ଚୀନ୍ର ମାନଚିତ୍ରକୁ ଭାରତର ବିରୋଧ, ବିଦେଶ ମନ୍ତ୍ରାଳୟର ବୟାନ- ଏମିତି କଲେ ବଢ଼ିବ ସୀମା ବିବାଦ
29/08/2023 at 10:15 PM

ନୂଆଦିଲ୍ଲୀ, ୨୯/୦୮: ପୁଣି ଚୀନ୍ର ଚାଲାକି । ଏଲଏସିରେ ନିଜର କାର୍ଯ୍ୟକଳାପ ଦ୍ବାରା ସବୁବେଳେ ଅସ୍ଥିରତା ସୃଷ୍ଟି କରୁଥିବା ଚୀନ୍ ଏବେ ପୁଣି ଚର୍ଚ୍ଚାରେ। ପ୍ରକୃତରେ ଚୀନ୍ ଏହାର ନୂଆ ମାନଚିତ୍ର ଜାରି କରିଛି । ଯେଉଁଥିରେ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦର୍ଶାଇଛି । ଆଉ ଏହି ନକ୍ସାକୁ ନେଇ ଭାରତ ଏବେ ଚୀନ୍ ସାମ୍ନାରେ କଡ଼ା ବିରୋଧ କରିଛି । ଖାଲି ବିରୋଧ ନୁହେଁ ଚୀନ୍କୁ ଉଚିତ୍ ଜବାବ ଦେବା ସହ ଏଭଳି ଦାବିକୁ ଖାରଜ ମଧ୍ୟ କରିଛି ।
ଚୀନ୍ ଦ୍ବାରା ଜାରି ହୋଇଥିବା ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଏବଂ ଅକସାଇ ଚୀନ୍କୁ ନିଜର ଅଂଶ କହିବାକୁ ଭାରତର ତୀବ୍ର ଅସନ୍ତୋଷ। ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଛି ‘‘ ଆଜି ଆମେ ଚୀନ୍ ଜାରି କରିଥିବା ୨୦୨୩ର ମାନଚିତ୍ରକୁ ବିରୋଧ କରୁଛୁ । ଆମେ ଏହି ଦାବିକୁ ଖାରଜ କରୁଛୁ କାରଣ ଏହାର କୌଣସି ଆଧାର ନାହିଁ।’’ ବିଦେଶ ମନ୍ତ୍ରାଳୟ ଅନୁଯାୟୀ ଚୀନ୍ ଦ୍ବାରା ଏଭଳି ପଦକ୍ଷେପ ସୀମା ପ୍ରସଙ୍ଗର ସମାଧାନ ବଦଳରେ ଆହୁରି ଜଟିଳ କରୁଛି।
ଚୀନ୍ର ଦାବିକୁ ନେଇ ବିବାଦ:
ସୂଚନାଯୋଗ୍ୟ, ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ୨୦୨୩ର ସାଧାରଣ ମ୍ୟାପ୍ ଜାରି କରିଛି। ଏଥିରେ ଅରୁଣାଚଳ ପ୍ରଦେଶ, ଅକ୍ସାଇ ଚୀନ, ତାଇଓ୍ବାନ ଏବଂ ଦକ୍ଷିଣ ଚୀନ ସାଗର ଉପରେ ନିଜର ଆଧିପତ୍ୟ ଥିବା ଦର୍ଶାଇଛି। ଏହି ନକ୍ସା ସାମ୍ନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଛି। ଭାରତ ଅରୁଣାଚଳ ପ୍ରଦେଶକୁ ବାରମ୍ବାର ନିଜର ଅଭିନ୍ନ ଅଙ୍ଗ ବୋଲି କହିଆସୁଥିବା ସତ୍ତ୍ବେ ବି ଚୀନ୍ ଏଭଳି କରିଛି। ନକ୍ସାରେ ତାଇଓ୍ବାନରୁ ଅଲଗା ହୋଇସାରିଥିବା ଦ୍ବୀପ ଏବଂ ଦକ୍ଷିଣ ଚୀନ୍ ସାଗରର ଏକ ବଡ଼ ଅଂଶ ଉପରେ ଦାବି କରୁଥିବା ନୌଡେସ ଲାଇନ୍କୁ ଚୀନ୍ ନିଜର କହିଛି। ବିଜିଂ ସବୁବେଳେ ତାଇଓ୍ବାନକୁ ନିଜର ମୁଖ୍ୟ ଅଂଶ ବୋଲି କହୁଛି। ଚୀନ୍ ସହ ତାଇଓ୍ବାନକୁ ଏକୀକରଣ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ନିର୍ଦ୍ଧାରିତ ଉଦ୍ଦେଶ୍ୟ।
ଆହୁରି ପଢ଼ନ୍ତୁ: ଲଦାଖର ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଫାଇଟର ଏୟାରବେସ୍ ରୂପ ଦେଉଛି ବାୟୁ ସେନା, ବିସ୍ତାରବାଦୀ ଚୀନକୁ ମିଳିବ ମୁହଁତୋଡ ଜବାବ
ଜି ୨୦ ସମ୍ମିଳନୀ ପୂର୍ବରୁ ଜାରି ଜରିଛି ମାନଚିତ୍ର:
ବଡ଼ କଥା ହେଉଛି ଜି ୨୦ ସମ୍ମିଳନୀର କିଛି ଦିନ ପୂର୍ବରୁ ଚୀନ୍ର ଏଭଳି ନକ୍ସା ଜାରି କରିଛି। ଏହି ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ବିଶ୍ବର ଅନେକ ନେତା ସାମିଲ୍ ହେବେ। ସୂଚନାଥାଉ, ଗତ ସପ୍ତାହରେ ପିଏମ ମୋଦୀ ଜୋହନ୍ସବର୍ଗରେ ବ୍ରିକ୍ସସ ଶିଖର ସମ୍ମିଳନୀ ସମୟରେ ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତକାର କରିଥିଲେ। ଏହି ସମୟରେ ପିଏମ ମୋଦୀ ଏଲଏସିରେ ଭାରତ ସହ ରହିଥିବା ବିବାଦକୁ ରେଖାଙ୍କିତ କରିଥିଲେ।
ଅରୁଣାଚଳ ପ୍ରଦେଶରେ ୧୧୨୬ କିଲୋମିଟର ଲମ୍ବ ସୀମା ଚୀନ୍ ସହ ସଂଲଗ୍ନ, ଯେତେବେଳେକି ୫୨୦ କିଲୋମିଟର ଲମ୍ବ ସୀମା ଭୁଟାନ ସହ ସଂଲଗ୍ନ। ଚୀନ୍ର ଦାବି ରହିଛି ଯେ, ଅରୁଣାଚଳ ପ୍ରଦେଶ ପାରମ୍ପରିକ ଭାବରେ ଦକ୍ଷିଣ ତିବ୍ବନର ଅଂଶ । ଚୀନ୍ ଲଦାଖରେ ନିଜର ଅବୈଧ କବ୍ଜାକୁ ଅକସାଇ ଚୀନ୍ର ନାମ ଦେଇଛି। ଯେତେବେଳେକି ଭାରତ ସବୁବେଳେ ଏହାକୁ ଖାରଜ କରି ଆସୁଛି। ଚୀନ୍ ଏହାକୁ ଗ୍ରହଣ କରିପାରୁନାହିଁ ଆଉ ସୁଯୋଗ ଦେଖି ବିସ୍ତାରବାଦୀ ବିବାଦ କରୁଛି।
ଆହୁରି ପଢ଼ନ୍ତୁ: ସୀମାରେ ଚୀନକୁ ମିଳିବ କଡ଼ା ଜବାବ, ଅରୁଣାଚଳରେ ମୁତୟନ ହେବେ ITBPର ୪ ନୂଆ ବାଟାଲିୟାନ