Economic Survey ୨୦୨୩: ମହାମାରୀରୁ ମୁକୁଳି ସାରିଛି ଅର୍ଥନୀତି, ଗତିଶୀଳ କରିବାକୁ ପ୍ରସ୍ତୁତି, ନିଯୁକ୍ତିର ଅନେକ ସମ୍ଭାବନା
31/01/2023 at 5:48 PM

ନୂଆଦିଲ୍ଲୀ: ଇକୋନମିକ୍ ସର୍ଭେ ୨୦୨୩ ମଙ୍ଗଳବାର ସଂସଦରେ ଆଗତ କରାଯାଇଛି । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଆର୍ଥିକ ବର୍ଷ ୨୦୨୩ରେ ଦେଶର ଜିଡିପି କିପରି ରହିବ । ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ୱରନ କହିଛନ୍ତି ଯେ ଦେଶରେ ଅର୍ଥନୀତି ଏବେ ସମ୍ପୂର୍ଣ୍ଣ ରୂପେ କରୋନା ମହାମାରୀର ପ୍ରଭାବରୁ ବାହାରି ସାରିଛି ଏବଂ ଗତି ଧରିବା ପାଇଁ ପ୍ରସ୍ତୁତ ରହିଛି । ସେ କହିଛନ୍ତି ଯେ ଏହି ଦଶନ୍ଧିର ବଳକା ଥିବା ବର୍ଷରେ ଦେଶର ଅର୍ଥନୀତି ଆହୁରି ଉନ୍ନତ ପ୍ରଦର୍ଶନ କରିବ । ଦୀର୍ଘ ସମୟ ପରେ ବ୍ୟାଙ୍କିଂ, ନନ-ବ୍ୟାଙ୍କିଂ ଏବଂ କର୍ପୋରେଟ୍ ସେକ୍ଟର ଆର୍ଥିକ ସ୍ଥିତି ମଜଭୁତ ରହିଛି ଏବଂ ବର୍ତ୍ତମାନ ସମୟରେ ମହାମାରୀରୁ ମୁକୁଳିବା ପରି ବିଷୟ ଉପରେ ଆଲୋଚନା କରିବା ଠିକ୍ ନୁହେଁ । ଅର୍ଥନୀତିର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିବା ଦରକାର ।
ଅର୍ଥନୀତିକ ସର୍ଭେକ୍ଷଣ ରିପୋର୍ଟ ଆଗତ ପରେ ନାଗେଶ୍ୱରନ କହିଛନ୍ତି, ଗତ ଆଠ ବର୍ଷରେ ଯେଉଁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି, ସେଥିରୁ ଚଳିତ ଦଶନ୍ଧିରେ ଭାରତୀୟ ଅର୍ଥନୀତି ଉନ୍ନତ ପ୍ରଦର୍ଶନ କରିବ । ପ୍ରଥମ ଦଶନ୍ଧିରେ କ୍ୟାପିଟାଲ ଏକ୍ସପେଣ୍ଡିଚରରୁ ରୋଜଗାର ସୃଷ୍ଟି ହୋଇଥିଲା ଏବଂ ପୁଣି ଥରେ ଏହାର ପ୍ରସ୍ତୁତି ଆରମ୍ଭ ହେଉଛି । ଘରୋଇ ସେକ୍ଟର ଇନଭେଷ୍ଟମେଣ୍ଟ ଆସିବା ଆରମ୍ଭ ହୋଇଛି ଏବଂ ନିର୍ମାଣ ଉଦ୍ୟୋଗ ମଧ୍ୟ ଗତି ଧରିବା ଆରମ୍ଭ କରିଛି । ଲୋକମାନେ ଗାଁରୁ ସହର ଆଡକୁ ଫେରୁଛନ୍ତି ଏବଂ ନିଯୁକ୍ତିର ସୁଯୋଗ ବଢିଛି । ଚଳିତ ଦଶନ୍ଧିର ଅନ୍ୟ ବର୍ଷରେ ଅର୍ଥନୀତି ଉନ୍ନତ ପ୍ରଦର୍ଶନ କରିବ । କୃଷି କ୍ଷେତ୍ରରେ ଘରୋଇ ସେକ୍ଟରର ନିବେଶ ବର୍ତ୍ତମାନର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସରକାରଙ୍କ ବିଭିନ୍ନ ଯୋଜନାରୁ ମଧ୍ୟ ଏହା ଉପକୃତ ହୋଇଛି । ଏବେ ଏହା ପ୍ରାଇମେରୀ ସେକ୍ଟର ହୋଇ ରହି ନାହିଁ । ଏଥିରେ ରପ୍ତାନୀର ଅନେକ ସମ୍ଭାବନା ରହିଛି ।
ସେ କହିଛନ୍ତି ଯେ ଆଇଏମଏଫ ଆର୍ଥିକ ବର୍ଷ ୨୦୨୩ରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧି ପାଇବାର ଅନୁମାନ ରହିଛି । ଆସନ୍ତା ଆର୍ଥକ ବର୍ଷରେ ଏହା ୬.୧ ପ୍ରତିଶତ ଏବଂ ୨୦୨୫ରେ ୬.୮ ପ୍ରତିଶତ ରହିବାର ଅନୁମାନ କରାଯାଇଛି । ଆମର ଅର୍ଥନୀତି ସର୍ଭେ ରିପୋର୍ଟ ମଧ୍ୟ ଏହା ସ୍ପଷ୍ଟ କରୁଛି । ପ୍ରତିଟି ସେକ୍ଟରରେ କ୍ରେଡିଟ୍ ଗ୍ରୋଥ ମଜଭୁତ ହେଉଛି । ଏମଏସଏମଇ, ଲାର୍ଜ ଇଣ୍ଡଷ୍ଟ୍ରିଜ୍, ସର୍ଭିସ ସେକ୍ଟର ଏବଂ ନନ-ଫୁଡ୍ ସେକ୍ଟରରେ କ୍ରେଡିଟ୍ ଦୁଇ ଅଙ୍କ ହାରରେ ବଢୁଛି । ଘରୋଇ ସେକ୍ଟରରେ ନିବେଶ ବଢୁଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଏହା ପୂର୍ବ ବର୍ଷର ସମାନ ଅବଧି ତୁଳନାରେ ଅଧିକ ରହିଛି ।
ସିଇଏ କହିଛନ୍ତି ଯେ ସରକାର ୬.୪ ପ୍ରତିଶତ ରାଜସ୍ୱ ନିଅଣ୍ଟ ଲକ୍ଷ୍ୟରେ ଆଗକୁ ବଢୁଛନ୍ତି । ୨୦୨୨ ଏପ୍ରିଲ-ନଭେମ୍ୱର ଯାଏ ଟ୍ୟାକ୍ସ ରେଭେନ୍ୟୁ ୧୫.୫ ପ୍ରତିଶତ ବଢିଛି । ଏହି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଏସଟି ରାଜସ୍ୱ ରୂପେ ୧୩.୪୦ ଲକ୍ଷ କୋଟି ଟଙ୍କା ମିଳିଛି । ଯଦି ଆଇଏମଏଫର ଅନୁମାନ ଅନୁସାରେ ବିଶ୍ୱ ଅର୍ଥନୀତି ଧିମା ହୁଏ ତେବେ ବସ୍ତୁ ଗୁଡିକର ମୂଲ୍ୟରେ ହ୍ରାସ ଘଟିବ । ଏଥିରୁ ଦରବୃଦ୍ଧିର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ । ଆର୍ଥିକ ବର୍ଷ ୨୦୨୨ରେ ଏଫଡିଆଇ ଫ୍ଲୋ ୨୧.୩ ବିଲିୟନ ଡଲାର ଥିଲା, ଯାହା ଆର୍ଥିକ ବର୍ଷରେ ୭୬ ପ୍ରତିଶତ ଅଧିକ ଥିଲା ।