ବଢୁଛି ଭାରତର ବିଦେଶୀ ଋଣ, ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ
5/09/2022 at 7:30 PM

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ଭାରତର ବିଦେଶୀ ଋଣ ବଢିଛି। ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବିଦେଶୀ ଋଣ ୬୨୦.୭ ବିଲିୟନ ଡଲାର ରହିଛି, ଯାହା ୨୦୨୧ ମାର୍ଚ୍ଚ ଶେଷରେ ଥିବା ଋଣଠାରୁ ୮.୨ ପ୍ରତିଶତ ଅଧିକ । ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ବିଦେଶୀ ଋଣ ୫୭୩.୭ ବିଲିୟନ ଡଲାର ଥିଲା।
୨୦୨୨ ମାର୍ଚ୍ଚ ଶେଷରେ ଦେଶର ଋଣ ଜିଡିପି ଅନୁପାତରେ ୧୯.୯ ପ୍ରତିଶତ ହୋଇଛି । ଗୋଟିଏ ବର୍ଷ ପୂର୍ବେ ଏହା ୨୧.୨ ପ୍ରତିଶତ ଥିଲା। ବିଦେଶୀ ଋଣର ଅନୁପାତରେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ହୋଇ ୨୦୨୨ ମାର୍ଚ୍ଚ ଶେଷରେ ୯୭.୮ ପ୍ରତିଶତ ହୋଇଥିଲା । ଗୋଟିଏ ବର୍ଷ ପୂର୍ବେ ଏହା ୧୦୦.୬ ପ୍ରତିଶତ ଥିଲା।
ବାଣିଜ୍ୟିକ ଉଧାର, ଏନଆରଆଇ ଜମା ରାଶି, ସ୍ୱଳ୍ପ ମିଆଦୀ ଋଣ, ବହୁପାକ୍ଷୀୟ ଋଣ ମିଶି ମୋଟ ବିଦେଶୀ ଋଣର ୯୦ ପ୍ରତିଶତ । ୨୦୨୧ ମାର୍ଚ୍ଚରେ ଏନଆରଆଇରେ ମାମୁଲି ହ୍ରାସ ଘଟିଛି । ଅନ୍ୟପଟେ ଅନ୍ୟ ସମସ୍ତ ଋଣରେ ବୃଦ୍ଧି ଘଟିଛି।