ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
30/03/2023 at 10:52 PM

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବଳ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱଦେଶୀ ଏରୋସ୍ପେସ୍ ପ୍ରତିରକ୍ଷା ସମ୍ପର୍କିତ ଇଲେକ୍ଟ୍ରିକ କମ୍ପାନୀ ଭାରତ ଇଲେକ୍ଟ୍ରୋନିକ କମ୍ପାନୀ(BEL)ସହ ୫,୪୯୮ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ କରିଛି। କମ୍ପାନୀ ସହ ମୋଟ ୧୦ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଗୋଟିଏ ଚୁକ୍ତିରେ ବାୟୁସେନାର ମିଡିୟମ ଲିଫ୍ଟ ହେଲିକପ୍ଟର ପାଇଁ ୯୦ ୟୁନିଟ ଇଲେକ୍ଟ୍ରୋନିକ ୱାର୍ଫେୟାର୍(EW-) ଦେବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ସେହିପରି ଅନ୍ୟ ଏକ ଚୁକ୍ତିରେ ଦୁଇ ସ୍କ୍ୱାର୍ଡନର ରକ୍ଷଣାବେକ୍ଷଣ ପାଇଁ ଆକାଶ ମିସାଇଲ୍ ସିଷ୍ଟମ୍ କିଣିବାକୁ କୁହାଯାଇଛି। ଏହା ଏକ ମଧ୍ୟମ ଦୂରଗାମୀ ଭୃପୃଷ୍ଠରୁ ଆକାଶ ମାର୍ଗକୁ ଟାର୍ଗେଟ୍ କରୁଥିବା ମିସାଇଲ୍। ଯାହାକୁ ଡିଆର୍ଡିଓ ଡେଭଲପ୍ କରିଥିବା ବେଳେ ଭାରତ ଇଲେକ୍ଟ୍ରୋନିକ୍ ଏହାର ନିର୍ମାଣ କରିଛି। ଏହି ମିସାଇଲ୍ ୩୦ କିମି ଦୂରରେ ଥିବା ମିସାଇଲ୍କୁ ଟାର୍ଗେଟ୍ କରିପାରିବ। ଏଥିରେ ଫାଇଟର ଜେଟ୍, କ୍ରୁସ୍ ମିସାଇଲ୍ ଓ ବାୟୁରୁ-ଭୂପୃଷ୍ଠ ଟାର୍ଗେଟ୍ କରୁଥିବା ମିସାଇଲ୍ ବିପଦକୁ ନିଷ୍କ୍ରୀୟ କରିବାର କ୍ଷମତା ରହିଛି।
ପଢ଼ନ୍ତୁ- ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍
ସେହିପରି ଆକାଶତୀର ପ୍ରକଳ୍ପରେ ଭାରତୀୟ ସେନା ପାଇଁ ସ୍ୱଂୟ ଚାଳିତ ଏୟାର ଡିଫେନ୍ସ କଣ୍ଟ୍ରୋଲ୍, ରିପୋର୍ଟିଂ ସିଷ୍ଟମ୍, ଇନ୍ଷ୍ଟାଣ୍ଟ ଫାୟାର ଡିଟେକ୍ସନ ଏବଂ ଟି-୭୨ ଟ୍ୟାଙ୍କ ପାଇଁ ସପ୍ରେସିଂ ସିଷ୍ଟମ IFDSS ଯୋଗାଇ ଦେବାକୁ ଚୁକ୍ତି ହୋଇଛି। ଅନ୍ୟପଟେ ନୌସେନାକୁ ସଫ୍ଟୱେୟାର ଡିଫାଇଣ୍ଡ ରେଡିଓ(୧,୨୬୫ ୟୁନିଟ୍), HD VLF HF ରିସିଭର(୧,୧୭୮ ୟୁନିଟ) ଏବଂ ସରଙ୍ଗ(୧୨ ୟୁନିଟ୍) ଯୋଗାଇ ଦେବାକୁ ପାଇଁ ବିଇଏଲ୍ ସହ ଚୁକ୍ତି ହୋଇଛି।
ଭାରତୀୟ ନୌସେନା ସହିତ ଆଉ ୩ ପ୍ରକଳ୍ପ ଯଥା- ଆଇଏନ୍ଏସ୍-ଏସ୍, ପି୧୭ ପାଇଁ ସିଏମ୍ଏସ୍, ପି୨୮ ଓ ବରୁଣ ଇଲେକ୍ଟ୍ରୋନିକ୍ ୱାରଫେୟାର୍ ପାଇଁ ଚୁକ୍ତି ହୋଇଛି। ବିଇଏଲ୍ ଏସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ସ୍ୱଦେଶୀ ଢଙ୍ଗରେ ନିର୍ମାଣ କରିବ। ଏହି ପ୍ରକଳ୍ପ ଆତ୍ମନିର୍ଭର ଭାରତ ଅଭିଯାନ ଓ ମେକ୍ ଇନ୍ ଇଣ୍ଡିଆ କ୍ଷେତ୍ରରେ ମାଇଲ୍ ଷ୍ଟୋନ୍ ସାବ୍ୟସ୍ତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।