗାଇଦେବାରେ ସକ୍ଷମ।
ସୋମବାର ଆପଲ ସିଇଓ ଟିମ୍ କୁକ୍ ଭାରତ ପହଞ୍ଚିଥିଲେ। ଟିମ୍ କୁକ୍ ମୁକେଶ ଅମ୍ବାନୀଙ୍କ ସହ ସାକ୍ଷାତକାର କରିଥିଲେ। ଏହା ବ୍ୟତୀତ ଆପଲ ଷ୍ଟୋରର ଅଫିସିଆଲ ଲଞ୍ଚ ପୂର୍ବରୁ ଗତକାଲି ଏକ ଇଭେଣ୍ଟରେ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ଯେଉଁଥିରେ କ୍ରିକେଟର ସଚ୍ଚିନ ତେନ୍ଦୁଲକର, ଅନିଲ କୁମ୍ବଲେଙ୍କ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତର ସେଲିବ୍ରିଟି ମାଧୁରୀ ଦୀକ୍ଷିତ ଏବଂ ଅରମାନ ମଲିକ, ରବୀନା ଟଣ୍ଡନ, ନେହା ଧୂପିଆଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।
ଆପଲର ମୁମ୍ବାଇରେ ଖୋଲିଥିବା ପ୍ରଥମ ଅଫିସିଆଲ ଷ୍ଟୋର Apple BKC ନାମରେ ଜଣା। କମ୍ପାନୀ ଏହି ଷ୍ଟୋର ପାଇଁ ପ୍ରତିମାସରେ ୪୨ ଲକ୍ଷ ଟଙ୍କା ଭଡ଼ା ଭାବରେ ଦେବ ଏବଂ ଏହା ସହ ଆୟର କିଛି ଅଂଶ ଷ୍ଟୋର ମାଲିକଙ୍କ ସହ ମଧ୍ୟ ସେୟାର କରିବ। ୨୦ ଏପ୍ରିଲରେ ଦ୍ବିତୀୟ ଷ୍ଟୋର୍ ନୂଆଦିଲ୍ଳୀରେ ସାକେତ ସ୍ଥିତ ସିଲେକ୍ଟ ସିଟି ଓ୍ବାକ୍ ମଲ୍ରେ ଖୋଲିବାକୁ ଯାଉଛି।