ଆର୍ଥିକ ବର୍ଷ ୨୦୨୨-୨୩ ପ୍ରଥମ ୩ ମାସରେ କୃଷି ରପ୍ତାନୀରେ ୧୪% ବୃଦ୍ଧି, ବଢିଛି ପରିବା ଏବଂ ଖାଦ୍ୟଶସ୍ୟ ରପ୍ତାନୀ

Published By : Prameya-News7 Bureau | July 19, 2022 IST

ନୂଆଦିଲ୍ଲୀ: ଦେଶରେ କୃଷି ରପ୍ତାନୀରେ ଲଗାତାର ସୁଧାର ଆସୁଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ରପ୍ତାନୀର ଡାଟା ଅନୁସାରେ ଏହି ଅବଧିରେ ଭାରତର କୃଷି ଏବଂ ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପଦ ରପ୍ତାନୀରେ ୧୪ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଗତ ବର୍ଷର ସମାନ ଅବଧିରେ ୫,୨୫୬ ମିଲିୟନ ଡାଲରର ରପ୍ତାନୀ ହୋଇଥିଲା, ଯାହା ଚଳିତ ବର୍ଷ ୧୪ ପ୍ରତିଶତ ବୃଦ୍ଧି ସହ ୫,୯୮୭ ମିଲିୟନ ଡଲାର ହୋଇଛି । ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର APEDA ଜରିଆରେ ୨୦୨୨-୨୩ ପାଇଁ କୃଷି ଏବଂ ପ୍ରକ୍ରିୟାକରଣ ଖାଦ୍ୟ ସାମଗ୍ରୀ ୨୩.୫୬ ବିଲିୟନ ଡଲାରର ରପ୍ତାନ ଲକ୍ଷ୍ୟ ରଖିଛନ୍ତି । ତେବେ ଏଥିରୁ ଚା ପତି, କଫି, ମସଲା କପା ଏବଂ ସମୁଦ୍ର ରପ୍ତାନୀକୁ  ବାଦ ଦିଆଯାଇଛି ।  

କୃଷି ରପ୍ତାନୀକୁ ନେଇ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ଜାରି ବୟାନ ଅନୁସାରେ, ଦେଶରେ ଫଳ ଏବଂ ପରିବା ରପ୍ତାନୀରେ ୮.୬ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଅନ୍ୟପଟେ ଖାଦ୍ୟାନ୍ନ ଏବଂ  ବିଭିନ୍ନ ପ୍ରକ୍ରିୟାକରଣ ଖାଦ୍ୟ ରପ୍ତାନୀରେ ୩୬.୪ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ୨୦୨୧ ଏପ୍ରିଲ-ଜୁନ ତ୍ରୈମାସରେ ୨୩୭ ମିଲିୟନ ଡଲାର ଖାଦ୍ୟାନ୍ନ ରପ୍ତାନୀ ତୁଳନାରେ ଚଳିତ ବର୍ଷ ଦ୍ୱିତୀୟ ତ୍ରୈମାସରେ ୩୦୬ ମିଲିୟନ ଡାଲରର ରପ୍ତାନୀ ହୋଇଛି ।

ଏପେଡାର ଅଧ୍ୟକ୍ଷ ଏମ ଅଙ୍ଗମୁଥୁଙ୍କ ଦ୍ୱାରା ଜାରି ଏକ ବୟାନ ଅନୁସାରେ, କୃଷି ରପ୍ତାନୀ ମୂଲ୍ୟ ଶୃଙ୍ଖଳାରେ ଥିବା ପ୍ରମୁଖ ହିତଧାରକଙ୍କ ସହଯୋଗରେ ଏକ ଇକୋସିଷ୍ଟମ କରାଯାଇଛି । ଏହା ମାଧ୍ୟମରେ ଚଳିତ ବର୍ଷ ମଧ୍ୟ ଭାରତ ଖାଦ୍ୟ ଏବଂ ପ୍ରକ୍ରିୟାକରଣ ଖାଦ୍ୟ ରପ୍ତାନୀରେ ବୃଦ୍ଧି ବଜାୟ ରଖିବ ବୋଲି ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.