ଗୋଟିଏ ବର୍ଷରେ ୫୦୦ କୋଟି ଆଣ୍ଟିବାୟୋଟିକ୍ ଟାବ୍ଲେଟ୍ ଖାଇଛନ୍ତି ଭାରତୀୟ, ଆଜିଥ୍ରୋମାଇସିନ୍ ସବୁଠାରୁ ଅଧିକ
7/09/2022 at 6:54 PM

ନୂଆଦିଲ୍ଲୀ: କରୋନା ସମୟରେ ଲାଞ୍ଚ ନେଇ ଡାକ୍ତରମାନେ ରୋଗୀଙ୍କୁ ଡୋଲୋ-୬୫୦ ଟାବ୍ଲେଟ୍ ଲେଖିବା ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଥିଲା। ଏନେଇ ତଦନ୍ତ ମଧ୍ୟ ଚାଲିଛି। ହେଲେ ଏବେ ଭାରତୀୟଙ୍କର ଔଷଧ ବ୍ୟବହାରକୁ ନେଇ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଭରତୀୟ ଅତ୍ୟଧିକ ମାତ୍ରାରେ ଆଣ୍ଟିବାୟୋଟିକ ଟାବ୍ଲେଟ୍ର ବ୍ୟବହାର କରୁଛନ୍ତି ବୋଲି ଏକ ଗବେଷଣାରେ ପ୍ରକାଶ ପାଇଛି।
୨୦୧୯ରେ ଭାରତୀୟମାନେ ୫୦୦ କୋଟିରୁ ଅଧିକ ଆଣ୍ଟିବାୟୋଟିକ ଟାବ୍ଲେଟ୍ ବ୍ୟବହାର କରିଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ସେଥିମଧ୍ୟରୁ ଆଜିଥ୍ରୋମାଇସିନ୍କୁ ସର୍ବାଧିକ ବ୍ୟବହାର କରାଯାଇଥିଲା ବୋଲି ଗବେଷଣାରେ ଜଣାପଡ଼ିଛି। ସ୍ୱାସ୍ଥ୍ୟ ସମ୍ପର୍କିତ ଗବେଷଣା ପ୍ରକାଶ କରୁଥିବା ପ୍ରତିଷ୍ଠିତ ଲାନସେଟ ରିଜନାଲ ହେଲ୍ଥ ସାଉଥଇଷ୍ଟ ଏସିଆ ପତ୍ରିକାରେ ଏହି ଗବେଷଣା ପ୍ରକାଶ ପାଇଛି।

ଲୋକଙ୍କର ଆଣ୍ଟିବାୟୋଟିକର ବ୍ୟବହାର ନେଇ ଚିନ୍ତାପ୍ରକଟ କରିଛନ୍ତି ଗବେଷକ। ଭାରତରେ ଆଣ୍ଟିବାୟୋଟିକର ବିକ୍ରି ଓ ବ୍ୟବହାରକୁ ନେଇ ଥିବା ନିୟମକୁ ଆଉ ଟିକେ କଡ଼ା କରିବା ଓ ଏଥିପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ଭାରତରେ ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର ଏହାର ବିକ୍ରିକୁ ବଢ଼ାଉଛି। ଆଣ୍ଟିବାୟୋଟିକ୍ ବିକ୍ରିରେ ପ୍ରତିବନ୍ଧକ ନଥିବାରୁ ଏହାର ବିକ୍ରିୟ ଓ ଉପଲବ୍ଧତାରେ ଅସନ୍ତୁଳନ ଦେଖାଦେଉଛି ବୋଲି ଗବେଷଣାରେ କୁହାଯାଇଛି।
ରିପୋର୍ଟରେ କୁହାଯାଇଛି “ ଯଦିଓ ଭାରତ ବହୁଳମାତ୍ରାରେ ଆଣ୍ଟିବାୟୋଟିକ ବ୍ୟବହାର କରୁଛି। ହେଲେ ଆମେରିକା ଓ ୟୁରୋପ ଭଳି ଆଣ୍ଟିବାୟୋଟିକର ବ୍ୟବହାର ଉପରେ ନଜର ରଖିବାକୁ କୌଣସି ବ୍ୟବସ୍ଥା ନାହିଁ।” ୨୦୧୫ରୁ ଆଣ୍ଟିବାୟୋଟିକର ବ୍ୟବହାର ନେଇ ଗବେଷଣା ସଂସ୍ଥା ୬୫ଟି ଦେଶରେ ଗବେଷଣା କରିଥିଲା। ହେଲେ ଭାରତରେ ୨୦୧୫ରୁ ତଥ୍ୟ ମିଳିଲା ନାହିଁ ବୋଲି ଲାନସେଟ୍ କହିଛି।

ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର(ସିଡିସି)ର ଅନୁସାରେ, ବ୍ୟାକ୍ଟେରିଆଙ୍କ ଦ୍ୱାରା ହୋଇଥିବା ସଂକ୍ରମଣକୁ ରୋକିବା ପାଇଁ ଆଣ୍ଟିବାୟୋଟିକର ବ୍ୟବହାର କରାଯାଇଥାଏ। ଆଣ୍ଟିବାୟୋଟିକ୍ରେ ବ୍ୟାକ୍ଟେରିଆକୁ ମାରିବା ପାଇଁ କିମ୍ବା ସଂକ୍ରମଣକୁ ରୋକିବା ପାଇଁ ବ୍ୟବହାର କରାଯାଇଥାଏ।
ମାସାଚୁସେଟର ବୁଷ୍ଟନ ୟୁନିଭର୍ସିଟି ଅଫ୍ ପବ୍ଲିକ୍ ହେଲ୍ଥ ମାହାମାରୀ ବିଭାଗର ଗବେଷକ ଓ ପବ୍ଲିକ ହେଲ୍ଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ଔଷଧର ବ୍ୟବହାର ନେଇ ତଥ୍ୟ ସଂଗ୍ରହ କରାଯାଇଥିଲା। ଦେଶର ୯ ହଜାର ଔଷଧ ବିକ୍ରେତାଙ୍କ ଠାରୁ ଏହି ତଥ୍ୟ ସଂଗ୍ରହ କରିଥିଲା ଏକ ଘରୋଇ ସଂସ୍ଥା ଫାର୍ମା ଟ୍ରାକ୍। ଏମାନେ ଜାଣିବାକୁ ପାଇଥିଲେ ଯେ ଦୈନିକ ୫୦୭୧ ମିଲିୟନ ଡୋଜ୍ ବ୍ୟବହାର କରାଯାଉଥିଲା। ଯାହା ପ୍ରତି ୧୦୦୦ରେ ବ୍ୟବହାର ମାତ୍ରା ୧.୪ ବୋଲି ଗବେଷଣାରେ କୁହାଯାଇଛି। ତେବେ ଏହା ଭିତରେ ଆଜିଥ୍ରୋମାଇସିନ୍-୫୦୦ ଟାବ୍ଲେଟ୍କୁ ସବୁଠାରୁ ଅଧିକ ବ୍ୟବହାର କରାଯାଇଥିବା ବେଳେ ଦ୍ୱିତୀୟରେ ସେଫିକ୍ସାଇମ୍-୨୦୦କୁ ବ୍ୟବହାର କରାଯାଇଥିଲା।