ଭାରତର ପରାଜୟରେ ବଦଳିଗଲା ପଏଣ୍ଟ ଟେବୁଲ୍‌ର ଗଣିତ, କ’ଣ ବିଶ୍ଵ କପ୍‌ରୁ ବାଦ୍ ପଡିଲା ପାକିସ୍ତାନ ?

Published By : Prameya-News7 Bureau | October 30, 2022 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ରବିବାର ପର୍ଥରେ ଖେଳାଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଭାରତ ଦ୍ଵାରା ଧାର୍ଯ୍ୟ ୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ତେବେ ଭାରତର ପରାଜୟ ପରେ ଗ୍ରୁପ ୨ର ପଏଣ୍ଟ ଟେବୁଲ୍‌ର ଗଣିତ ବଦଳି ଯାଇଛି। ଭାରତର ପରାଜୟରେ ଭାରତୀୟ କ୍ରିକେଟ୍ ପ୍ରଶଂସକ ଯେତେ ଦୁଃଖିତ ହୋଇନଥିବେ ତାଠୁ ଅଧିକ ଦୁଃଖି ହୋଇଥିବେ ପାକିସ୍ତାନ ଦଳ ଏବଂ ପାକିସ୍ତାନୀ ପ୍ରଶଂସକ। କାରଣ ଭାରତର ବିଜୟରେ ହିଁ ପାକିସ୍ତାନର ସେମି ଆଶା ଉଜ୍ଜୀବିତ ରହୁଥିଲା। ଏହା ପୂର୍ବରୁ ଆଜିର ପ୍ରଥମ ମୁକାବିଲାରେ ପାକିସ୍ତାନ ନେଦରଲାଣ୍ଡକୁ ହରାଇଥିଲା।

ଗ୍ରୁପ-୨ରେ ସମସ୍ତ ଦଳ ତିନୋଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି। ଦକ୍ଷିଣ ଆଫ୍ରିକା ଦୁଇ ବିଜୟ ଏବଂ ଗୋଟିଏ ମ୍ୟାଚ୍ ବର୍ଷାରେ ଧୋଇ ହେବାରୁ ପାଞ୍ଚ ପଏଣ୍ଟ ସହ ଶୀର୍ଷରେ ପହଞ୍ଚିଛି। ଭାରତ ଦୁଇ ବିଜୟ ଏବଂ ଏକ ପରାଜୟ ପରେ ପାଞ୍ଚ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି। ତୃତୀୟରେ ବାଂଲାଦେଶ ରହିଛି। ଦଳ ତିନୋଟି ମୁକାବିଲାରୁ ୨ଟି ଜିତି ୪ ପଏଣ୍ଟ ହାସଲ କରିଛି। ହେଲେ ଦଳର ନେଟ୍ ରନ ରେଟ୍ ମାଇନସ୍ ରହିଛି। ଜିମ୍ବାଓ୍ଵେ ଗୋଟିଏ ବିଜୟ, ଗୋଟିଏ ପରାଜୟ ଏବଂ ବର୍ଷା କାରଣରୁ ଗୋଟିଏ ମ୍ୟାଚ୍ ବାତିଲ ହେବାରୁ ୩ ପଏଣ୍ଟ ସହ ଚତୁର୍ଥରେ ରହିଛି। ପାକିସ୍ତାନ ଦୁଇ ପଏଣ୍ଟ ସହ ପଞ୍ଚମ ଏବଂ ନେଦରଲାଣ୍ଡ ଷଷ୍ଠ ସ୍ଥାନରେ ରହିଛି।

କଣ ବିଶ୍ଵ କପ୍‌ରୁ ବାଦ୍ ପଡିଲା ପାକିସ୍ତାନ ?

ଭାରତର ପରାଜୟ ପରେ ଏବେ ପାକିସ୍ତାନ ଦଳର ମୁସ୍କିଲ ଆହୁରି ବଢି ଯାଇଛି। ଯଦି ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ମୁକାବିଲାରେ ପାକିସ୍ତାନକୁ ହରାଇଦିଏ ତେବେ ବାବରଙ୍କ ଦଳ ବିଶ୍ଵ କପ୍‌ରୁ ବିଦାୟ ନେବ। ଯଦିଓ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ହରାଇବାରେ ସଫଳ ହୁଏ ତେବେ ବି ଦଳର ମୁସ୍କିଲ କମ୍ ହେବ ନାହିଁ। କାରଣ ଦକ୍ଷିଣ ଆଫ୍ରିକାକୁ ଶେଷ ମ୍ୟାଚ୍‌ରେ ନେଦରଲାଣ୍ଡ ସହ ଖେଳିବାକୁ ପଡିବ। ଏମିତିରେ ଦକ୍ଷିଣ ଆଫ୍ରିକା ଅନ୍ତିମ ମ୍ୟାଚ୍ ଜିତିଲେ ୭ ପଏଣ୍ଟ ସହ ସେମିକୁ ଉନ୍ନିତ ହେବ। ଅନ୍ୟପଟେ ପାକିସ୍ତାନ ଯଦିଓ ନିଜର ଶେଷ ୨ଟି ମ୍ୟାଚ୍ ଜିତେ ତେବେ ଛଅ ପଏଣ୍ଟରେ ପହଞ୍ଚି ପାରିବ।

ଭାରତକୁ ଜିତିବାକୁ ପଡିବ ବାକି ଦୁଇ ମ୍ୟାଚ୍

କେବଳ ନେଦରଲାଣ୍ଡ ତିନି ମ୍ୟାଚ୍ ହାରି ସେମି ଫାଇନାଲ୍ ଦୌଡରୁ ବାଦ୍ ପଡି ସାରିଛି। ଭାରତକୁ ସେମିରେ ପହଞ୍ଚିବା ପାଇଁ ନିଜର ଶେଷ ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ। ଦଳ ବାକି ଦୁଇଟି ମ୍ୟାଚ୍ ବାଂଲାଦେଶ ଏବଂ ଜିମ୍ବାଓ୍ଵେ ବିପକ୍ଷରେ ଖେଳିବ। ଏହି ଦୁଇ ଦଳ ବି ସେମି ଫାଇନାଲ୍ ଦୌଡରେ ଅଛନ୍ତି। ବାଂଲାଦେଶ ବି ନିଜର ଦୁଇଟି ମ୍ୟାଚ୍ ଜିତି ୮ ପଏଣ୍ଟରେ ପହଞ୍ଚିବାକୁ ଚାହିଁବ। ଅନ୍ୟପଟେ ଜିମ୍ବାଓ୍ଵେ  ନିଜର ଶେଷ ଦୁଇ ମ୍ୟାଚ୍ ଜିତିଲେ ୭ ପଏଣ୍ଟରେ ପହଞ୍ଚି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.