ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ନୂଆ ରେକର୍ଡ, ୨୦୦ ସ୍ୱର୍ଣ୍ଣ ପଦକ ହାସଲରେ ଚତୁର୍ଥ ଦେଶ

Published By : Prameya-News7 Bureau | August 09, 2022 IST

ବର୍ମିଂହମ ୯।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଉଦଯାପିତ ହୋଇଯାଇଛି। ଏହି କ୍ରୀଡ଼ାର ଏକାଦଶତମ ଦିନ ଭାରତୀୟ ଟିମ୍‌ ନିଜ ନାମରେ ଏକ ଖାସ ରେକର୍ଡ କରିଛି। ଶେଷ ଦିନ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲସ୍‌ରେ ପି.ଭି.ସିଦ୍ଧୁଙ୍କ ବିଜୟ ସହିତ ଭାରତ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ଇତିହାସରେ ସୋମବାର ନିଜର ୨୦୦ତମ ସ୍ୱର୍ଣ୍ଣପଦକ ହାସଲ କରିଥିଲା। ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୦୩ଟି ସ୍ୱର୍ଣ୍ଣପଦକ ଜିତିବାରେ ଭାରତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଚତୁର୍ଥ ଦେଶ ପାଲଟିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଟେବୁଲର ଶୀର୍ଷ ସ୍ଥାନରେ ରହିଛି ଅଷ୍ଟ୍ରଲିଆ। ବିଭିନ୍ନ ବର୍ଗରେ ଅଷ୍ଟ୍ରେଲିଆର ଖେଳାଳିମାନେ ସର୍ବାଧିକ ୧୦୦୩ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ପଛକୁ ରହିଛି ଆୟୋଜକ ଇଂଲଣ୍ଡ। ବିଭିନ୍ନ ବର୍ଗରେ ଇଂଲଣ୍ଡର ଆଥଲେଟମାନେ ୭୭୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ୫୧୦ଟି ସ୍ୱର୍ଣ୍ଣପଦକ ସହିତ କାନାଡା ତୃତୀୟ ସ୍ଥାନରେ ରହିଛି। କେବଳ ବର୍ମିଂହମରେ ଭାରତ ୨୨ଟି ଗୋଲ୍ଡ ନିଜ ନାମରେ କରିଥିଲା।

{"id":668665,"width":838,"height":285,"sizeSlug":"full","linkDestination":"none"}

ରାଜ୍ୟଗୋଷ୍ଠୀ କ୍ରିଡାରେ ଭାରତ ପ୍ରଥମ ସ୍ୱର୍ଣ୍ଣ ୧୯୫୮ରେ ଜିତିଥିଲା। ଏହି ସ୍ୱର୍ଣ୍ଣପଦକ ମହାନ ଧାବକ ମିଲଖା ସିଂହ ଜିତିଥିଲେ। ଏହା ପରେ ୧୯୬୨ରୁ ୧୯୮୬ ପର୍ଯ୍ୟନ୍ତ ରାଷ୍ଟ୍ରମଣ୍ଡଳ କ୍ରିଡାରେ ଭାରତ ଅଂଶଗ୍ରହଣ କରିନଥିଲା। ତେବେ ପରବର୍ତ୍ତୀ ରାଷ୍ଟ୍ରମଣ୍ଡଳ କ୍ରିଡାମାନଙ୍କରେ ଭାରତର ସ୍ୱର୍ଣ୍ଣ ଅଭିଯାନ ଜାରି ଥିଲା। ୨୦୧୦ ଦିଲ୍ଲୀ ରାଷ୍ଟ୍ରମଣ୍ଡଳ କ୍ରିଡା ଆୟୋଜନ କାଳରେ ଭାରତକୁ ସବୁଠୁ ଅଧିକ ୩୮ଟି ସ୍ୱର୍ଣ୍ଣ ପଦକ ମିଳିଥିଲା।।

କମନୱେଲଥ୍ ଗେମ ୨୦୨୨ରେ ଭାରତ ସବୁଠୁ ଅଧିକ ପଦକ କୁସ୍ତିରେ ଜିତିଛି। ଭାରତୀୟ ମଲ୍ଲଯୋଦ୍ଧାମାନେ କୁସ୍ତିରେ ମୋଟ ୧୨ଟି ମେଡାଲ ଜିତିଛନ୍ତି ଯେଉଁଥିରେ ରହିଛି ୬ଟି ଗୋଲ୍ଡ ମେଡାଲ। ଏଥିରେ ଗୋଟିଏ ସିଲଭର ଓ ୫ଟି ବ୍ରୋଞ୍ଜ ମେଡାଲ ମଧ୍ୟ ରହିଛି। କୁସ୍ତି ପଛକୁ ୱେଟ୍‌ ଲିଫ୍ଟିଂରେ ଭାରକୁ ୧୦ଟି ମେଡାଲ ମିଳିଛି। ଏହା ଛଡା ବକ୍ସିଂରେ ମଧ୍ୟ ଭାରତ ୩ ଗୋଲ୍ଡ ସମେତ ମୋଟ ୭ଟି ମେଡାଲ ଜିତିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.